ଭୁବନେଶ୍ବର: ଜାନୁଆରି ୩୦ରେ ବିଜେପିର ସହନିର୍ବାଚନ ଅଧିକାରୀ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଥିଲେ, ଫେବ୍ରୁଆରି ମାସରେ ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଘୋଷଣା ହେବ। ଏଥିପାଇଁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଚୟନ ନେଇ ନିଯୁକ୍ତ ହୋଇଥିବା ସଞ୍ଜୟ ଜୟସ୍ବାଲ ଖୁବ୍‌ଶୀଘ୍ର ଓଡ଼ିଶା ଆସିବେ। ଓଡ଼ିଶା ବିଜେପିର ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଫେବ୍ରୁଆରି ୨୫ରେ କହିଥିଲେ, ଖୁବ୍‌ଶୀଘ୍ର ରାଜ୍ୟ ସଭାପତି ଚୟନ ସରିବ। ମାର୍ଚ୍ଚ ୧୦ ପୂର୍ବରୁ ନୂଆ ସଭାପତିଙ୍କ ନାମ ଘୋଷଣା ହେବ।

Advertisment

ସେହି ଫେବ୍ରୁଆରି ତୃତୀୟ ସପ୍ତାହରେ ହୋଇଥିବା ଦଳୀୟ ବୈଠକ ପରେ ଓଡ଼ିଶା ବିଜେପିର  ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ସଭାପତି ନିଯୁକ୍ତ ହେବେ। ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ମାର୍ଚ୍ଚ ଶେଷ ସୁଦ୍ଧା ସବୁ ନିଗମ ଓ ବୋର୍ଡର ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଶେଷ ହେବ। ଏଥିପାଇଁ ତାଲିକା ଚୂଡ଼ାନ୍ତ ସରିଛି। ବିଡ଼ମ୍ବନାର ବିଷୟ ଫେବ୍ରୁଆରି ଯାଇ ମାର୍ଚ୍ଚ ସରିଗଲା। କିନ୍ତୁ କୌଣସି ଗୋଟିଏ ବି ନିଯୁକ୍ତି ହେଲାନି। ଦଳର ଶୀର୍ଷ ସ୍ତରର ଏହି ନେତାମାନେ ରାଜ୍ୟ ସଭାପତି, ନିଗମ ଓ ବୋର୍ଡ ସଭାପତି ପାଇଁ ଯେଉଁ କଥା ଗଣମାଧ୍ୟମ‌ ଆଗରେ କହିଥିଲେ ତାହା କେବଳ ଡାହା ମିଛ ଥିଲା ବୋଲି ପ୍ରମାଣିତ ହୋଇଛି। ବିଜେପିର ମନ୍ତ୍ରୀ, ସାଂସଦମାନେ କ୍ୟାମେରା ଆଗରେ ଯାହା କହିଥିଲେ ବାସ୍ତବରେ ତାହା ଦଳର କଥା ଥିଲା ନା ନିଜର ବ୍ୟକ୍ତିଗତ ମତ ଥିଲା ସେନେଇ ପ୍ରଶ୍ନ ଉଠିଲାଣି।

ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବି ପୂରଣ ହୋଇପାରୁନି

ରାଜ୍ୟରେ ବିଜେପି ସରକାର ଆସିବା ପରେ ବହୁ ଦିନ ଧରି କ୍ଷମତାରୁ ଦୂରରେ ଥିବା ଲକ୍ଷ ଲକ୍ଷ କର୍ମୀ, ନେତା ଏବେ ପଦପଦବି ପାଇବା ଆଶାରେ ଅଛନ୍ତି। କିନ୍ତୁ କ୍ଷମତାରେ ଥିବା ନେତାମାନେ ସେମାନଙ୍କ ଥଇଥାନ ପାଇଁ ଏ‌ମିତି ଦିନ ପରେ ଦିନ ଗଡ଼େଇ ଚାଲିଛନ୍ତି ଯେ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳରେ ବିଧାୟକ ଓ ସଂଗଠନ ଦାୟିତ୍ବରେ ଥିବା ନେତାଙ୍କ କଥା ମନ୍ତ୍ରୀମାନେ ଶୁଣୁନଥିବା ନେଇ ଅଭିଯୋଗ ହେଉଥିଲା। ଏବେ କର୍ମୀ କହିଲେଣି ଆମ ମନ୍ତ୍ରୀ, ସାଂସଦ କି ଶୀର୍ଷସ୍ତରର ନେତା କିଛି ଜାଣିନାହାନ୍ତି, କେବଳ ଆମକୁ ଭଣ୍ଡାଇବା ପାଇଁ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ ଏମିତି କହୁଛନ୍ତି। ସବୁ ଦିଲ୍ଲୀରେ ଚୂଡ଼ାନ୍ତ ହେବ ତାହା ନକହି କାହିଁକି ନିଜେ ନିଷ୍ପତ୍ତି ନେବା ଭଳି ଦିନେ ଦୁଇ ଦିନରେ ହୋଇଯିବ, ଏଇ ମାସ ଶେଷ ସୁଦ୍ଧା ହୋଇଯିବ ବୋଲି କହୁଛନ୍ତି ତାହା ଜଣାପଡ଼ୁନି।

ଅପରପକ୍ଷେ ବିଜେପିର ନୂଆ ସଭାପତି ଚୟନ ହୋଇପାରୁ ନଥିବାରୁ ଦଳର ସାଙ୍ଗଠନିକ କାର୍ଯ୍ୟ ବି ଠିକ୍ ଭାବେ ଆଗେଇ ପାରୁନି। ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ସବୁ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଘୋଷଣା ହୋଇନଥିଲେ ବି ଏହାକୁ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯାଉନି। ଏପରିକି ହତାଶ ନେତା ଓ କର୍ମୀ ରାଜ୍ୟ କାର୍ଯ୍ୟାଳୟକୁ ଆସୁନାହାନ୍ତି। ସୂଚନାଯୋଗ୍ୟ ଯେ, ଜାନୁଆରି ୫ ସୁଦ୍ଧା ବିଜେପିର ସମସ୍ତ ମଣ୍ଡଳ ସଭାପତି, ଜାନୁଆରି ୧୦ ସୁଦ୍ଧା ଜିଲ୍ଲା ସଭାପତି ଓ ଜାନୁଆରି ୧୫ ସୁଦ୍ଧା ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଆମ ରାଜ୍ୟରେ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ନିଯୁକ୍ତି ସରିବା ଦୂରର କଥା, ଏହାର ଅଢ଼େଇ ମାସ ପରେ ବି ମଣ୍ଡଳ, ଜିଲ୍ଲା ସଭାପତି ନିଯୁକ୍ତି ସରିଲାନି। ରାଜ୍ୟ ସଭାପତି ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବାରୁ ମନମୋହନ ପୁଣି ସଭାପତି ହେବେ କି ନୂଆ ମୁହଁ ଓଡ଼ିଶା ବିଜେପିର ନେତୃତ୍ବ ନେବେ ତାହା ସ୍ଥିର ହୋଇପାରୁନି।