ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି। ସ୍ବାଭାବିକ ଭାବେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ଆଶା କରିବେ। କିନ୍ତୁ ପୁଅର ଚିକିତ୍ସା ପାଇଁ ବାପା-ମା’ ଭିକ ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବ୍ଲକ୍ରେ। ଆଗଲପୁର ବିନ୍ଧାପାଲି ଗ୍ରାମର ଗୋଟିଏ ଗରିବ ଦମ୍ପତି ନିଜ ରୋଗଗ୍ରସ୍ତ ଛୋଟ ଶିଶୁର ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦୁଇ ଥର ଭେଟିବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଉପାୟ ନପାଇ ବୁଲି ବୁଲି ଭିକ୍ଷା ମାଗୁଛନ୍ତି।
ରୋଜ ସାହୁ ଓ ଅନୁରାଧା ସାହୁ ପ୍ରତିଦିନ ସକାଳୁ ସଞ୍ଜ ଯାଏ ଗାଁ ଗାଁ ବୁଲି ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ବିନତି କରୁଛନ୍ତି। ଏବେ ବି ମନ୍ତ୍ରୀଙ୍କୁ ସାକ୍ଷାତ କରି ଗୁହାରି ଜଣାଇବାକୁ ସେମାନେ ବହୁବାର ପ୍ରୟାସ କରିଛନ୍ତି। ମନ୍ତ୍ରୀଙ୍କ ପାଖଲୋକଙ୍କ ଜରିଆରେ ଭେଟିବାକୁ ଉଦ୍ୟମ କରୁଛନ୍ତି। ହେଲେ ବିଫଳ ହୋଇଛନ୍ତି। ପୁଅର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତଟିଏ ବି ଦେଇଛନ୍ତି। କିନ୍ତୁ ଏଯାଏ ସେମାନଙ୍କୁ ସହଯୋଗ ମିଳିନଥିବା କ୍ଷୋଭର ସହ କହିଛନ୍ତି। ଶିଶୁପୁତ୍ରର ଶ୍ବାସନଳୀରେ ସମସ୍ୟା ରହିଛି। ଧାର ଉଧାର କରି ଭେଲୋରରେ ଚିକିତ୍ସା କରାଇଥିଲେ। ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେଉଥିବା କହିଛନ୍ତି। ଏହି ହତଭାଗା ଦମ୍ପତି ଉପରେ ମନ୍ତ୍ରୀଙ୍କ କୃପାଦୃଷ୍ଟି କେବେ ପଡ଼ିବ, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।