ଖୋର୍ଦ୍ଧା : ବୋଲଗଡ଼ ବ୍ଲକ୍‌ ମର୍ଦ୍ଦବାଡ଼ି ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାମଲାରେ ୩ଜଣଙ୍କୁ ଗିରଫ କରିବାକୁ ଯାଇଥିବା ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କ ସମେତ ୬ଜଣ ପୁଲିସ କର୍ମଚାରୀଙ୍କୁ ଗାଁ’ ଲୋକ ମୁଣ୍ତଜାମିନ ରଖିବା ପରେ ସର୍ତ୍ତପତ୍ର ଲେଖି ଛାଡ଼ିଛନ୍ତି। ସୂଚନା ଅନୁସାରେ, ମର୍ଦ୍ଦବାଡ଼ିରେ ପ୍ରାୟ ୧ ମାସ ପୂର୍ବେ ଏକ ଚୋରି ମାମଲାରେ ପୁଲିସ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଇତିମଧ୍ୟରେ ଗିରଫ କରି କୋର୍ଟଚାଲାଣ କରିଛି। ଏହି ମାମଲାରେ ଶନିବାର ସକାଳେ ବୋଲଗଡ଼ ଥାନା ପୁଲିସ ପୁଣି ୨ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରାତି ପ୍ରାୟ ୭ଟାରେ ଆଇଆଇସି ଓ ଏକ ସେକ୍ସନ୍‌ ପୁଲିସ ପୁଣି ଗାଁକୁ ଯାଇ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ। ଗାଁକୁ ପ୍ରବେଶ କରିବା ପରେ ଗାଁର ଶତାଧିକ ପୁରୁଷ ମହିଳା ପୁଲିସ ଗାଡ଼ିକୁ ଘେରିଯାଇଥିଲେ। ଥାନା ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଏକ ପ୍ରକୋଷ୍ଠରେ ବନ୍ଦ କରି ରଖିବା ସହ ଗିରଫ କରି ନେଇଥିବା ୨ଜଣଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ପ୍ରାୟ ୩ ଘଣ୍ଟା ଅଟକ ରଖିବା ପରେ ଗାଁରେ ବୋଲଗଡ଼ ପଞ୍ଚାୟତ ପ୍ରତିନିଧି ଓ କିଛି ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ସମାଧାନ କରିବାକୁ ଚେଷ୍ଟାକରିଥିଲେ। ଶେଷରେ ସକାଳେ ଉଠାଇ ନେଇଥିବା ୨ଜଣଙ୍କୁ ବିନା ମାମଲାରେ ଛାଡ଼ିବା ପାଇଁ ଏକ ସର୍ତ୍ତପତ୍ର ଲେଖାଇଥିଲେ।

Advertisment

ମିଳିଥିବା ସୂଚନାରେ, ଗାଁ ଲୋକଙ୍କ ମାଡ଼ରେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ତେବେ ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏକ ଚୋରି ମାମଲାରେ ସେହି ଗାଁର ଅଭିଯୋଗକାରୀ ଗାଁର ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ ଦେଇଥିଲା। ଏହି ଘଟଣାରେ ପୁଲିସ ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା। ଯେହେତୁ ଅଭିଯୋଗକାରୀଙ୍କୁ ଗାଁର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ ସେମାନେ ପୁଲିସର ପଦକ୍ଷେପକୁ ପ୍ରତିବାଦ କରିଥିଲେ। ଏହାକୁ ନେଇ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଥାନା ଅଧିକାରୀ ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରିଥିଲେ। ସକାଳେ ୨ଜଣଙ୍କୁ ଗିରଫ କରାଯାଇଥିବା ଓ ପୁଲିସ କର୍ମଚାରୀ ଆହତ ହୋଇଥିବା କଥାକୁ ସେ ଖଣ୍ତନ କରିଛନ୍ତି। ଏହି ଘଟଣାରେ କାହାରିକୁ ଆଜି ଗିରଫ କରାଯାଇନାହିଁ କି କୌଣସି ପୁଲିସ କର୍ମଚାରୀ ଆହତ ହୋଇନାହାନ୍ତି ବୋଲି ଶ୍ରୀ ଦୋରା କହିଛନ୍ତି।