ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି।ଫେବ୍ରୁଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ ।  ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ।  ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ଫେବ୍ରୁଆରିରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଯଥାକ୍ରମେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଫେବ୍ରୁଆରି ୧ରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି।

Advertisment

ଏହା ସହ ଅନ୍ତିମକ୍ରିୟା ଏବଂ ବିବାହ ପାଇଁ ଯୋଗଦାତାଙ୍କ ସଂଖ୍ୟାକୁ ରାଜ୍ୟ ସରକାର ୫୦୦କୁ ବୃଦ୍ଧି କରିଛନ୍ତି। ଗତ ମାସରେ ଏହା ୧୦୦ରେ ସୀମିତ ଥିଲା। ଏବେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ତେବେ ବନ୍ଦ କୋଠରୀ ମଧ୍ୟରେ ୫୦ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିବା ସହ ସମସ୍ତ କରୋନା କଟକଣା ପାଳନ କରିବାକୁ ସରକାର କହିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ / ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବେ। ଅବରୋଧ ଅଞ୍ଚଳର ସୀମା ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବା ସହ ଖୋଲା ସ୍ଥାନରେ ସମସ୍ତଙ୍କୁ ସାମଜିକ ଦୂରତା ମାନିବାକୁ କୁହାଯାଇଛି।

The Future Of Education Post The Corona Pandemic -Raghav Chandra - BW Businessworld BW Businessworld

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିଯାଇଛି । ପୂର୍ବରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ବୋଲି ଘୋଷଣା ହୋଇଥିବା‌ ବେଳେ ଜାନୁଆରିରେ ମଧ୍ୟ ସ୍କୁଲ ଖୋଲିନଥିଲା। ହେଲେ ଫେବ୍ରୁଆରି ମାସ ପାଇଁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଗାଇଡ଼ଲାଇନ‌ରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ।

ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ। କଲେଜଗୁଡ଼ିକ ଜାନୁଆରି ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଏହାର ଅବଧିକୁ ଆହୁରି ବଢ଼ାଯିବ କି ନାହିଁ, ସେ ନେଇ ବିଭାଗ ନିଷ୍ପତ୍ତି ନେବେ। ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ। ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହେବ।

ପୂର୍ବରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ସିନେମା ହଲ ଓ ଥିଏଟର ଚାଲୁ ରହିବ । କୋଭିଡ କଟକଣାକୁ କଡ଼ାକଡି ଭାବେ ଲାଗୁ କରି ମୁକ୍ତାକାଶ ଥିଏଟରଗୁଡିକୁ ଖୋଲିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ (ଜିଲ୍ଲା ମାଜିଷ୍ଟ୍ରେଟ୍ / ମ୍ୟୁନିସିପାଲିଟି କମିସନର କିମ୍ବା ସେମାନଙ୍କ ଦ୍ବାରା ଅନୁମୋଦିତ ଅଧିକାରୀ) ଅନୁମତି ଦେଇପାରିବେ। ସୁଇମିଂ ପୁଲ ଖୋଲିବା ଏବଂ ଏହାର ବ୍ୟବହାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ହେବ। ଅନ୍ତଃ-ରାଜ୍ୟ ଏବଂ ଆନ୍ତଃ-ରାଜ୍ୟ ଯାତାୟତ ଉପରୁ କଟକଣା ହଟାଯାଇଛି। ୬୫ ବର୍ଷରୁ ଅଧିକ, ଗର୍ଭବତୀ, ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।