ଇସ୍ପାତ ରାଜଧାନୀରେ ବିକାଶର ବିକଳ ଚିତ୍ର : ଫେରୋକ୍ରମ କାରଖାନାରେ ତାଲା ପଡ଼ିଲା

ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ କାରଖାନା, ଶହ ଶହ ଶ୍ରମିକ, କର୍ମଚାରୀଙ୍କ ଜୀବନଜୀବିକା ବିପଦରେ

ଯାଜପୁର : କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଶପଥ ନେଉ ନେଉ ସରକାରୀ କାରଖାନା ଯାଜପୁରରୋଡ ଫେରୋକ୍ରମରେ ଆଜି ତାଲା ପଡ଼ିଛି। ଶହ ଶହ କର୍ମଚାରୀ ଓ ଶ୍ରମିକଙ୍କ ପରିବାର ଜୀବନଜୀବିକା ପ୍ରତି ସୃଷ୍ଟି ହୋଇଛି ବିପଦ। ବିକାଶର ପ୍ରତିଶ୍ରୁତି ପାହାଡ଼ ଉପରେ ଜନସାଧାରଣଙ୍କୁ ବସାଇ ନେତାମାନେ ସମର୍ଥନ ହାସଲ କରିବାର ମାସେ ପୂରଣ ନହେଉଣୁ ହଜାର ହଜାର ଲୋକଙ୍କର ଦାନାରେ ଧୂଳି ପଡ଼ିବାକୁ ଯାଉଛି। କେବଳ ଫେରୋକ୍ରମ କାରଖାନା ନୁହେଁ, ୩ ମାସ ହେଲା ମୈଥାନର ଉତ୍ପାଦନ ବନ୍ଦ। ଏଥି ପୂର୍ବରୁ କେଜେ ଇସ୍ପାତ, ମେସ୍କୋରେ କାରଖାନାର ଉତ୍ପାଦନ ମଧ୍ୟ ବର୍ଷ ବର୍ଷ ବନ୍ଦ ରହିଥିଲା। ଏବେ ଘୁମେଇ ଘୁମେଇ ଚାଲିଛି।

୫୦ ବର୍ଷ ପୂର୍ବରୁ ୧୯୬୮ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ କର୍ମନିଯୁକ୍ତି ଯୋଗାଇ ଦେବା ପାଇଁ ଯାଜପୁରରୋଡ ଠାରେ ଫେରୋକ୍ରମ କାରଖାନା ସ୍ଥାପିତ ହୋଇଥିବା ବେଳେ ଆଜି ଠାରୁ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଧାନମଣ୍ଡଳ ଝୋଟ ମିଲ୍ ଭଳି ସବୁଦିନ ପାଇଁ ଏଠା‌େର ତାଲା ଝୁଲିବ ନା ସୀମିତ ସମୟ ପାଇଁ ଏହି ନିଷ୍ପତ୍ତି ସେନେଇ ସନ୍ଦେହ ଦେଖା ଦେଇଛି। ଇଫକୋର ଏମଡ଼ି ବିକେ ସାହୁ କହନ୍ତି ଏବେ ବଜାରରେ ଫୋରୋକ୍ରମର ମୂଲ୍ୟ କମ ଥିବାରୁ ବ୍ୟାପକ କ୍ଷତି ହେଉଛି। ଗତ ବର୍ଷ ୫.୫କୋଟି କ୍ଷତି ହୋଇଥିବା ବେଳେ ପ୍ରତି ମାସରେ ୫୦-୬୦ଲକ୍ଷ ଟଙ୍କା କ୍ଷତି ହେଉଛି।

ବଜାର ମୂଲ୍ୟକୁ ଲକ୍ଷ୍ୟ କରି କ୍ଷତିକୁ ଏଡାଇବା ପାଇଁ କାରଖାନାର ମରାମତି ପାଇଁ ୧୫/୨୦ଦିନ ଅସ୍ଥାୟୀ ବନ୍ଦ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ବିଶେଷ କରି ଖଣି ନଥିବାରୁ ବଜାର ଦରରେ ଓଏମସିରୁ ଫେରୋକ୍ରମ କିଣି କାରଖାନା ଚଳାଇବାରୁ ବ୍ୟାପକ କ୍ଷତି ହେଉଛି। ଖଣି ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି। ଖଣି ମିଳିଗଲେ କାରଖାନା ପାଇଁ ବିପଦ ରହିବ ନାହିଁ ବୋଲି ଏମଡି ଶ୍ରୀ ସାହୁ କହିଛନ୍ତି। ତେବେ ଆଜି ଠାରୁ ଫେରୋକ୍ରମ୍ କାରଖାନାର ଉତ୍ପାଦନ ବନ୍ଦ ହୋଇଯିବା ପରେ ୨ଶହ ନିୟମିତ କର୍ମଚାରୀ ଓ ୫ଶହ ଅସ୍ଥାୟୀ କର୍ମଚ‌ାରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁୁ ଠେଲି ହୋଇଯାଇଛି। ଏହି କାରଖାନାରେ କୋଟି କୋଟି ଟଙ୍କା ଦୁର୍ନୀତି କାରବାର ସାଙ୍ଗକୁ ମାତ୍ରାଧିକ କର୍ମଚାରୀଙ୍କୁ ଏଠାରେ ଥଇଥାନ କରାଯାଇଛି। ଖଣି ବନ୍ଦ ହୋଇଯିବା ପରେ ମଧ୍ୟ ନୂତନ ଖଣି ଯୋଗାଇ ଦେବା ପ୍ରତି ସରକାରଙ୍କର ଆନ୍ତରିକତା ନାହିଁ। ରାଜନେତା, ଶ୍ରମିକ ନେତା ଓ ଅଧିକାରୀଙ୍କର କାରଖାନା ପରିଚାଳନା ପାଇଁ ଆନ୍ତରିକତା ନାହିଁ।

ଉପକୂଳ ଯାଜପୁର ଜିଲ୍ଲାର ପ୍ରାକୃତିକ ସମ୍ପଦ ଖଣିଖାଦାନ, ପାଣି, ଜମି ସହିତ ଭିତ୍ତିଭୂମି ରେଳପଥ, ଜାତୀୟ ରାଜପଥର ସୁବିଧାକୁ ନେଇ ଶିଳ୍ପପତିଙ୍କ ଆଗମନ ହେଉଥିବା ବେଳେ ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ମୁଣ୍ଡ ଟେକିଥିଲା। ପ୍ରାକୃତିକ ସମ୍ପଦର ସଦବିନିଯୋଗ ପ୍ରତି ଚରମ ଅବହେଳା ସହିତ ଅନ୍ୟାନ୍ୟ ରାଜ୍ୟ ତଥା ଦେଶରେ ଶିଳ୍ପାଞ୍ଚଳ ବିକାଶ ପାଇଁ ଯୋଗାଇ ଦିଆଯାଉଥିବା ସହଯୋଗ ଯାଜପୁର ଜିଲ୍ଲାର ଶାସକ ଓ ପ୍ରଶାସକଙ୍କର ଅଣଦେଖା ନୀତି ଏବେ ସଂଗିନ ପରିସ୍ଥିତି ସୃଷ୍ଟି କରିଛି।

ବଡ଼ଚଣାରେ ମେଗା ରାଇସ ମିଲ୍ ଓ ବୈ‌ରୀରେ ସ୍ପଞ୍ଜ କାରଖାନା ଏବେ ଧ୍ବଂସମୁଖତରେ। ଆଉ ଟିକେ ଅତୀତକୁ ଗଲେ ଧାନମଣ୍ଡଳ ଝୋଟ ମିଲ୍ ତାଲା କଥା ଲୋକମାନେ ଭୁଲି ନାହାନ୍ତି। ଯାଜପୁର ଜିଲ୍ଲାର ବିକାଶ ରାସ୍ତାଘାଟ, ବିଦ୍ୟୁତ ଖୁଣ୍ଟ ଓ ପୋଖରୀକୁ ନେଇ ରାଜନେତା ଛାତି ଫୁଲାଉଥିବା ବେଳେ ହଜାର ହଜାର ଶ୍ରମିକ ନିୟମିତ କର୍ମ ସଂସ୍ଥାନ ହରାଇ ଦାଦନ ସାଜିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଯାଜପୁର ଭଳି ସଚେତନ ଓ ପ୍ରଗତିଶୀଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କାରଖାନାରେ ତାଲା ପଡିବା ଘଟଣା ଜିଲ୍ଲାର ବିକାଶ‌ର ବିକଳ ଚିତ୍ରକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

ସମଗ୍ର ରାଜ୍ୟରେ ଯାଜପୁର ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ସତ୍ତ୍ବେ ଶାସକ ଓ ପ୍ରଶାସକ ତାହାର ବିକାଶ ଓ ସ୍ଥାନୀୟ ନିଯୁକ୍ତି ପ୍ରତି ଗୁରୁତ୍ବର ସହିତ ବିଚାର ବିମର୍ଶ ସମୀକ୍ଷା ହେଉ ନଥିବାରୁ ଦିନକୁ ଦିନ ଏଭଳି ସଂଗିନ ଅବସ୍ଥା ସୃଷ୍ଟି ହେବାରେ ଲାଗିଛି। ଜିଲ୍ଲାରେ ଖଣିଖାଦାନ ଓ ଶିଳ୍ପରେ ପ୍ରାୟ ୧୫ହଜାର ନିୟମିତ ଓ ୪୦ହଜାର ଠିକା ଶ୍ରମିକ କାମ କରୁଥିଲେ ହେଁ ସେମାନଙ୍କର ଜୀବନଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା ପ୍ରତି କାହାରି ନଜର ନାହିଁ। ଏପରିକି ଇଏସଆଇ ଡାକରଖାନାରେ ପାଳିରେ ଡାକ୍ତର ଆସୁଛନ୍ତି। ଏଥିରେ କାରଖାନାର ବିକାଶ ଓ କର୍ମଚାରୀଙ୍କ ସ୍ବାର୍ଥ ପ୍ରତି ପ୍ରଶାସନ ଓ ସରକାରୀ କେତେ ତତ୍ପର ବେଶ ଅନୁମେୟ ବୋଲି ଜିଲ୍ଲାବାସୀ ସନ୍ଦେହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର