ନବୀନ ନିବାସରେ ନବୀନ-କେସିଆର ଭେଟ : ଏକାଠି ହେବେ ଆଞ୍ଚଳିକ ଦଳ

ସମଭାବାପନ୍ନ ଦଳ ହାତ ମିଳାଇବେ, ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଓ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଓଡ଼ିଶା ଗସ୍ତରେ ଆସିବାର ଦିନକ ପୂର୍ବରୁ ଆଜି ନବୀନ ନିବାସରେ ଦୁଇ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡି ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍) ହାତ ମିଳାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଏହି ଭେଟ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଭଳି। ଉଭୟ ନେତା ଗଣମାଧ୍ୟମ ସାମ୍ନାରେ ଖୋଲାେଖାଲି ସ୍ବୀକାର କରିଛନ୍ତି ଯେ ଜାତୀୟ ରାଜନୀତି ସଂପର୍କରେ ଆଲୋଚନା ହୋଇଛି। ଲୋକେ ଜାତୀୟସ୍ତରରେ ବଡ଼ ପରିବର୍ତନ ଚାହୁଁଛନ୍ତି। ସେଥିରେ ଆଞ୍ଚଳିକ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ, ସେ ସଂକ୍ରାନ୍ତ ଠୋସ୍ ରୂପରେଖ ପ୍ରସ୍ତୁତ ହୋଇନାହିଁ। ଅଧିକ ନେତାଙ୍କ ସହିତ ଆଲୋଚନା ହେବ ଓ କଥାବାର୍ତା ଆଗକୁ ବଢିବ।

ଉଭୟଙ୍କର ଏଭଳି ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଯାଉଛି ଯେ ଜାତୀୟସ୍ତରରେ ଆଞ୍ଚଳିକ ଦଳମାେନ ଆସନ୍ତାଦିନରେ ଏକ ବଡ଼ଧରଣର ମୂଲଚାଲ ଚକ୍କରରେ ଅଛନ୍ତି।

ଆଜି ଅପରାହ୍ନରେ ଶ୍ରୀ ରାଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲତୋଡ଼ା ଦେଇ ନବୀନ ନିବାସକୁ ସ୍ବାଗତ କରିଥିଲେ। ଯଦିଓ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି ପୂର୍ବରୁ ବିେଜଡି ଅଭିହିତ କରିଥିଲା, କିନ୍ତୁ ଦୀର୍ଘ ୩୫ମିନିଟ୍ ଧରି ଉଭୟ ଆଲୋଚନା କରିଥିଲେ। ପରେ ସାଂସଦ ପିନାକୀ ମିଶ୍ର ଶେଷ ପାଞ୍ଚ ମିନିଟ ପାଇଁ ଆଲୋଚନାରେ ଯୋଗ ଦେଇଥିଲେ। ପରେ ଉଭୟ ସାମ୍ବାଦିକମାନଙ୍କୁ ଚମକାଇ ଦେବା ଭଳି ତଥ୍ୟ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଆମେ ବିଭିନ୍ନ ବିଷୟରେ ଆଲୋଚନା କରିଛୁ। ସଂସଦ ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ, ପୋଲାଭରମ, ଚାଷୀ ନୀତି ଓ ଜାତୀୟ ସ୍ବାର୍ଥ ଉପରେ ଚର୍ଚ୍ଚା େହାଇଛି। କିପରି ଭାବରେ ସମଭାବାପନ୍ନ ଦଳ ମଧ୍ୟରେ ଏକତା ତଥା ବନ୍ଧୁତା ବଢିବ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି। ତେବେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ କୌଣସି ଚିନ୍ତା କରାଯାଇନାହିଁ। ଅପେକ୍ଷା କରନ୍ତୁ ଆଗକୁ କଣ ହେଉଛି। ବିଜେପି ଓ କଂଗ୍ରେସ ଭିତରୁ ମୁଖ୍ୟ ବିରୋଧୀ କିଏ ସେ ସଂପର୍କରେ ଗଣମାଧ୍ୟମ ପ୍ରଶ୍ନର ନବୀନ କୌଣସି ମନ୍ତବ୍ୟ ନଦେଇ କେସିଆର ଉତ୍ତର ଦେବେ ବୋଲି କହି ଟାଳିଯାଇଥିଲେ। ସେହିପରି କିଏ କାହାର ବି ଟିମ, ସେ ବିଷୟରେ ଶୁଣିବା ପାଇଁ ସେ ଚହାନ୍ତି ନାହିଁ ବୋଲି କହିଥିଲେ। ହେଲେ ପ୍ରଥମଥର ପାଇଁ ସମଭାବାପନ୍ନ ଦଳ ସହିତ ଆଲୋଚନା ସଂପର୍କରେ ନବୀନଙ୍କ ମନ୍ତବ୍ୟ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତି ପାଇଁ ବଡ଼ ସଙ୍କେତ ବୋଲି ବିଚାର କରାଯାଉଛି।

ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ, ଚାଷୀମାନଙ୍କ ପାଇଁ ନବୀନ ଦାଦା ନେଇଥିବା ପଦକ୍ଷେପ ନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛି। ନବୀନ ଦେଶର ଜଣେ ବରିଷ୍ଠ ମୁଖ୍ୟମନ୍ତ୍ରୀ ଓ ଉତ୍ତୁଙ୍ଗ ବ୍ୟକ୍ତି। ଓଡିଶାର ବିକାଶ ପାଇଁ ସେ ବହୁ ପଦକ୍ଷେପ ନେଇଛନ୍ତି। ଅନ୍ୟମାନଙ୍କ ପାଇଁ ସେ ରୋଲ୍ ମଡେଲ ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ। ଜାତୀୟସ୍ତରରେ ସମସ୍ତେ ଜାଣନ୍ତି େଯ ନବୀନ ଜଣେ ନିଃସ୍ୱାର୍ଥପର ନେତା। ବିଜୁ ବାବୁଙ୍କର ସେ ଜଣେ ସୁଯୋଗ୍ୟ ସନ୍ତାନ ଓ ତାଙ୍କ ପାଇଁ ଆମେ ଗର୍ବିତ। ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନିମନ୍ତେ ନବୀନ ବାବୁ ଯେଉଁ ପଦକ୍ଷେପ ନେଇଛନ୍ତି ସେ ସଂପର୍କିତ ଚିଠି ମୁଁ ପାଇଛି। ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ ପାଇଁ ପଦକ୍ଷେପ ନେଇଛନ୍ତି । ମୁଁ ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରୁଛି।

ଉଭୟଙ୍କ ଆଲୋଚନା ସଂପର୍କରେ ସୂଚନା ଦେଇ ଶ୍ରୀ ରାଓ କହିଥିଲେ, ଏଥିରେ କୌଣସି ଦୁଇମତ ନାହିଁ କି ଏପଟସେପଟ କଥା ନାହିଁ। ଦେଶକୁ ଆଗାମୀ ଦିନରେ ବଡ ପରିବର୍ତ୍ତନ ଦରକାର। ଏଥିପାଇଁ ଆଲୋଚନା ଆରମ୍ଭ ହୋଇଛି। ଆମେ ଉଦ୍ୟମ ଚଳାଇଛୁ। ବର୍ତ୍ତମାନ ସୁଦ୍ଧା ଏହା କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନେଇ ନାହିଁ। ଖୁବ୍‌ଶୀଘ୍ର ଏହା ଉପରେ େଠାସ୍ ନିଷ୍ପତ୍ତି ନିଆଯିବ। ଏଥିରେ ବିଜେଡି ସାମିଲ ଅଛି ଓ ଆମେ ଉଭୟ ଏଇଠି ଉପସ୍ଥିତ ଅଛୁ, ଏକଥା ତା’ର ପ୍ରମାଣ। ଏବେ ଏବେ ଆଲୋଚନା ଆରମ୍ଭ େହାଇଛି ଓ ପୁଣି ଖୁବ୍‌ଶୀଘ୍ର ଭେଟି ଆଲୋଚନା କରିବୁ। ଦେଶର ଆହୁରି ଅଧିକ ନେତାଙ୍କ ସହ ମଧ୍ୟ ଆଲୋଚନା କରିବାର ଅଛି। ବର୍ତ୍ତମାନ ଆଂଚଳିକ ଦଳଗୁଡିକ ଏକାଠି ହେବା ଜରୁରୀ ଆବଶ୍ୟକ ହୋଇପଡିଛି। ଆମର ଦୃଢ଼ ଧାରଣା, କଂଗ୍ରେସ ଓ ବିଜେପିର ବିକଳ୍ପ ପ୍ରସ୍ତୁତ କରିବୁ। ଖୁବ୍‌ଶୀଘ୍ର କିଛି ଗୋଟେ ହେବାକୁ ଯାଉଛି। ଏ ବିଷୟରେ ଆମେ ଅବଗତ କରାଇବୁ ।

ଶ୍ରୀ ରାଓଙ୍କ ଶେଷ ଧାଡି ଅନେକ ସଙ୍କେତ ଦେଉଛି। ତେବେ ଏହା କିଭଳି ମୋଡ଼ ନେବ, ତାହା ବର୍ତମାନ ଠାରୁ ଆକଳନ କରିବା ମୁସ୍କିଲ। ଏମିତିରେ ବି ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଅଖିଳେଶ ଯାଦବ, ସୁଶ୍ରୀ ମାୟାବତୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିପାରନ୍ତି।

ଶ୍ରୀ ରାଓ ଆଜି ସପରିବାର ଭୁବନେଶ୍ୱର ଆସିଛନ୍ତି ଓ ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ସେ ପଶ୍ଚିମବଙ୍ଗ ଏବଂ ପରେ ଦିଲ୍ଲୀ ଗସ୍ତରେ ଯିବେ।

ସମ୍ବନ୍ଧିତ ଖବର