ଅନୁଭବର କଥା ଦ୍ୱନ୍ଦ୍ୱକୁ ଦୂର କରିପାରେ: ସୌମ୍ୟ

‘ପ୍ରେରଣା’ର ପାଠକାର୍ପଣ ଉତ୍ସବ

ଭୁବନେଶ୍ବର : ସତ କହିବା, ସତ୍‌ପଥରେ ଚାଲିବା ଯେମିତି ଆଜିକାଲିକା ପିଲାଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଯାଇଛି। ସମାଜରେ ଏବେ ମିଛ, ଦ୍ବେଷ, ହିଂସାର ପରିମାଣ ଏତେ ବଢ଼ିଯାଇଛି ଯେ ସତ୍‌ମାର୍ଗକୁ ନେଇ ସେମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଉଛି। ଭଲ, ଖରାପ ଭିତରେ ସେମାନେ ପ୍ରଭେଦ ବାରି ପାରୁନାହାନ୍ତି। ଏହି ଦ୍ବନ୍ଦ୍ବ ପାଇଁ ସେମାନେ ଗୁରୁଜନଙ୍କ ଉପଦେଶକୁ ବି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଭଲ କଥାଟିଏ କହିଲେ, ସେମାନେ ଆମଠୁ ତାହାର ପ୍ରମାଣ ଦାବି କରନ୍ତି। ତେଣୁ ଯୁବପିଢ଼ିଙ୍କୁ ଏହି ଦ୍ବନ୍ଦ୍ବରୁ ମୁକୁଳାଇବା ଆମମାନଙ୍କର ଦାୟିତ୍ବ ହେବା ଉଚିତ। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସୀତାକାନ୍ତ ମହାନ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ସତ୍‌ସଙ୍ଗ’ର ଶ୍ରୀଶ୍ରୀଆଚାର୍ଯ୍ୟ ଦେବଙ୍କ ବାଣୀ-ବକ୍ତବ୍ୟ ଓ ବ୍ୟକ୍ତିତ୍ବ ଆଧାରିତ ପୁସ୍ତକ ‘ପ୍ରେରଣା’ର ପାଠକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ରବିବାର ଦିନ ଏପରି ଆହ୍ବାନ ଦେଇଛନ୍ତି।

ବିଶିଷ୍ଟ ଶିକ୍ଷାବିତ୍‌ ହୃଷୀକେଶ ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ‘ପ୍ରେରଣା’ରୁ ଯୁବପିଢ଼ିଙ୍କୁ ସେ ପ୍ରକାର ଦ୍ବନ୍ଦ୍ବରୁ ମୁକ୍ତି ମିଳିପାରିବ। ‘ପ୍ରେରଣା’ରେ ଆଚାର୍ଯ୍ୟଦେବଙ୍କ କିଛି ବ‌ାଣୀ, ଉପଦେଶ ଓ ଅନୁଭବର କଥା ସହ କିଛି ଗୁରୁଭାଇଙ୍କର ଅଙ୍ଗେନିଭା ଅନୁଭୂତି ସ୍ଥାନ ପାଇଛି। ଅନେକ ସମୟରେ ଅନୁଭବରୁ ବି ଆମେ ପ୍ରେରଣା ପାଇଥାଉ। ସେଇ ଅନୁଭବର କିଛି କଥା ଯୁବପିଢ଼ିଙ୍କ ଦ୍ବନ୍ଦ୍ବ ଦୂର କରିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ମାନିତ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ଅନେକଙ୍କ ଅନୁଭବର ସମଷ୍ଟିର ସୃଷ୍ଟି ‘ପ୍ରେରଣା’। ‘ପ୍ରେରଣା’ ହେଉଛି ଏକ ଉତ୍ସ; ନା ତା’ର ଆଦି ଅଛି ନା ଅନ୍ତ। ଏହା ଅନାଦି ଓ ଅନନ୍ତ। ଯେଉଁମାନେ ପ୍ରେରଣା ବା ସତ୍‌ଚିନ୍ତନର ଉତ୍ସକୁ ଧାରଣ କରି ସମାଜରେ ଆମ ପାଖରେ ପହଞ୍ଚାନ୍ତି; ସେ ହେଉଛନ୍ତି ସଦ୍‌ଗୁରୁ ବା ସଦ୍‌ପୁରୁଷ। ଆଜି ଉନ୍ମୋଚିତ ପୁସ୍ତକ ‘ପ୍ରେରଣା’ରେ ସ୍ଥାନିତ ସଦ୍‌ଗୁରୁଙ୍କ ବାର୍ତ୍ତା ସମାଜର ସତ୍‌ଚିନ୍ତନ ଓ ସଦ୍‌ଭାବନାକୁ ଉନ୍ମୋଚିତ କରୁ।

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ସାଧୁ ହେବା ସହଜ, ସନ୍ନ୍ୟାସ ହେବା କଷ୍ଟ। ପ୍ରତିଟି ମଣିଷ ଭିତରେ ସାଧୁତା ରହିଛି। ଏହାକୁ କେବଳ ଜାଗ୍ରତ କରିବାର ଆବଶ୍ୟକତା ରହିଛି। ସତ୍‌ସଙ୍ଗ ମାଧ୍ୟମରେ ମଣିଷର ସାଧୁପଣ ଅଧିକରୁ ଅଧିକ ଉତ୍ତୋରିତ ହୋଇପାରେ। ମହାଭାରତ ନୀତିସୂଚକ ପ୍ରେରଣାରୁ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଭିତରୁ ଜନ୍ମ ନେଇଥିଲା ଆସ୍ତିସୂଚକ ପ୍ରେରଣା ‘ଶ୍ରୀମଦ୍‌ ଭଗବତ୍‌ ଗୀତା’। ଏଣୁ ପ୍ରେରଣା ନଥିଲେ କୌଣସି କଥା ସଂସାରରେ ଘଟେ ନାହିଁ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଗୋପୀନାଥ ପରିଡ଼ା, ରବୀନ୍ଦ୍ରନାଥ ଆଚାର୍ଯ୍ୟ, ବଂଶୀଧର କର, କୃଷ୍ଣଚନ୍ଦ୍ର ରାୟ ଓ ସିଦ୍ଧାର୍ଥ ରଥଙ୍କୁ ‘ସୀତାକାନ୍ତ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଧୃତିକାମ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ କୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ। ‘ପ୍ରେରଣା’ର ପ୍ରକାଶକ ତଥା ଫାଉଣ୍ଡେସନ୍‌ର ସାଧାରଣ ସମ୍ପାଦିକା ସୁଧା ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର