ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ: ସରପଞ୍ଚ ଭୋଟ ବାତିଲ, ଘଣ୍ଟାଏ ବିଳମ୍ବରେ ମତଦାନ ଆରମ୍ଭ

କିଶନନଗର: କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ଘଟିଛି। ସେ ତାଙ୍କ ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା କରିଥିଲେ। ଏହାପରେ ସେ ତାଙ୍କର ନିତ୍ୟକର୍ମ ସାରି ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କ ସ୍ବାମୀ ସରୋଜ ବେହେରା ଘରକୁ ଫେରି ନମିତାଙ୍କ ଶୋଇବା ଘର କବାଟ ବାଡେଇଥିଲେ। ତେବେ ସେ ଶୁଣି ନଥିଲେ। ବାରମ୍ବାର ଡାକିବା ପରେ ବି ନମିତା ନ ଶୁଣିବାରୁ ତାଙ୍କ ସ୍ବାମୀ କବାଟକୁ ଧକ୍କା ମାରି କବାଟ ଖୋଲିଥିଲେ।

ନମିତାଙ୍କୁ ଅଚେତ ଅବସ୍ଥାରେ ଖଟରେ ଶୋଇଥିବା ଦେଖିଥିଲେ। ତାଙ୍କ ପାଟିରୁ ଅଳ୍ପ ଫେଣ ବାହାରୁଥିଲା। ତାଙ୍କୁ ଉଠାଇବା ପାଇଁ ସେ ଚେଷ୍ଟା କରିଥିଲେ ମଧ୍ୟ ନମିତା ଉଠିନଥିଲେ। ୧୦୮ ଆମ୍ବୁଲାନ୍ସ ଡାକି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଯଶପଡ଼ା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ନିଜସ୍ୱ ୧୩ନମ୍ବର ୱାର୍ଡ ବାସୀ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଏହି ବୁଥକୁ ଭୋଟ ଦେବାକୁ କେହି ଆସି ନ ଥିଲେ। ପ୍ରଥମ ୧ଘଣ୍ଟାରେ ଏହି ବୁଥରେ କୌଣସି ଭୋଟ ପଡିନଥିଲା। ଏପରିକି ଏଜେଣ୍ଟ ମଧ୍ୟ ଆସିନଥିଲେ। ଖବରପାଇ ସଦର ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରାଜୀବ ଲୋଚନ ପରିଡ଼ା ବୁଥରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ୮ଟା ୧୫ ରେ ମତଦାନ ଆରମ୍ଭ ହୋଇଥିଲା। ତେବେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ପଞ୍ଚାୟ ରେ ସରପଞ୍ଚ ଭୋଟକୁ ବାତିଲ କରାଯାଇଛି। ନମିତାଙ୍କ ଏପରି ଆକସ୍ମିକ ମୃତ୍ୟୁକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର