କେସିଙ୍ଗା : ୟୁରିଆ ସାର ମିଳୁ ନଥିବାରୁ ହନ୍ତସନ୍ତ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ। ଏଭଳି ପରିସ୍ଥିତିରେ ରୁପ୍ରାରୋଡ ରାଇସମିଲରୁ ୟୁରିଆ ସାର ଚୋରା ଚାଲାଣ ହେଉଥିବା ବେଳେ ଚାଷୀମାନେ ଧରିଥିଲେ। ଅସନ୍ତୋଷ ଏତେ ଥିଲା ଯେ, ଘଟଣାସ୍ଥଳରେ ପହଞ୍ଚିଥିବା ବ୍ଲକ କୃଷି ଅଧିକାରୀଙ୍କୁ ଉତ୍ତ୍ୟକ୍ତ ଚାଷୀମାନେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଗୋଟିଏ ପଟେ ଜିଲ୍ଲା କୃଷି ବିଭାଗ ଚୋରାଚାଲାଣକୁ ଅସ୍ୱୀକାର କରୁଥିବା ବେଳେ ତଦନ୍ତ କରିଥିବା ଭବାନୀପାଟଣା ଉପଜିଲ୍ଲାପାଳ ଡିଲର ଓ ସବଡିଲରଙ୍କ ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିଥିବା ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ବି ତତ୍ପର ହୋଇପଡ଼ିଛି। ଉପଜିଲ୍ଲାପାଳ ମିର୍ଦ୍ଧା ଟପୋଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। କେସିଙ୍ଗା କୋଣାର୍କ ସୂତା କଳ ଓ ଜେ ଜେ ମିଲରେ ପ୍ରାୟ ୧୯ହଜାର ୯୭୨ ବସ୍ତା ୟୁରିଆ ସାର ଗଚ୍ଛିତ ଥିବା ତଦନ୍ତରୁ ଜଣାପଡ଼ିଛି। ସେହିପରି କ୍ରିପକୋ ୟୁରିଆ ମଧ୍ୟ ଏହି ଗୋଦାମରେ ଶହ ଶହ ବସ୍ତା ପଡ଼ିରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ସରକାର ୟୁରିଆ ସାରର ଅଭାବ ନହେବା ପାଇଁ ବହୁ ପୂର୍ବରୁ ନିଜ ପରିବହନ ଖର୍ଚ୍ଚରେ ସମବାୟ ସମିତିଗୁଡ଼ିକୁ ୟୁରିଆ ସାର ଯୋଗାଇଥିଲେ। ମାତ୍ର ଜିଲ୍ଲା କୃଷି ବିଭାଗର ତଦାରଖର ଅଭାବ ଏବଂ ସମବାୟ ସମିତି ଓ ଡିଲରମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ ଜିଲ୍ଲାରେ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି।
କୋଣାର୍କ ସୂତାକଳ ଗୋଦାମରେ ଏହି ଜିଲ୍ଲା ସହ ଅନ୍ୟ ଜିଲ୍ଲାର ବି ସାର ରହିଥିବାରୁ ସଠିକ୍ ହିସାବ ଏଯାଏଁ ବାହାରି ନଥିବା ବ୍ଲକ କୃଷିଅଧିକାରୀ ବିଶ୍ୱନାଥ ମହାପାତ୍ର ପ୍ରକାଶ କରିଛନ୍ତି। ଖବର ଲେଖା ହେଲା ପର୍ଯ୍ୟନ୍ତ ଗୋଦାମମାନଙ୍କରେ ନାର୍ଗାଜୁନା ୟୁରିଆ ୫୬୩୫ ବସ୍ତା, କରମଣ୍ଡଳ ୟୁରିଆ ୯୭୦୮, କ୍ରିଫକୋ ୟୁରିଆ ୪୧୨୯ ଓ ଇଫକୋ ୟୁରିଆ ୫୦୦ ବସ୍ତା ମହଜୁଦ ଥିବା କୃଷି ଅଧିକାରୀ ପ୍ରକାଶ କରିଛନ୍ତି।