+୨ କଳା ଓ ବାଣିଜ୍ୟ ଚାମ୍ପିଅନ୍‌ସଙ୍କୁ ସମ୍ବର୍ଧନା : କଠିନ ପରିଶ୍ରମର ବିକଳ୍ପ ନାହିଁ

ଭୁବନେଶ୍ୱର : +୨ କଳା ଓ ବାଣିଜ୍ୟରେ ଟପ୍‌ ୫୦ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା। ଜୟଦେବ ଭବନରେ ଅନୁଷ୍ଠିତ ଏହି ସମ୍ବର୍ଧନା ଉତ୍ସବରେ ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଛାତ୍ରଛାତ୍ରୀଙ୍କୁ କହିଲେ, ସଫଳତା ପାଇବାର ଏକମାତ୍ର ବାଟ ହେଉଛି କଠିନ ପରିଶ୍ରମ। ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ଲକ୍ଷ୍ୟକୁ ଚିହ୍ନଟ କରିବା ସହିତ ଏଥିପାଇଁ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଜୀବନର ଯେଉଁ ସ୍ତରରେ ରୁହନା କାହିଁକି ନିଜ ଅତ୍ମରାତ୍ମାର କଥା ଶୁଣି ନିଷ୍ପତ୍ତି ନେଲେ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ଶ୍ରୀ ଖୁରାନିଆ କହିଥିଲେ।

ସମ୍ମାନିତ ଅତିଥି ବରିଷ୍ଠ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ କହିଲେ, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ସହିତ ଏହାକୁ ବାସ୍ତବତାରେ ପରିଣତ କରିବା ପାଇଁ ପରିଶ୍ରମ କରିବା ଜରୁରୀ। ଜୀବନରେ ଗର୍ବକୁ ପରିତ୍ୟାଗ କରିବା ସହିତ ମିଛ ନ କହିବା ଓ ନିଜର ଜିହ୍ଵାକୁ ନିୟନ୍ତ୍ରଣରେ ରଖିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରିଥିଲେ। ଏଥିପାଇଁ ଶ୍ରୀ ସାବତ ଓ୍ଵିପ୍ରୋ କମ୍ପାନି ଯେଉଁ ୭ଟି ସିଦ୍ଧାନ୍ତ ଉପରେ କାର୍ଯ୍ୟ କରୁଛି ତାହାର ଉଦାହରଣ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶ ତଥା ରାଜ୍ୟର ଆଗାମୀ ଭବିଷ୍ୟତ। ଆଗାମୀ ଭବିଷ୍ୟତ ସଚ୍ଚୋଟ ନେତୃତ୍ୱ ଚାହୁଁଛି। ତେଣୁ ସମ୍ବର୍ଧିତ ସମସ୍ତ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଏହି ଏହିସବୁ ସିଦ୍ଧାନ୍ତ ଉପରେ କାର୍ଯ୍ୟ କରି ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ।

ଅନ୍ୟତମ ଅତିଥି ଭାରତୀୟ ପ୍ରଶାସନିକ ସେବାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଶୁଭଙ୍କର ମହାପାତ୍ର କହିଲେ, ଜୀବନରେ ସଫଳତା ପାଇବା ଏକମାତ୍ର ଲକ୍ଷ୍ୟ ନୁହେଁ। ଯେଉଁମାନେ ସଫଳତା ପାଉ ନାହାନ୍ତି ସେମାନେ ଏହାକୁ ଏକ ଅଭିଜ୍ଞତା ଭାବେ ଗ୍ରହଣ କରନ୍ତୁ। ଜୀବନରେ ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ସହିତ ଏହାକୁ କିଭଳି ବାସ୍ତବତାରେ ପରିଣତ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଜୀବନରେ ଯେତେ ସଫଳ ହେଲେ ମଧ୍ୟ ବନିୟ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ବାହାରେ ଓଡ଼ିଆଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭାବନାକୁ ପରିବର୍ତନ କରିବାକୁ ପଡ଼ିବ। ସମସ୍ତଙ୍କ ସହଯୋଗରେ ଏହା ଦୂର ହୋଇପାରିବ। ଅନେକ ସମୟରେ ଓଡ଼ିଆଭାବେ ଅନ୍ୟମାନଙ୍କ ତୁଳନାରେ ଆମେ ନିଜକୁ ଛୋଟ ବୋଲି ବିବେଚନା କରିଥାଉ। ତେଣୁ ନିଜକୁ କେବେହେଲେ ଛୋଟ ବୋଲି ମନେ କରିବା ଉଚିତ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ବିନମ୍ରତା ସହିତ ଅହଂକାରକୁ ଦୂରେଇ ରଖିଲେ ଜଣେ ଜୀବନରେ ସଫଳ ହୋଇପାରିବ। ଅହଂକାରର ଏକମାତ୍ର ଔଷଧ ହେଉଛି କୃତଜ୍ଞତା। ପ୍ରଥମେ ନିଜ ବାପା-ମା’ଙ୍କ ପ୍ରତି କୃତଜ୍ଞ ହେବା ସହିତ ନିଜର ଶିକ୍ଷକ ଓ ଅନ୍ୟମାନଙ୍କ ପ୍ରତି କୃତଜ୍ଞ ହେବା ଜରୁରୀ। କଳା କିମ୍ବା ବାଣିଜ୍ୟର ଛାତ୍ରଛାତ୍ରୀ ବୋଲି ନିଜକୁ କେବେ ଛୋଟ ମଣ ନାହିଁ। ଡିଗ୍ରି ସହିତ ଚାକିରିର କୌଣସି ସିଧାସଳଖ ସଂପର୍କ ନାହିଁ। ବୃତ୍ତି ଓ ପ୍ରବୃତ୍ତିରେ ସାମଞ୍ଜସ୍ୟ ରହିବା ଦରକାର। ସଫଳ ହେଉଥିବା ବ୍ୟକ୍ତିମାନେ ଏକାଧିକ ଭାଷା ଉପରେ ନିଜର ନିୟନ୍ତ୍ରଣ ରଖିପାରି ଥାନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାକୁ ଆୟତ୍ତ କରିପାରିଲେ ଜଣେ ସଫଳ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ କଳା ଓ ବାଣିଜ୍ୟର ୧୧୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ‘ସମ୍ବାଦ’ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର