ଭୁବନେଶ୍ବର : ‌୨୦୧୭ର ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତା ବେଲଜିୟମ୍‌ର ବିଶିଷ୍ଟ ବୈଜ୍ଞାନିକ ଏରିକ୍‌ ଜାକ୍ୟୁମିନ୍‌ଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯିବ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ ଶ୍ରୀ ଜାକ୍ୟୁମିନ୍‌ଙ୍କୁ ସମ୍ବର୍ଦ୍ଧିତ କରିବେ। ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବୈଜ୍ଞାନିକ ଏବିପି ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ଓ ନାଇଜରର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମ୍ୟାନେଜିଂ ଟ୍ରଷ୍ଟି ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗଦେବେ।

Advertisment

ଏନେଇ ଆଜି ହୋଟେଲ ଟ୍ରାଇଡେଣ୍ଟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ୧୯୫୧ ମସିହାରେ ବିଜୁ ପଟ୍ଟନାୟକ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ। ପ୍ରଥମେ କଳିଙ୍ଗ ଓ ପରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ନାମରେ ଏହା ନାମିତ ହୋଇଛି। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଆଗାମୀ ଦିନରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି। ଆଉ ୧୦ଟି ଜିଲ୍ଲାରେ ପାର୍କ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ପଠାଯାଇଛି। ଏଥିସହ ଏବେ ଦୁଇଟି ପ୍ଲାନେଟାରିୟମ୍‌ ରହିଥିବା ବେଳେ ଆଉ ୪ଟି ପ୍ଲାନିଟୋରିୟମ୍‌ ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାରେ ପ୍ରତିଷ୍ଠା କରାଯିବ। ବଲାଙ୍ଗୀର ଓ ରାଉରକେଲାରେ ମଧ୍ୟ ଆଉ ଦୁଇଟି ପ୍ଲାନେଟାରିୟମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ସୁଦ୍ଧା ୨୬ ଦେଶର ୬୯ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଯେଉଁଥିରେ ୭ ଜଣ ନୋବେଲ ପୁରସ୍କାର ବିଜେତା, ୫ ଜଣ ଲେଖାଏ ମହିଳା ଓ ଭାରତୀୟଙ୍କୁ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇସାରିଛି। ଏରିକ୍‌ ଜାକ୍ୟୁମିନ୍‌ ବେଲଜିୟମ୍‌ର ପ୍ରଥମ ବ୍ୟକ୍ତି ଯେ କି ଏହି ପୁରସ୍କାର ହାସଲ କରିଛନ୍ତି। ସେ ଆଜିଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।