ମାଛ ପ୍ରଜନନ ଋତୁ ଆରମ୍ଭ: ଆଜିଠୁ ମାଛଧରା ଉପରେ କଟକଣା

ଚାନ୍ଦବାଲି: ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଛି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ମଧ୍ୟରେ ସାମୁଦ୍ରିକ ମାଛ ମାନଙ୍କର ପ୍ରଜଜନ ଋତୁ ଅାରମ୍ଭ ହେଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ନ ଯିବା ପାଇଁ ଅଙ୍କୁଶ ଲଗାଇଛନ୍ତି। ତେଣୁ ସରକାରଙ୍କର କଟକଣାକୁ ସମ୍ମାନ ଜଣାଇ ଗତ କିଛି ଦିନ ହେବ ମତ୍ସ୍ୟଜୀବୀମାନେ  ସେମାନଙ୍କ ମାଛ ବ୍ୟବସାୟ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି। ବୋଟଗୁଡିକୁ କୂଳକୁ ଆଣି ସୁରକ୍ଷିତ ସ୍ଥାନରେ ରଖିଥିବା ବେଳେ ବୋଟ କର୍ମଚାରୀମାନଙ୍କୁ ଛୁଟି ଦିଆଯାଇଛି। ଜୁନ ମାସ ୧୫ ମଧ୍ୟରେ କୌଣସି ମତ୍ସ୍ୟଜୀବୀ ସେମାନଙ୍କ ମାଛ ଧରା ବୋଟ ନେଇ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଗଲେ ସଂପୃକ୍ତ ବୋଟ ମାଲିକଙ୍କୁ ଆର୍ଥିକ ଦଣ୍ଡ ସହିତ ଜେଲ ଯିବାକୁ ପଡିବ ବୋଲି ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ସଂଘ ମାଧ୍ୟମରେ କଡା ଜଣାଇ ଦିଆଯାଇଛି।

ଅନ୍ୟପକ୍ଷରେ ବର୍ଷକର ମାତ୍ର ୧୩୫ ଦିନ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ, ଷ୍ଟାପ ସମସ୍ୟା, ଇନ୍ଧନର ଦରବୃଦ୍ଧି ସହିତ ଆର୍ଥିକ ସଂକଟରେ ଛନ୍ଦି ହୋଇ ଏହି ବ୍ୟବସାୟ ଉପରୁ ମୁହଁ ଫେରାଇବାକୁ ବସିଥିବା ବେଳେ  ଦିନକୁ ଦିନ ସମୁଦ୍ରକୁ  ପ୍ରବେଶ ପଥ ଅବରୋଧ ହେତୁ ଏହି ବ୍ୟବସାୟ କରିବା ସେମାନଙ୍କ ପାଇଁ ଏକ ପ୍ରକାର କଷ୍ଟକର ହୋଇପଡିଛି। କଇଁଛମାନେ ନଭେମ୍ବରରୁ ଏପ୍ରିଲ ମାସ ମଧ୍ୟରେ  ବାବୁବାଲି କ୍ୟାମ୍ପର ନାସୀ-୧, ନାସୀ-୨ ଓ ଉଡାବାଲିର ବିସ୍ତୁତ ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ କରିଥାଆନ୍ତି। ସେମାନେ ପର୍ଯ୍ୟାକ୍ରମେ ଏହି ବାଲୁକା ଶଯ୍ୟାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡାଦାନ କରିଥାନ୍ତି। ନଭେମ୍ବର ୧୫ରୁ ଜୁନ  ମାସ ୧୫ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ମାରିବା  ମତ୍ସ୍ୟଜୀବୀଙ୍କ ପାଇଁ ସମ୍ବବ ହେଉ ନ ଥିବାରୁ ବାକି ଦିନମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ, ଲଘୁଚାପ ବର୍ଷା, ଷ୍ଟାପ ସମସ୍ୟା ସେମାନଙ୍କ ଜୀବିକା ଉପରେ କୁଠାରଘାତ କରିଛି। ତେବେ ଏପ୍ରିଲ ମାସ ୧୫  ଠାରୁ ମାଛମାନଙ୍କର ପ୍ରଜଜନ  ଋତୁ ଓ ମାଛ ଅଣ୍ଡା ନଷ୍ଟକୁ ଆଶଙ୍କା କରି ସରକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ  ଯିବା ଉପରେ କଟକଣା ଆରମ୍ଭ କରିଛନ୍ତି। ଏଥିପାଇଁ ଧାମରା, ଚନ୍ଦନୀପାଳ, ତାଳଚୁଅା, କଶିଅା, ବଳାରାମଗଡି ଆଦି ସ୍ଥାନମାନଙ୍କରେ ଥିବା ମତ୍ସ୍ୟଜୀବୀଙ୍କୁ ଜୀବିକା ଚିନ୍ତା ଘରିଥାଏ।

ସମ୍ବନ୍ଧିତ ଖବର