ଘୁ.ଉଦୟଗିରି : ପୁଣି ଜଣେ ପୁଲିସ ଅଧିକାରୀ ନିଜ ସରକାରୀ କ୍ବାର୍ଟର୍ସରେ ଫାଶି ଲଗାଇ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି। ଏଥର ଏଭଳି ଦୁର୍ଭାଗ୍ୟଜନକ ଘଟଣା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ ଘଟିଛି। ପ୍ରଥମ ପୋଷ୍ଟିଂ ପାଇ ନୂଆକରି ଜଏନ୍ କରିଥିବା ମହିଳା ଏସ୍ଆଇ ସ୍ବାଗତିକା ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ସ୍ୱାଗତିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଥାନାଧିକାରୀ ରେବତୀ ଶବର, ଏସ୍ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ମହିଳା ଏସ୍ଆଇଙ୍କ ଝୁଲନ୍ତା ଶବ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। କନ୍ଧମାଳ ଏସ୍.ପି. ଭିନୀତ୍ ଅଗ୍ରୱାଲ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
ଅଭିଯୋଗକୁ ଏସ୍ଡିପିଓଙ୍କ ଖଣ୍ଡନ, ଆଇଆଇସି ମୁହଁ ଖୋଲୁନାହାନ୍ତି
ନିର୍ଯାତନା ଓ ଚାପ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ଏସ୍.ପି
ଖବର ପାଇବା ପରେ ମୃତା ପୁଲିସ ଏସ୍ଆଇ ସ୍ବାଗତିକାଙ୍କ ଭାଇ ମନୋରଞ୍ଜନ ବେହେରା ଓ ମାଆ ପହଞ୍ଚି ଗଣମାଧ୍ୟମ ଆଗରେ ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଇଆଇସି ସ୍ବାଗତିକାଙ୍କୁ ଅତ୍ୟଧିକ କାମ ଚାପ ଦେବା ଓ ମାନସିକ ନିର୍ଯାତନା ଦେଇ ଆସୁଥିବା କାରଣରୁ ସ୍ବାଗତିକା ଆତ୍ମହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ମୃତା ପୁଲିସ ଏସ୍ଆଇ ସ୍ବାଗତିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରରେ ହୋଇଥିବା ବେଳେ ସେ ତାଙ୍କ କ୍ବାର୍ଟର୍ସରେ ଏକୁଟିଆ ରହୁଥିଲେ। ଟ୍ରେନିଂ ପରେ ନୂଆ ପୋଷ୍ଟିଂ ପାଇ ଗତ ଦେଢ଼ ବର୍ଷ ହେବ ସେ ଘୁ.ଉଦୟଗିରି ଥାନାରେ ପୁଲିସ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।
ସୂଚନା ପ୍ରକାରେ ଗତକାଲି ଏକ କେସ୍ରେ ସ୍ବାଗତିକା ଫୁଲବାଣୀ ଯାଇ ସନ୍ଧ୍ୟାରେ ଫେରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଥାନାରେ କାର୍ଯ୍ୟ କରିଛନ୍ତି। ଆଜି ସକାଳ ୭ଟାରେ ନିଜ ସହକର୍ମୀଙ୍କ ସହ ଫୋନରେ କଥା ହୋଇଥିଲେ। କିନ୍ତୁ ଏହାର ସମୟ ପରେ ଥାନାର ଜଣେ ଇନ୍ସପେକ୍ଟର ସ୍ୱାଗତିକାଙ୍କୁ ଫୋନ କରିଥିଲେ ବି ସେ କିଛି ଉତ୍ତର ଦେଇନଥିଲେ। ଏହାପରେ ଜଣେ ଗୃହରକ୍ଷୀଙ୍କୁ ସ୍ୱାଗତିକା ରହୁଥିବା ସରକାରୀ ବାସଗୃହକୁ ପଠାଇଥିଲେ। ସେ ଯାଇ କବାଟ ବାଡେଇଥିଲେ ଓ କିଛି ସମୟ ଅପେକ୍ଷା କରି ଫେରିଥିଲେ। ଏହାପରେ ଅନ୍ୟ ଜଣେ ମହିଳା କର୍ମଚାରୀ ଯାଇ କବାଟ ବାଡ଼େଇବା ସହ ଝରକା ପଟେ ସ୍ବାଗତିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତୁରନ୍ତ ସେ ଥାନା ଅଧିକାରୀଙ୍କୁ ଏନେଇ ଖବର ଦେଇଥିଲେ। ଖବର ପାଇ ସମସ୍ତ ଥାନା ଅଧିକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।
ତେବେ ଏହି ଘଟଣାର ଏବେ ତଦନ୍ତ ଚାଲିଥିବା ଘୁ.ଉଦୟଗିରି ଏସ୍ଡିପିଓ କହିଛନ୍ତି। ସ୍ବାଗତିକାଙ୍କ ପରିବାର ଲୋକଙ୍କ ପକ୍ଷରୁ କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଓ ମାନସିକ ନିର୍ଯାତନା ନେଇ କରା ଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏ ନେଇ ନିରପେକ୍ଷ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ତେବେ ମୁଖ୍ୟତଃ ଯାହାଙ୍କ ବିରୋଧରେ ପରିବାର ଲୋକେ ଆରୋପ ଲଗାଇଛନ୍ତି, ଥାନା ଆଇଆଇସି ରେବତୀ ଶବର ସମ୍ପୂର୍ଣ୍ଣ ନିରବ ଓ ଅଭିଯୋଗ ବିଷୟରେ ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ଏହି ଦୁଃଖଦ ଘଟଣା ସମ୍ପର୍କରେ କନ୍ଧମାଳ ଏସ୍.ପି କହିଛନ୍ତି ଯେ, ମହିଳା ଏସଆଇ୍ଙ୍କ ଆତ୍ମହତ୍ୟାର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରାଯିବ। ତଦନ୍ତରେ ଯିଏ ଦୋଷୀ ମିଳିବେ ତାଙ୍କ ବିରୋଧରେ ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।