ଅନୁଭବ କାଙ୍ଗାଳ ସାହିତ୍ୟ ସଂକଟ ଦେଇ ଗତି କରୁଛି: ସୌମ୍ୟ

ରୁଦ୍ରରଂଜନ ଶେଜପଡ଼ାଙ୍କ ଗଳ୍ପ ପୁସ୍ତକ ‘କରୋନା କାହାଣୀ’ ଲୋକାର୍ପିତ

ବାଲେଶ୍ବର: କରୋନା କାଳରେ ଲେଖକଙ୍କୁ ଅନେକ କିଛି ଲେଖିବା ପାଇଁ ସୁଯୋଗ ମିଳିଥିଲା। ଯାହାର ଲାଭ ସେମାନେ ଉଠାଇଛନ୍ତି। ବର୍ତ୍ତମାନ ଅନୁଭବ କାଙ୍ଗାଳ ସାହିତ୍ୟ ସଂକଟ ଦେଇ ଗତି କରୁଛି। ସାମ୍ବାଦିକ ବନ୍ଧୁମାନେ ଟିକେ କଣେଇ ଦେଖିଲେ ସମାଜରେ ଘଟୁଥିବା ଅନେକ ଅକୁହା କଥା ତାଙ୍କ ନଜରକୁ ଆସିବ। ଯାହା ଖବରରେ ପ୍ରକାଶିତ ହୋଇପାରୁନି, ତାହା ପୁସ୍ତକର ରୂପ ନେବ ଏବଂ ଅନେକଙ୍କ ପାଇଁ ପ୍ରେରଣା ହେବ ବୋଲି ବାଲେଶ୍ବର ‘ସମ୍ବାଦ ଭବନ’ରେ ଯୁବ ସାମ୍ବାଦିକ ତଥା ସାହିତ୍ୟିକ ରୁଦ୍ରରଂଜନ ଶେଜପଡ଼ାଙ୍କ ଦ୍ବିତୀୟ ଗଳ୍ପ ସଂକଳନ ‘କରୋନା କାହାଣୀ’ ଉନ୍ମୋଚନ କରି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ’ ଗ୍ରୁପ୍‌ର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ।

‘ସମ୍ବାଦ’ ବାଲେଶ୍ବର ସଂସ୍କରଣର ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ରଙ୍କ ସଂଯୋଜନାରେ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ପୁସ୍ତକଟିକୁ ଲୋକାର୍ପଣ କରିବା ସହ ଆହୁରି କହିଲେ ‌ଯେ ରୁଦ୍ର ବାବୁ ସମ୍ବାଦପତ୍ର ସହ ସଂପୃକ୍ତ ନଥିଲେ କରୋନା ଭଳି ଦୁର୍ଦ୍ଦିନରେ ଗଳ୍ପ ରଚନା ପାଇଁ ଭାବ ପାଇ ନଥାଆନ୍ତେ। ତେଣୁ ‘ସମ୍ବାଦ’ ପ୍ରତି ତାଙ୍କର ଗଳ୍ପମାନେ ସବୁଦିନ ଅନୁରକ୍ତ ରହିବେ ବୋଲି ମୋର ଧାରଣା।

ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ ବାଲେଶ୍ବର ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଗୌତମ ଶଙ୍କର ସ୍ବାଇଁ, ସମାଜସେବୀ ସଂଜୟ କୁମାର ପାତ୍ର ଓ ଇଂ. ବିଜୟ କୁମାର ସେଠୀ ଯୋଗଦେଇ ସମ୍ବାଦପତ୍ର ଓ ସାହିତ୍ୟ ମଧ୍ୟରେ ଥିବା ଭାବଗତ ସଂପର୍କ ବାବଦରେ ଉଲ୍ଲେଖ କରିଥିଲେ। ପରେ ପରେ ‘କରୋନା କହାଣୀ’ର ରଚୟିତା ଶ୍ରୀ ଶେଜପଡ଼ା ତାଙ୍କର ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ, ଯାହାକୁ ପ୍ରକାଶ କରିଛନ୍ତି ଭୁବନେଶ୍ବରସ୍ଥିତ ପ୍ରକାଶନୀ ସଂସ୍ଥର ‘ପେନ୍‌-ଇନ୍‌’। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶେଜପଡ଼ାଙ୍କ ଧର୍ମପତ୍ନୀ କବିତା ବାରିକ ଓ ପୁଅ ଆଦର୍ଶ ଶେଜପଡ଼ାଙ୍କ ସହ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ଓ ‘କନକ ଟିଭି’ ବାଲେଶ୍ବର ବ୍ୟୁରୋର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସୂଚନା ଥାଉକି ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଅନ୍ଧାରୀ ଗ୍ରାମରେ। ସେ ଏବେ ‘ସମ୍ବାଦ’ ବାଲେଶ୍ବର ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର