ଆଠଗଡ଼ : ପଞ୍ଚାୟତ ପୋଖରୀରୁ କେତେକ ଅସାମାଜିକ ବ୍ୟକ୍ତି ମାଛ ଚୋରି କଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବାରୁ ଘର ଉପରେ ଆକ୍ରମଣ କରାଯିବା ସହିତ ହତ୍ୟା ଧମକ ଦିଆଗଲା। ଏ ନେଇ ପୁଣି ଥାନାରେ ଏତଲା ଦିଆଯିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କି’ ପୁଲିସ ସୁରକ୍ଷା ମିଳିଲା ନାହିଁ। ଫଳରେ ଜୀବନ ପ୍ରତି ଭୟ ଥିବାରୁ ସାତ ମାସ ହେଲା ଗାଁ ବାହାରେ ରହୁଛନ୍ତି ବୋଲି ଆଠଗଡ଼ ମହାବୀର ପ୍ଲାଜାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାକାଳବସ୍ତ ସରପଞ୍ଚ ସାବିତ୍ରୀ ରାଉତ ଗୁରୁତର ଅଭିଯୋଗ କରିଛନ୍ତି। ସେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଆସନ୍ତା ୧୫ ତାରିଖରୁ ଆମରଣ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି।

Advertisment

ସାବିତ୍ରୀଙ୍କ ଅଭିଯୋଗ ମୁତାବକ, ଗତ ମାର୍ଚ୍ଚ ୩୧ ତାରିଖରେ ମହାକାଳବସ୍ତ ଗ୍ରାମ ପୋଖରୀରୁ କିଛି ଅସାମାଜିକ ବ୍ୟକ୍ତି ପ୍ରାୟ ୩ ଲକ୍ଷ ଟଙ୍କାର ମାଛ ଜୋରଜବରଦସ୍ତ ନେଇ ଯାଇଥିଲେ। ସେ ତାହାର ବିରୋଧ କରିବାରୁ ତାଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦିଆ ଯାଇଥିଲା। ଘଟଣା ସମ୍ପର୍କରେ ସେ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିରେ ଆକ୍ରୋଶ ରଖି ଗତ ମେ’ ମାସ ୧୦ ତାରିଖରେ ତାଙ୍କ ଘର ଉପରେ ଆକ୍ରମଣ କରାଯିବା ସହିତ ଗାଡ଼ିମଟର ଓ ଆସବାବପତ୍ର ଭଙ୍ଗାରୁଜା କରାଯାଇଥିଲା। ଏହି ସମୟରେ ସରପଞ୍ଚଙ୍କ ପୁଅମାନେ ଅନୁପସ୍ଥିତ ଥିଲା ବେଳେ ଘରେ ଥିବା ମହିଳାମାନଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ସଂପର୍କରେ ମଧ୍ୟ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରାଯାଇଥିଲା। ଅନ୍ୟପଟେ, ସରପଞ୍ଚଙ୍କ ପୁଅ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ କରି ନେଇଥିବା ସଂପର୍କରେ ଥାନାରେ ଅଭିଯୋଗ କରାଯାଇଥିଲା। ଅପହରଣ ସମ୍ପର୍କରେ ସରପଞ୍ଚ ସୂଚନା ଅଧିକାର ଆଇନ (ଆରଟିଆଇ)ରେ ତଥ୍ୟ ମାଗିଥିଲେ। ଆର୍‌ଟିଆଇ ତଥ୍ୟ ଅନୁସାରେ ସରପଞ୍ଚଙ୍କ ପୁଅ ନାମରେ ମିଥ୍ୟା ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କ ପକ୍ଷରୁ ଥାନାରେ ଏକାଧିକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସାବିତ୍ରୀ ପ୍ରକାଶ କରିଛନ୍ତି। ଏଥିସହ ଚୌଦ୍ବାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ପରିବାରକୁ ଗ୍ରାମରେ ପୂରାଇ ନ ଦେବା ପାଇଁ କେତେକ ଖଳପ୍ରକୃତିର ଲୋକଙ୍କ ସହାୟତାରେ ପୁଅ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରି ଚାଲିଛନ୍ତି ବୋଲି ସାବିତ୍ରୀ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଆସନ୍ତା ୧୫ ତାରିଖରେ ସେ ଆମରଣ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଚୌଦ୍ବାର ଏସ୍‌ଡିପିଓ ଶ୍ରୀ ଲେଙ୍କା କହିଛନ୍ତି ଯେ ଗତ ମେ ମାସ ୨୪ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଉକ୍ତ ମାମଲା ଏହା ପୂର୍ବରୁ ଅର୍ଥାତ୍‌ ମେ’ ମାସ ୧୧ ତାରିଖରେ ରୁଜୁ କରାଯାଇଛି। କାର୍ଯ୍ୟଭାର ଗ୍ରହଣ ପରେ କୌଣସି ମାମଲା ହୋଇନାହିଁ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସରପଞ୍ଚଙ୍କ ଘରେ ପୁଲିସ ବନ୍ଦୋବସ୍ତ କରାଯାଇଛି ଏବଂ ପରିବାର ଗ୍ରାମରେ ଆସି ରହିଲେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଲିଖିତ ଭାବେ ତାଙ୍କୁ ଅବଗତ କରାଯାଇଥିବା ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।