ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଫି’ ବଢ଼ିଲା

ଏମ୍‌ବିବିଏସ୍‌ରେ ସର୍ବାଧିକ ୧ଲକ୍ଷ ୨୫ହଜାର ଟଙ୍କା ବଢ଼ିଲା, ପିଜିଡିଏମ୍‌ ଓ ଏମ୍‌ଏଏମ୍‌ ପାଠ୍ୟକ୍ରମ ଫି’ ବଢ଼ିଲାନି

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଭିନ୍ନ ଘରୋଇ କଲେଜର ଏମ୍‌ବିବିଏସ୍‌, ବିଡିଏସ୍‌, ଇଞ୍ଜିନିୟରିଂ, ଆୟୁର୍ବେଦିକ, ଏମ୍‌.ଟେକ୍‌, ବି.ଆର୍କ, ଏମ୍‌.ଆର୍କ, ଏମ୍‌ବିଏମ, ଏମ୍‌ସିଏ ଆଦି ପାଠ୍ୟକ୍ରମର କୋର୍ସ ଫି’ ବୃଦ୍ଧି ପାଇଛି। ଓଡ଼ିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍ସ (ରେଗୁଲେସନ୍‌ ଅଫ୍‌ ଅଫ୍‌ ଆଡମିସନ୍‌ ଆଣ୍ଡ ଫିକ୍ସେସନ୍‌ ଅଫ୍‌ ଫି’) ଆକ୍ଟ ୨୦୦୭ର ଧାରା ୬ର ଉପଧାରା ୭ ଅନୁଯାୟୀ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଫି’ ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି।

ଏଥିରେ ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ରାଉରକେଲାର ଏମ୍‌ବିବିଏସ୍‌ ପାଠ୍ୟକ୍ରମର ବାର୍ଷିକ ଫି’ ସର୍ବାଧିକ ୧ଲକ୍ଷ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଠାରେ ଏବେ ୪ଲକ୍ଷ ୨୫ହଜାର ଟଙ୍କା ନିଆଯାଉଥିବାବେଳେ ଏହାକୁ ୫ଲକ୍ଷ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଡିଏସ୍‌ ପାଠ୍ୟକ୍ରମ ଫି’ ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱରର ଫି’ ୫ଲକ୍ଷ ୫୦ହଜାର ଟଙ୍କାରୁ ୬ଲକ୍ଷ ୫୦ହଜାର ଟଙ୍କାକୁ ବଢ଼ାଯାଇଛି। ଡେଣ୍ଟାଲ ଫି’ ଅଢେଇ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ଲିନିକାଲ ପିଜି ପାଠ୍ୟକ୍ରମ ଫି’ ୭ଲକ୍ଷ ୧୫ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ପିଜି ପାଠ୍ୟକ୍ରମ ଫି’ ଅପରିବର୍ତ୍ତିତ ରହିଛି।

ବିଭିନ୍ନ କଲେଜରେ ବି.ଫାର୍ମ ଫି’ ୭ହଜାର ୫୦୦ଟଙ୍କାରୁ ୯ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଏମ୍‌.ଫାର୍ମ ଫି’ ବଢ଼ିନାହିଁ। ସେହିପରି ବିଭିନ୍ନ କଲେଜରେ ଚଳିତବର୍ଷ ବି.ଟେକ୍‌ ଫି’ ଦୁଇ ହଜାରରୁ ଆରମ୍ଭ କରି ୩୦ହଜାର ପର୍ଯ୍ୟନ୍ତ ବଢ଼ିଛି। ବହୁ କଲେଜର ଫି’ ବଢ଼ିନଥିବାବେଳେ ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ ଫି’ ୮୯ହଜାର ଟଙ୍କାରୁ ଏକ ଲକ୍ଷ ୧୪ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ନାକ୍‌ ମାନ୍ୟତା ପାଇଁ ଅତିରିକ୍ତ ଫି’ ୫ହଜାର ଟଙ୍କା ମିଶିକି ଅଛି। ଏଠାରେ ଏମ୍‌ଟେକ୍‌ ଫି’ ୯୭ହଜାରରୁ ୧ଲକ୍ଷ ୨୫ହଜାର ଟଙ୍କାକୁ ବଢ଼ିଛି। ଜିଇସିର ବିଟେକ୍‌ ଫି’ ୭୬ହଜାରରୁ ଏକ ଲକ୍ଷ ୧୦ହଜାର ଟଙ୍କାକୁ, ଜିଆଇଏଫ୍‌ଟି ଫି’ ୬୯ହଜାରରୁ ୮୫ହଜାରକୁ ବୃଦ୍ଧି ପାଇଛି। ଏହି ଦୁଇଟି କଲେଜର ଏମ୍‌,ଟେକ୍‌ ଫି’ ବୃଦ୍ଧି ପାଇଁ ଯଥାକ୍ରମେ ୧ଲକ୍ଷ ୧୦ହଜାର ଓ ୯୩ହଜାର ଟଙ୍କା ହୋଇଛି। କୃପାଜଳ ଇଞ୍ଜିନିୟରିଂ କଲେଜର ବି.ଟେକ୍‌ ଫି ୭୭ହଜାରରୁ ୭୨ହଜାରକୁ ଓ ଏମ୍‌.ଟେକ୍‌ ଫି’ ୮୫ହଜାରରୁ ୭୯ହଜାରକୁ କମିଛି। କୋଣାର୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବି.ଟେକ୍‌ ଫି’ ୭୩ହଜାରରୁ ୬୮ହଜାରକୁ ଏବଂ ଏମ୍‌.ଟେକ୍‌ ଫି’ ୭୯ହଜାରରୁ ୭୫ହଜାର ଟଙ୍କାକୁ କମିଛି। ନାକ୍‌ ମାନ୍ୟତା ପାଇଁ ନେଉଥିବା ଅତିରିକ୍ତ ଫି’ ୫ହଜାର ଟଙ୍କାକୁ କମାଇ ଦିଆଯାଇଛି। ସିଲିକନ୍‌ କଲେଜର ବିଟେକ୍‌ ଫି’ ୭୬ହଜାରରୁ ୯୭ହଜାରକୁ ଏବଂ ଏମ୍‌.ଟେକ୍‌ ଫି ୮୩ହଜାରରୁ ୧ଲକ୍ଷ ୬ହଜାର ଟଙ୍କାକୁ ବଢ଼ିଛି। ଏମ୍‌ବିଏ କଲେଜରେ ଫି’ ୯ହଜାରରୁ ୨୭ହଜାର ପର୍ଯ୍ୟନ୍ତ ବଢ଼ିଛି। ସିଭି ରମଣ କଲେଜରେ ସର୍ବାଧିକ ୨୭ହଜାର ଟଙ୍କା ବଢ଼ିଛି। ୯୭ହଜାରରୁ ୧ଏକ୍ଷ ୨୪ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଏମ୍‌ସିଏ ପାଠ୍ୟକ୍ରମ ଫି’ ଗିତାରେ ୭୮ହଜାରରୁ ୧ଲକ୍ଷ ୬ହଜାର ଟଙ୍କାକୁ ବଢ଼ିଥିବାବେଳେ କେତେକ କଲେଜରେ ୮ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବଢ଼ିଛି। ବହୁ କଲେଜରେ ଫି’ ବଢ଼ିନି। ଆର୍କିଟେକଚର୍‌ ପାଠ୍ୟକ୍ରମରେ ପିଲୁମୋଦିରେ ବି.ଆର୍କରେ ୬୭ହଜାରରୁ ୮୧ହଜାରକୁ ଏବଂ ଏମ୍‌ଆର୍କ ଫି’ ୭୪ହଜାରରୁ ୮୯ହଜାରକୁ ବଢ଼ିଛି। ଏସ୍‌ଜିଆଇ ସ୍କୁଲ ଅଫ୍‌ ଆର୍କିଟେକଚର୍‌ ଫି’ ୫୫ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ପିଜିଡିଏମ୍‌ ଓ ଏମ୍‌ଏଏମ୍‌ ପାଠ୍ୟକ୍ରମ ଫି’ ବଢ଼ିନାହିଁ। ବିଭିନ୍ନ କଲେଜର ପାଠ୍ୟକ୍ରମ ଫି’ ୨୦୧୨-୧୩, ୨୦୧୩-୧୪ ଏବଂ ୨୦୧୪-୧୫ ଶିକ୍ଷା ବର୍ଷରେ ବଢ଼ିଥିଲା। ଏହାକୁ ନଜରରେ ରଖି ଫି’ ବୃଦ୍ଧି କରାଯାଇଛି।ଏହାସହ ହଷ୍ଟେଲ୍‌ ଫି’, ଗାଡ଼ି ଭଡ଼ା, ପ୍ରି ପ୍ଲେସମେଣ୍ଟ କଷ୍ଟ, ୟୁନିଫର୍ମ ଓ ବ୍ଲେଜର, କସନ୍‌ ମନି ବି ଧାର୍ଯ୍ୟ ହୋଇଛି। ନାକ୍‌-ଏ ମାନ୍ୟତା ପାଇଥିବା କଲେଜଗୁଡ଼ିକ ପାଇଁ ଅତିରିକ୍ତ ୫ହଜାର ଏବଂ ନାକ୍‌-ବି ମାନ୍ୟତା କଲେଜ ପାଇଁ ୪ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଯାହାକୁ ବର୍ଦ୍ଧିତ ଫି’ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସାମିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର