ନିଜ ପାଇଁ ନୁହେଁ, ସମୂହ ପାଇଁ ଚିନ୍ତା କର: ସୌମ୍ୟରଞ୍ଜନ

ରେଳ, ମୋଟର ଡାକ ସେବା କର୍ମଚାରୀ ସଂଘର ସର୍ବଭାରତୀୟ ସମ୍ମିଳନୀ

ପୁରୀ : ସର୍ବଦା ନିଜ ପାଇଁ ନୁହେଁ, ବରଂ ସମୂହ ପାଇଁ ଚିନ୍ତା କରିବା ଉଚିତ। ଫଳରେ ନିଜ ସମେତ ସାରା ଦେଶର ଉନ୍ନତି ହୋଇପାରିବ ବୋଲି ଆଜି ଏଠାରେ ଆୟୋଜିତ ରେଳ ଓ ମୋଟର ଡାକ ସେବା ଗ୍ରୁପ୍‌-ଡି କର୍ମଚାରୀ ସଂଘର ୨୧ତମ ସର୍ବଭାରତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ ଯେ ଏବେ ଇଣ୍ଟରନେଟ୍‌ର ଦୁନିଆଁ ହେଲାଣି; ମାତ୍ର ପୂର୍ବରୁ ଡାକ ବିଭାଗ ହିଁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲା। ସେକାଳର ଡାକ ପିଅନଟିଏ ଆମମାନଙ୍କର ଘନିଷ୍ଠ ବନ୍ଧୁ ଥିଲେ। ଆମ ପାଖ ପଡ଼ିଶାରେ ରହୁଥିବା ଲୋକମାନଙ୍କର ପରିଚୟ ହୁଏତ ଆମକୁ ଜଣାନଥିବ, ମାତ୍ର ଆମ ଗାଁ ଡାକ ପିଅନଙ୍କୁ ନିଶ୍ଚିତ ଭାବେ ଜଣାଥିବ। ସେ ସମୟରେ ଖରା,ବର୍ଷା,ଶୀତକୁ ଖାତିର ନକରି ଡାକ ପିଅନଟିଏ ଆମ ଘର ଦୁଆରେ ପହଞ୍ଚି ଆମମାନଙ୍କୁ ଚିଠିଟିଏ ପହଞ୍ଚାଇ ଦେଇଥାଏ। ଚିଠିକୁ ନେଇ ସେତେବେଳେ ଅନେକ କବି କବିତା ରଚନା କରିଛନ୍ତି। ପ୍ରସିଦ୍ଧ ଗଜଲ ଗାୟକ ପଙ୍କଜ ଉଦାସଙ୍କ ‘ଚିଠି ଆଇ ହୈ’ର ଗୀତ ଭଳି ଅନେକ ଫିଲ୍ମରେ ଚିଠିକୁ ନେଇ ବହୁ ଲୋକପ୍ରିୟ ଗୀତ ପ୍ରସ୍ତୁତ କରାଯାଇଛି। ମାତ୍ର ଏବେ ସେ ଦିନ ଆଉ ନାହିଁ। ଏବେ ଇମେଲ, ହ୍ଵାଟସ୍‌ଆପ୍‌ ଆଦିର ଦୁନିଆଁ ହେଲାଣି। ପୂର୍ବ ଦିନର ଡାକ ପିଅନ ଆଉ ଆବଶ୍ୟକ ପଡ଼ୁନାହିଁ। ଏହାର ମାନେ ନୁହେଁ ଯେ ବରିଷ୍ଠ ହୋଇଯିବା ପରେ ସେମାନଙ୍କୁ ଉପାଡ଼ି ଫିଙ୍ଗି ଦେବା। ଆମମାନଙ୍କୁ ମନେ ରଖିବାକୁ ହେବ ଯେ ଆମ ଡାକ ବିଭାଗ ହିଁ ଆମର ମୂଳ ପରିଚୟ। ତେଣୁ ବିଭାଗର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେବଳ ନିଜ ପାଇଁ ଚିନ୍ତା କରିବା ଛାଡ଼ି ସର୍ବଦା ସମୂହର ସ୍ୱାର୍ଥ ପାଇଁ ଚିନ୍ତା କରିବା ଉଚିତ। ଫଳରେ ନିଜ ସମେତ ରାଷ୍ଟ୍ରର ଉନ୍ନତି ସାଧିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୁରୀ ରୁମାନି ହୋଟେଲ ପରିସରରେ ଅନୁଷ୍ଠିତ ଏହି ତିନିଦିନିଆ ସର୍ବଭାରତୀୟ ସମ୍ମିଳନୀକୁ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ସଭାପତି ନରସିଂହ ମିଶ୍ର ଉଦ୍ଘାଟନ କରି କହିଲେ ଯେ ଏବେ ଦେଶରେ ଦେଖାଦେଇଥିବା ଆର୍ଥିକ ସଂକଟର ମୁଖ୍ୟ କାରଣ ହେଉଛି ବିମୁଦ୍ରାକରଣ ଏବଂ ଜିଏସଟି ବ୍ୟବସ୍ଥା। ଏହି ଦୁଇଟି ବ୍ୟବସ୍ଥା ହିଁ ଦେଶକୁ ଆଗକୁ ଯିବାକୁ ଦେଉନାହିଁ। କଳାଧନ ମିଳିଯିବ ବୋଲି କେନ୍ଦ୍ର ସରକାର ନାରା ଲଗାଉଥିବା ବେଳେ କଳାଧନ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ବିମୁଦ୍ରାକରଣ ସମୟରେ କଳାଧନଗୁଡ଼ିକ ବ୍ୟାଙ୍କରେ ବଦଳାଇ ଧଳାରେ ପରିଣତ କରି ଦେଇସାରିଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗୁଁ ସନ୍ତ୍ରାସବାଦ ସଂଗଠନ ଶକ୍ତିଶାଳୀ ହେଉଛି। ଏହାଦ୍ୱାରା ଦେଶର ଅଧୋଗତି ହେଉଛି ବୋଲି ସେ କହିଥିଲେ।

ସଂଗଠନର ସଭାପତି ସୁବ୍ରତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କାମିଲା ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଡି. ତ୍ୟାଗରାଜନ ଉଦ୍ଘାଟନୀ ଅଭିଭାଷଣରେ କହିଥିଲେ ଯେ ଡାକ ବିଭାଗ ଗତ ତିନି ବର୍ଷ ମଧ୍ୟରେ ଚାରିଗୁଣା ବ୍ୟବସାୟ ଦେଇଥିବା ବେଳେ ଅଧିକାରୀମାନେ କହୁଛନ୍ତି ବିଭାଗ କ୍ଷତିରେ ଚାଲିଛି। ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଯୋଗୁଁ ଦେଶ ରାଜସ୍ୱ ହରାଉଛି। ଅଧିକାରୀଙ୍କ ମତରେ ଡାକ ବିଭାଗ କ୍ଷତିରେ ଚାଲୁଥିବା ବେଳେ ବାର୍ଷିକ ହିସାବ କହୁଛି ବ୍ୟବସାୟ ଭଲରେ ଚାଲିଛି। ଏଥିରେ କାହାର କଥାକୁ କର୍ମଚାରୀମାନେ ବିଶ୍ୱାସକୁ ନେବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ନଗରପାଳ ଜୟନ୍ତ ଷଡ଼ଙ୍ଗୀ, ଟି.ଏନ୍‍. ରାହାତେ, ପି.ୟୁ. ମୁରଲୀଧରନ, ପିଡି ବାସିକର, ଶ୍ରୀଭା ଦାସ ଓ ବାସୁଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଭ୍ୟର୍ଥନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର