ବ୍ରହ୍ମପୁର : ବ୍ରହ୍ମପୁର ସହର‌ରେ ପୁଣିଥରେ ଜଣେ ମହିଳା ସାଇବର୍‌ ଠକ ଜାଲରେ ପଡ଼ିଛନ୍ତି। ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକ୍‌ କରିବା ବେଳେ ମହିଳା ଜଣଙ୍କ ୯ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ବ୍ରହ୍ମପୁରର ଜଣେ ମହିଳା ଡାକ୍ତର ତାଙ୍କର ବାପାଙ୍କ ଜନ୍ମଦିନ ପାଇଁ ପୁରୀରେ ଏକ ହୋଟେଲ୍‌ ବୁକ୍‌ କରିବା ପାଇଁ ଅନ୍‌ଲାଇନ୍‌ରେ ଫୋନ୍‌ ନମ୍ବର ଖୋଜିଥିଲେ। ସେ ଗତକାଲି ଗୁଗଲ୍‌ରେ ପୁରୀର ଏକ ନିର୍ଦ୍ଦିଷ୍ଟ ହୋଟେଲ୍‌ର ଫୋନ୍‌ ନମ୍ବର ପାଇ ସେଥିରେ ଯୋଗାଯୋଗ କରିଥିଲେ। ଫୋନ୍‌ ଉଠାଇଥିବା ବ୍ୟକ୍ତି ଜଣକ ନିଜକୁ ହୋଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ କଥା କହି ମହିଳା ଡାକ୍ତରଙ୍କ ବିଶ୍ବାସ ହାସଲ କରିଥିଲା। ଏହାପରେ ରୁମ୍‌ ବୁକିଂ ପାଇଁ ୯ହଜାର ଟଙ୍କା ପଠାଇବାକୁ କହିଥିଲେ। ମହିଳା ଡାକ୍ତର ଜଣଙ୍କ ଅନ୍‌ଲାଇନ୍‌ରେ ୯ହଜାର ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ନିକଟରୁ ବୁକିଂ ସଂପର୍କୀତ ବିବରଣୀ ଆସି ନଥିଲା। ସେ ପୁଣିଥରେ ଫୋନ୍‌ କରିଥିଲେ। ବାରମ୍ବାର ଫୋନ୍‌ କରିବା ପରେ ବ୍ୟକ୍ତି ଜଣକ ଫୋନ୍‌ ଉଠାଇ ପୁଣିଥରେ ଅନ୍‌ଲାଇନ୍‌ରେ ପ୍ରାୟ ୩୦ହଜାର ଠକେଇ କରିବା ପାଇଁ ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ମହିଳା ଡାକ୍ତର ଜଣଙ୍କ ଟଙ୍କା ପଠାଇ ନଥିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ମହିଳା ଡାକ୍ତର ଜଣକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।