ମହିଳା ଜିଆର୍‌ଏସ୍‌ଙ୍କ ଆତ୍ମହତ୍ୟା ରହସ୍ୟ ଉନ୍ମୋଚନ କେବେ?

ପୁଲିସ ହାତରେ ଲାଗିଛି ଫୋନ୍‌କଲ୍‌ର ସବିଶେଷ ତଥ୍ୟ
ରଶ୍ମିରଞ୍ଜିତାର ସ୍ବାମୀ ଓ ପରିବାରକୁ ପଚରାଉଚରା ଆଜି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତର ମହିଳା ଜିଆର୍‌ଏସ୍‌ ରଶ୍ମିରଞ୍ଜିତା ପ‌ାଢୀ(୩୦)ଙ୍କ ରହସ୍ୟଜନକ ଆତ୍ମହତ୍ୟା ଘଟଣା ଉପରୁ ପରଦା ହଟାଇବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ରଶ୍ମିରଞ୍ଜିତାଙ୍କ ନିକଟକୁ ଆସିଥିବା ଶେଷ ମୋବାଇଲ କଲ୍ ହିଁ ତାଙ୍କ ଜୀବନ ଦୀପକୁ ଲିଭାଇ ଦେଇଥିଲା। ସେହି ବ୍ଲାକ୍‌ମେଲର୍‌ଙ୍କ କେଉଁ କଥାକୁ ନେଇ ରଶ୍ଚିରଞ୍ଜିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ଏବେ ବିଭିନ୍ନ ମହଲରେ ମୁଖ୍ୟ ଚର୍ଚ୍ଚ‌ାର ବିଷୟ ହୋଇଛି।

ଗତ ୩୧ତ‌ାରିଖରେ ରଶ୍ମିରଞ୍ଜିତା ଆତ୍ମହତ୍ୟା କରିଥିଲେ। ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ଏହି ମୃତ୍ୟୁର ରହସ୍ୟ ଭେଦିବାକୁ ପୁଲିସ ସକ୍ଷମ ହୋଇପାରି ନାହିଁ । ମୃତା ରଶ୍ମିରଞ୍ଜିତାଙ୍କ ଜବତ ହୋଇଥିବା ମୋବାଇଲ ଫୋନ୍‌ର ସିଡିଆର ରିପୋର୍ଟ ଗତକାଲି ଆସିଯାଇଛି। ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ କହିଛନ୍ତି । ପତରାଜପୁର ପଞ୍ଚାୟତର ଜିଆର୍‌ଏସ୍‌ ଭାବେ ରଶ୍ମିରଞ୍ଜିତା କାର୍ଯ୍ୟ କରୁଥିବା ବେଳେ ସେ ୧୫କିମି ଦୂର ଚଣ୍ଡିଖୋଲରେ ଏକ ଭଡ଼ାଘରେ ରହି ଆସୁଥିଲେ । ଅଥଚ ଏହି ପଞ୍ଚାୟତଠାରୁ ମାତ୍ର ୭/୮ କିମି ଦୂରରେ ଗୋପାଳପୁରରେ ତାଙ୍କ ବାପାଘର ହୋଇଥିବା ବେଳେ ବରଦାରେ ଶାଶୂଘର ରହିଛି। ମୃତ ରଶ୍ମିରଞ୍ଜିତାଙ୍କ ସ୍ବାମୀ ଝାରସୁଗୁଡ଼ାର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ନିକଟରେ ୪ବର୍ଷ ଝିଅ ଓ ପିଉସୀ ରହୁଥିଲେ। ଆତ୍ମହତ୍ୟା ଦିନ ରଶ୍ମିରଞ୍ଜିତା ପିଉସୀ ଓ ଶିଶୁକନ୍ୟାକୁ ପିଠା କରି ଖାଇବାକୁ ଦେବା ସହିତ ନିଜେ ପିଠା ଖାଉଥିବା ବେଳେ ମୋବାଇଲ ଫୋନ୍‌ ଆସିଥିଲା। ସେହି ଅବସ୍ଥାରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ଶେଷ ମୋବାଇଲ୍ କଲ୍ ହିଁ ତାଙ୍କର ମୃତ୍ୟୁବାର୍ତ୍ତା ବହନ କରିଆସିଥିଲା। ସେହି କଲ୍ କାହାର ଥିଲା? ଏଭଳି ପରିସ୍ଥିତିରେ ରଶ୍ମିରଞ୍ଜିତାଙ୍କ ବାପାଘର, ଶାଶୂଘର ଓ ସ୍ବାମୀ ଦେବାଶିଷ ପତି ନିରବ କାହିଁକି? ତାହା ତଦନ୍ତ ସାପେକ୍ଷ। ତେବେ ପୁଲିସ ଆସନ୍ତାକାଲି ପରିବାର ଲୋକଙ୍କୁ ଡାକି ପଚରାଉଚରା କରିବ ବୋଲି ଜଣାପଡିଛି। ମହିଳା କର୍ମଚାରୀଙ୍କର ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ସ‌ନ୍ଦେହ ବୃଦ୍ଧି ପାଉଥିବା ବେଳେ ପୁଲିସ କେବେ ଖୋଲିବ ମୃତ୍ୟୁ ରହସ୍ୟ? ତା ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର