ମହିଳା ପ୍ରାର୍ଥୀଙ୍କୁ ରାସ୍ତାରୁ ଉଠାଇ ନେଲେ

ପୁଅର ଫଟୋ ଦେଖାଇ ଡରାଇଲେ, ପାଣି ପିଇବା ବାହାନାରେ ଖସି ଆସିଲେ

ବ୍ରହ୍ମପୁର : ବୁଧବାର ଦିନ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଥିଲାବେଳେ ବ୍ରହ୍ମପୁରରେ ଏକ ଅପହରଣ ଘଟଣା ସାମ୍‌ନାକୁ ଆସିଛି। କଂଗ୍ରେସର ଜଣେ ମହିଳା ପ୍ରାର୍ଥୀଙ୍କୁ ତାଙ୍କ ପୁଅ ଫଟୋ ଦେଖାଇ ଉଠାଇ ନେଇଥିଲେ। ଏପରିକି, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇ ଆସିଥିଲେ। ପାଣି ପିଇବା ବହାନରେ ସେ ସେମାନଙ୍କ କବଳରୁ ଖସି ଆସିଛନ୍ତି। ତେବେ, କେଉଁମାନେ ଏହି କାର୍ଯ୍ୟ କରିଛନ୍ତି ଏବଂ ଏହାପଛରେ ସେମାନଙ୍କୁ ଉଦ୍ଦେଶ୍ୟ କ’ଣ ତାହା ଜଣାପଡ଼ିନାହିଁ।

ମହିଳା ପ୍ରାର୍ଥୀ ହେଉଛନ୍ତି ସନ୍ତୋଷିନୀ ଦାସ, ଯିଏକି ୨୫ ନମ୍ବର ୱାର୍ଡରୁ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆଜି ପ୍ରାର୍ଥିପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଥିବାରୁ ସେ ବିଜିପୁରସ୍ଥିତ ନିଜ ବାସଭବନରୁ ବାହାରି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ଠିକ୍‌ ଏହି ସମୟରେ କିଛି ବ୍ୟକ୍ତି ଏକ ଚାରିଚକିଆ ଗାଡ଼ିରେ ଆସି ତାଙ୍କ ବାଟ ଓଗାଳିଥିଲେ। ମୋବାଇଲ୍‌ରେ ତାଙ୍କ ପୁଅର ଏକ ଫଟୋ ଦେଖାଇ ଇସାରା କଲେ ଏବଂ ଜୋରଜବଦସ୍ତ ଗାଡ଼ିରେ ବସାଇଲେ। ସନ୍ତୋଷିନୀ ଭୟରେ ଗାଡ଼ିରେ ବସିବା ପରେ ସେମାନେ ‘ ଆମେ ଯାହା କହିବୁ ତାହା କରିବାକୁ ପଡ଼ିବ’ ବୋଲି ଧମକ ଦେଇଥିଲେ। ‘ ଯଦି ନ କରିବ, ତା’ହେଲେ…’ କହି ପୁଣିଥରେ ସନ୍ତୋଷିନୀଙ୍କୁ ତାଙ୍କ ପୁଅର ଫଟୋ ବାହାର କରି ଦେଖାଇଥିଲେ। ଅନ୍ୟ ଉପାୟ ନପାଇ ସନ୍ତୋଷିନୀ ସେମାନଙ୍କ କଥାରେ ରାଜି ହେବାସହିତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଉପସ୍ଥିତ ହେଲେ। ତେବେ, କିଛି ସମୟ ପରେ ପାଣି ପିଇବାକୁ ବାହାନା କରି ସନ୍ତୋଷିନୀ କୌଶଳକ୍ରମେ ଖସି ଆସିଥିଲେ। ସଙ୍ଗେ ସଙ୍ଗେ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଏ ନେଇ ସୂଚନା ଦେଇଥିଲେ।

ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର ଅପରାହ୍‌ଣରେ ସ୍ଥାନୀୟ କ˚ଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଗ˚ଜାମ ଜିଲ୍ଲା ଏସ୍‌.ସି ସେଲ୍‌ ସଭାପତି ଅମିର ଭୂୟାଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କହିଛନ୍ତି , ଶାସକ ଦଳ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ବେଳେ ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି। ଯଦି ଏଥିପ୍ରତି ଗୁରୁତ୍ବ ଦିଆ ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ, ଯେଉଁମାନେ ତାଙ୍କୁ ଧମକ ଦେଇ ସାଙ୍ଗରେ ନେଇଯାଇଥିଲେ ସେମାନଙ୍କୁ ଚିହ୍ନିନଥିବା ସନ୍ତୋଷିନୀ କହିଛନ୍ତି। ସନ୍ତୋଷିନୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ମେୟର ପ୍ରାର୍ଥୀ ମଞ୍ଜୁ ରଥ, ରବି ରଥ ଓ ଜିଲ୍ଲା ସ˚ପାଦକ ଏସ୍‌.ଦଣ୍ତପାଣି ପାତ୍ର ପ୍ରମୁଖ ଏଥି‌ରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର