ବଡ଼ବିଲ : ଜେଲ୍‌ରେ ମହିଳା ବନ୍ଦୀଙ୍କ ଆତ୍ମହତ୍ୟା, ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ

ବଡ଼ବିଲ : ବଡ଼ବିଲ ଉପକାରାଗାରରେ ଜଣେ ବିଚାରାଧୀନ ମହିଳା ବନ୍ଦୀ ଆଜି ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଯୋଡ଼ା ଥାନା ଲହଣ୍ଡା ଗ୍ରାମ ମୁଣ୍ଡାସାହିର ସବିତା ମୁଣ୍ଡା। ସବିତା ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ଜେଲ୍‌ ପରିସରରେ ଥିବା ଏକ ଗଛରେ ପିନ୍ଧା‌ ଶାଢ଼ି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ମେ ୯ ତାରିଖରେ ସବିତା ଓ ତାଙ୍କ ସମ୍ପର୍କୀୟା ଶାଶୂ ବୁଦୁନି ମୁଣ୍ଡା ସାଙ୍ଗ ହୋଇ ଜାଳେଣି କାଠ ସଂଗ୍ରହ କରିବାକୁ ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲକୁ ଯାଇଥିଲେ। ସେଠାରେ ସବିତା ଏକ କାଠଫାଳିଆରେ ବୁଦୁନିଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ପରେ ଜଙ୍ଗଲରେ ଶୁଖିଲା ପତ୍ର ସାହାଯ୍ୟରେ ମୃତଦେହକୁ ପୋଡ଼ି ଦେବା ସହ ଫେରାର ହୋଇଯାଇଥିଲା। ପୁଲିସ ୧୩ ତାରିଖରେ ଅଭିଯୁକ୍ତ ସବିତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଜୁନ୍‌ ୧ ତାରିଖରେ ସବିତା ଜେଲ୍‌ର ଗାଧୁଆ ଘରେ ଥିବା ଫିନାଇଲ ପିଇ ଦେଇଥିଲେ। ଡାକ୍ତରଖାନାରୁ ଫେରିବା ପରେ ସେ ଜେଲ୍‌ରେ ଥିବା ଅନ୍ୟ ଦୁଇଜଣ ମହିଳା କଏଦୀଙ୍କ ସହ ସ୍ବାଭାବିକ ଭାବେ ରହୁଥିଲେ। ଆଜି ଜଳଖିଆ ଖାଇବା ପରେ ସବିତା ହଠାତ୍ କିଛି ସମୟ ପାଇଁ କେଉଁଆଡ଼େ ଚାଲିଯାଇଥିଲେ। ଅନ୍ୟ ଦୁଇ ମହିଳା କଏଦୀ ୱାର୍ଡ ପଛ ପାଖକୁ ଯାଇ ଦେଖିଲା ବେ‌ଳକୁ ଏକ ଗଛରେ ତାଙ୍କ ଶବ ଝୁଲୁଥିଲା।

ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୁଧାଂଶୁ ଶେଖର ବେହୁରାଙ୍କ ଠାରୁ ଖବର ପାଇ ବଡ଼ବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପତିତପାବନ ପଣ୍ଡା, ତହସିଲଦାର କ୍ଷୀରୋଦ କୁମାର ବେହେରା, ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ଓ ଜେଲ୍‌ ଡାକ୍ତର ଭୀମରାଜ କର୍ମକାର ପ୍ରମୁଖ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର