ପାଞ୍ଜିର ଭବିଷ୍ୟବାଣୀ

ଏଥର ଅନିଶ୍ଚିତତା, ଅସ୍ଥିରତା!

ଭୁବନେଶ୍ୱର: ଉପକୂଳ ଜିଲ୍ଲାରେ ଜୁଲାଇ ଓ ଅଗଷ୍ଟ ମାସରେ ଝ଼ଡବାତ୍ୟାର ଆଶଙ୍କା ରହିଛି। ତଥାପି ବୃଷ୍ଟିପାତ କମିବ, ଫସଲ ଉତ୍ପାଦନ ବି। ଯାନବାହନ ଦୁର୍ଘଟଣା ବୃଦ୍ଧି ପାଇବାର ଆଶଙ୍କା ଅଧିକ। ଯଦିଓ ମାଓବାଦର ମୁକାବିଲା କ୍ଷେତ୍ରରେ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, କିନ୍ତୁ ଶିଳ୍ପ କ୍ଷେତ୍ରରେ ମନ୍ଥରତା ଲାଗି ରହିବ। ରାଜ୍ୟ ଶାସନ ଶୃଙ୍ଖଳିତ ହେବ। କିଛି କ୍ଷେତ୍ରରେ ସରକାରଙ୍କୁ ବିଫଳତାକୁ ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତାବର୍ଷ (ଓଡ଼ିଆ ବର୍ଷ ବୈଶାଖରୁ ଚୈତ୍ର) ଲାଗି ବିଭିନ୍ନ ପଞ୍ଜିକା ଏଭଳି ଗଣନା କରିଛନ୍ତି। ଆସନ୍ତା ୧ ତାରିଖ ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଗାଁରେ ଗାଁରେ ଦୋଳବେଦୀ ଉପରେ ଠାକୁରଙ୍କ ସାମ୍ନାରେ ଏ ନୂତନ ପଞ୍ଜିକା ପଢ଼ାଯିବାର ବ୍ୟବସ୍ଥା ରହିଛି। ରାଜ୍ୟର ସାମଗ୍ରିକ ସ୍ଥିତି ନେଇ ପାଞ୍ଜି ଗଣନାକାରମାନେ ଭିନ୍ନ ଭିନ୍ନ ଯୁକ୍ତି ଓ ମନ୍ତବ୍ୟ ରଖିଥିଲେ ହେଁ, ରାଜ୍ୟ ଶାସନ ଯେ ବଦଳିବ ଏମିତି ପୂର୍ବାନୁମାନ କରିନାହାନ୍ତି। କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତରେ ସରକାର ଅସ୍ଥିର ହେବାର ସମ୍ଭାବନା ଅଧିକ। ପଞ୍ଜିକା ସୂଚାଉଛି, ଚଳିତବର୍ଷ ରାଜ୍ୟ ବିଭିନ୍ନ ସମସ୍ୟା ଦେଇ ଗତି କରିବ। ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କେତେକ ଅଞ୍ଚଳରେ ଜଳଜନିତ ରୋଗ ବ୍ୟାପି ସ୍ୱାସ୍ଥ୍ୟ ବିଭାଗ ପାଇଁ ସମସ୍ୟା ଆଣିପାରେ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ରେଳ ଚଳାଚଳ ଓ ଗମନାଗମନ କ୍ଷେତ୍ରରେ ବିକାଶ ଘଟିବ। ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବାରେ ସରକାର କେତେକାଂଶରେ ସଫଳ ହେବେ। ଚଳିତବର୍ଷ ନୂଆ ଯୋଜନା ପ୍ରଣୟନ କରାଯିବା ଦ୍ୱାରା ରାଜ୍ୟ ବିକାଶମୁଖୀ ହେବ। ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରଭାବ କମିବ। ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ। ଅନ୍ୟକିଛି ପାଞ୍ଜି କିନ୍ତୁ ଭବିଷ୍ୟବାଣୀ କରିଛନ୍ତି ଯେ ବିଦ୍ୟୁତ ସଙ୍କଟ ବଢିବ ଓ ଏହା ଜନ ଅସନ୍ତୋଷ ସୃଷ୍ଟି କରିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ କାରଣରୁ ଅନେକ କ୍ଷେତ୍ରରେ ବିଫଳତାକୁ ସାମ୍ନା କରିବାକୁ ପଡିବ ଓ ସରକାର ସମାଲୋଚିତ ହୋଇପାରନ୍ତି।

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା
ବିରୋଧୀଙ୍କ ଚକ୍ରାନ୍ତରେ ରାଜ୍ୟ ସରକାର ଅସ୍ଥିର ହେବେ
ଆଭ୍ୟନ୍ତରୀଣ କ୍ଷମତା କନ୍ଦଳର ସମ୍ମୁଖୀନ ହେବ କେନ୍ଦ୍ର

ଭାରତ ସଂପର୍କରେ ପଞ୍ଜିକାରେ କରାଯାଇଥିବା ଗଣନା ସୂଚାଉଛି ଯେ ଏବର୍ଷଟି ମଧ୍ୟମ ଫଳ ଦେବ। ସରକାର ଦୃଢ ରହିବ କିନ୍ତୁ ଆଭ୍ୟନ୍ତରୀଣ କ୍ଷମତା କନ୍ଦଳ ଉପୁଜିବାର ସମ୍ଭାବନା ରହିଛି। ସର୍ବଭାରତୀୟ ଯୋଜନାକୁ ରାଜ୍ୟମାନେ ବିରୋଧ କରିବେ। ଅର୍ଥନୀତି କ୍ଷେତ୍ରରେ ଉତ୍‌ଥାନ ପତନ ଲାଗି ରହିବ। ପଡୋଶୀ ପାକିସ୍ତାନ ସହିତ ଶତ୍ରୁତା ବଢିବ। ଜମ୍ମୁକଶ୍ମୀରରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ଆମେରିକା ସହିତ ନୂତନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ ଓ ଅକ୍ଟୋବର ପରେ ବିଶ୍ୱଦରବାରରେ ଭାରତର ସମ୍ମାନ ବୃଦ୍ଧି ହେବ। କେତେକ ରାଜ୍ୟରେ ଅତି ବୃଷ୍ଟି ଓ ଅନ୍ୟ କେତେକ ରାଜ୍ୟରେ ଅନାବୃଷ୍ଟି ଘଟିବା ସମ୍ଭାବନା ଅଧିକ। ଜାତିଗତ ହିଂସାଦ୍ୱାରା ବହୁ ଧନ ଜୀବନ ହାନିର ସୂଚନା ମିଳେ। ସମଗ୍ର ବିଶ୍ୱର ସ୍ଥିତି ଆସନ୍ତାବର୍ଷ କିଭଳି ରହିବ, ଗଣନାକାରୀମାନେ ପଞ୍ଜିକାରେ ସେ ସଂପର୍କରେ ବିସ୍ତତ ଭାବେ ଉଲ୍ଲେଖ କରିଛନ୍ତି। ଗଣନାକାରଙ୍କ କହିବା କଥା ହେଉଛି, ଏବର୍ଷ ଲଗ୍ନାଧିପତି ବୁଧ ସପ୍ତମ ସ୍ଥାନରେ ଶତ୍ରୁ କ୍ଷେତ୍ରରେ ଅବସ୍ଥାନ କରିଛନ୍ତି। ଏ ସମ୍ବତ୍ସରେ ରାଜା ବୃହସ୍ପତି ଓ ମନ୍ତ୍ରୀ ରବିଗ୍ରହ ଯୋଗୁଁ ବିଶ୍ୱରେ ଅନ୍ୟାୟର ବିନାଶ ଓ ନ୍ୟାୟର ଜୟ ହେବ। ଇଂଲଣ୍ଡ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇରାକ୍‌, ସିରିଆ, ପାକିସ୍ତାନ, ଆଫଗାନିସ୍ଥାନ ପ୍ରଭୃତି ଦେଶରେ ଆତଙ୍କବାଦୀ ଧାର୍ମିକ ଉନ୍ମାଦନାରେ ନରସିଂହାର କରିବେ। ଭାରତରେ ମଧ୍ୟ କେତେକସ୍ଥାନରେ ଉଗ୍ରପନ୍ଥୀ ଆକ୍ରମଣର ସମ୍ଭାବନା ରହିଛି। ଉତ୍ତରକୋରିଆ ସହିତ ଆମେରିକାର ମନାନ୍ତର ଘଟି ବଡ଼ ଧରଣର ଯୁଦ୍ଧ ଘଟିବା ସମ୍ଭାବନା ରହିଛି। ଆମେରିକା ସହିତ ଚୀନ ଓ ରୁଷିଆର ପାରମ୍ପରିକ ଶତ୍ରୁତା ବଢିବ। ସେହିଭଳି ଇସ୍ରାଏଲ୍‌ ସହିତ ମୁସଲିମ୍‌ ରାଷ୍ଟ୍ରମାନଙ୍କର ତିକ୍ତତା ବୃଦ୍ଧି ପାଇ ଯୁଦ୍ଧ ପରିସ୍ଥିତି ଉପୁଜିବ। ବିଶ୍ୱର କେତେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିବା ସମ୍ଭାବନା ଅଧିକ। ସେହିପରି ତୈଳ ଉତ୍ପାଦନ ହ୍ରାସ ହେବ ଓ ଦେଶମାନେ କ୍ଷତିଗ୍ରସ୍ତ ହେବେ।

ସମ୍ବନ୍ଧିତ ଖବର