ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ୮ବର୍ଷ ପରେ ଫେରାର ଅଭିଯୁକ୍ତ ଆନନ୍ଦ ଜୈନଙ୍କୁ ଭବାନୀପାଟଣା ଟାଉନ ଥାନା ପୁଲିସ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ସିସୋର କଳାହାଣ୍ଡି ମଲ୍ଟି ପରପୋଜ୍ କମ୍ପାନି ଲିମିଟେଡ୍ର ସେକ୍ରେଟାରି ଭାବରେ ଆନନ୍ଦ ଜୈନ କାର୍ଯ୍ୟ କରୁଥିଲେ। ୨୦୧୩ ମସିହାରେ ଲକ୍ଷାଧିକ ଟଙ୍କା ଚିଟ୍ଫଣ୍ଡ ଠକେଇ କରିଥିବା ନେଇ ଜମାକାରୀମାନେ ଭବାନୀପାଟଣା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ କେସ୍ ନଂ.୧୨୨/୧୦.୬.୨୦୧୩ ରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଅଭିଯୁକ୍ତ ଆନନ୍ଦ ଜୈନ (୫୬ ବର୍ଷ) ଫେରାର ହୋଇ ରାୟପୁରରେ ରହୁଥିଲେ। ଦୀର୍ଘ ୮ ବର୍ଷ ପରେ ବୁଧବାର ଏକ ବିବାହ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାପାଇଁ ଭବାନୀପାଟଣା ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ଟାଉନ୍ ଥାନା ପୁଲିସ ଆଇଆଇସି ସତ୍ୟ ନନ୍ଦଙ୍କ ନେତୃତ୍ୱରେ ଚଢ଼ଉ କରି ଆନନ୍ଦ ଜୈନକୁ ଗିରଫ କରିଥିଲେ। ଗୁରୁବାର କୋର୍ଟଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି।