ଭୁବନେଶ୍ବର: ପାଞ୍ଚ ବର୍ଷ ଧରି ଭଲ ପାଇଲା ପରେ ବିବାହ କଲେ ଯୁବତୀ। କିନ୍ତୁ ଏତେ ଦିନ ଧରି ଭଲ ପାଇଲା ପରେ ମଧ୍ୟ ସେ ନିଜର ପ୍ରିୟ ମଣିଷଙ୍କୁ ଚିହ୍ନି ପାରିଲେ ନାହିଁ। ପ୍ରେମିକ ତଥା ସ୍ବାମୀଙ୍କୁ ସୁଧାରିବାକୁ ମଧ୍ୟ ଉଦ୍ୟମ କଲେ। କିନ୍ତୁ ଏଥିରେ ସଫଳ ନହେବାରୁ ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀର ଛାତି ଉପରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବାପୁଜୀନଗରରେ ଟ୍ରେନ୍ ଆଗକୁ ଡେଇଁ ଜଣେ ସାମ୍ବାଦିକା ଜୀବନ ହାରିଛନ୍ତି। ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡ଼ା।

Advertisment

ସୂଚନା ଅନୁସାରେ ଭୁବନେଶ୍ବର ଶିଶୁପାଳଗଡ଼ ଅଞ୍ଚଳର ମଧୁମିତା ପରିଡ଼ା ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ୱେବ୍ ଚ୍ୟାନେଲରେ କିଛି ବର୍ଷ ହେଲା କାମ କରୁଥିଲେ। ସେ ଥିଲେ ତାଙ୍କର ବାପା-ମା’ଙ୍କର ବଡ଼ ଝିଅ। ୫ ବର୍ଷ ଧରି ଯାହାଙ୍କୁ ଭଲ ପାଉଥିଲେ, ତାଙ୍କୁ ସେ ଗତ ମାର୍ଚ୍ଚ ୧ ତାରିଖରେ ବିବାହ କରିଥିଲେ। ତେବେ ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ସଂପର୍କ ନେଇ ବିବାଦ ଲାଗି ରହୁଥିଲା।

ତେବେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ’ରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓରେ ସେ  କାନ୍ଦିକାନ୍ଦି କହୁଛନ୍ତି, ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିଲା ପରେ ବିବାହ କରିଥିଲି। କିନ୍ତୁ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି। ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି। ସେ ମୋ ସାଙ୍ଗ ଏବଂ ତାଙ୍କର ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ଯାଏ କଥା ହେଉଛନ୍ତି। ମୁଁ ଏସବୁ ଜାଣିଗଲି, ଯୋଉଟା ମୋର ସବୁଠୁ ବଡ଼ ଭୁଲ। ଏବେ ମତେ କହୁଛନ୍ତି ତୋ ସହ ମୁଁ ରହିପାରିବିନି। ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି।

ଅନ୍ୟପଟରେ ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନା କହିଛନ୍ତି, ଆମ ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦ ଆଉ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ। ସେ ମୋ କଥା ମାନିଲେ ନାହିଁ। ଆଜି ସକାଳୁ କେଉଁ ଆଡ଼େ ଚାଲିଗଲେ ଜାଣିପାରିଲି ନାହିଁ। ସନ୍ଧ୍ୟାରେ ରେଳଧାରଣାରୁ ମଧୁମିତାଙ୍କ ମୃତଦେହ ମିଳିଥିଲା। କିନ୍ତୁ ମଧୁମିତାଙ୍କ ବାପା ଅଭିଯୋଗ ଆଣିଛନ୍ତି ଯେ, ତାଙ୍କର ଝିଅଙ୍କୁ ହତ୍ୟା କରାଯାଇଛି। ଶ୍ରୀଧର ଜେନା ମୋ ଝିଅ ମଧୁମିତାକୁ ବିବାହ କରିବା ପୂର୍ବରୁ ଅନ୍ୟ ଜଣଙ୍କୁ ବାହା ହୋଇଥିଲେ। ଏକଥା ଆବେ ବହୁ ବିଳମ୍ବରେ ଜାଣିବାକୁ ପାଇଥିଲୁ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।