ଖତ କରିଦେଲେ ଜିନ୍‌ ବ୍ୟାଙ୍କ: ୫ ବର୍ଷ ହେଲା ପାରମ୍ପରିକ ଧାନ ବିହନ ସଂରକ୍ଷଣ ବନ୍ଦ

ସଂରକ୍ଷିତ ବିହନ ଚାଷୀଙ୍କ କାମରେ ଆସୁନି, ସଂରକ୍ଷିତ ବିହନକୁ ଉତ୍ତର ପିଢ଼ିକୁ ଦେଇନପାରିଲେ ଅପରାଧ ହେବ: ସାବରମତି

ଭୁବନେଶ୍ବର: ରାଜ୍ୟ ବିହନ ପରୀକ୍ଷାଗାରସ୍ଥିତ ଜିନ୍‌ ବ୍ୟାଙ୍କରେ ୧୦୭୮ଟି ପାରମ୍ପରିକ ବିହନ ବିହନ ସଂରକ୍ଷିତ ହୋଇ ରହିଛି। ସେଥିରୁ କେବଳ ପାରମ୍ପରିକ ଧାନ ବିହନ କଳାଚମ୍ପା ହିଁ ବିହନ ଶୃଙ୍ଖଳରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୮ ମସିହାରୁ ବିହନ ସଂରକ୍ଷଣ ବନ୍ଦ କରି ଦିଆଯିବା ସହିତ କୌଣସି ବିହନକୁ ଚାଷୀଙ୍କ ଉପଯୋଗ ପାଇଁ ଦିଆଯାଇନାହିଁ। ଯଦି ପାରମ୍ପରିକ ବିହନ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବାର ଥିଲା ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କାହିଁକି ଜିନ୍ ବ୍ୟାଙ୍କ ପ୍ରତିଷ୍ଠା ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟଦିଗରେ ପଦ୍ମଶ୍ରୀ ସାବରମତି କହିଛନ୍ତି, ପୂର୍ବଜ ମାନେ ସଂରକ୍ଷିତ କରି ରଖିଥିବା ବିହନକୁ ଉତ୍ତର ପିଢିକୁ ଦେଇନପାରିଲେ ଏହା ଏକ ଅପରାଧ ହେବ। ତା’ଛଡ଼ା ନୂଆ ବିହନ ସୃଷ୍ଟି ପାଇଁ ପୁରୁଣା ବିହନ ସଂରକ୍ଷଣ କରି ରଖିବା ନିହାତି ଆବଶ୍ୟକ।

ବିହନ ଉପରେ ହିଁ ଖାଦ୍ୟ ଉତ୍ପାଦନର ଭିତ୍ତିଭୂମି ରହିଛି। ବର୍ତ୍ତମାନ କମ୍ପାନି କିମ୍ବା ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉଛି। ଅନେକ ବର୍ଷ ଧରି ଆମ ଅଞ୍ଚଳର ଚାଷୀମାନେ ହିଁ ପାରମ୍ପରିକ ଦେଶୀ ବିହନ ସଂରକ୍ଷିତ କରି ରଖି ଆସୁଛନ୍ତି। ଏଥିମଧ୍ୟରୁ କିଛି ମରୁଡ଼ି, ବାତ୍ୟା, ଲୁଣିପାଣି ସହଣି ତ ଆଉ କିଛି ଔଷଧୀୟ ଗୁଣରେ ଭରପୂର ରହିଥାଏ। ଏପରିକି କିଛି ବାସ୍ନା ବିହନ ମଧ୍ୟ ରହିଛି। ଅଧିକାଂଶ ସମୟରେ ବହୁରାଷ୍ଟ୍ରୀୟ କମ୍ପାନି ଏବଂ ବୈଜ୍ଞାନିକମାନେ ପାହାଡ଼ ପର୍ବତ ଘେରରେ ରହୁଥିବା ଗରିବ ଚାଷୀଙ୍କ ସଂରକ୍ଷିତ ବିହନକୁ ନେଇ ନିଜ ପରୀକ୍ଷାଗାରରେ ବିକଶିତ କରନ୍ତି। ଏହାକୁ ନୂତନ ନାଁ ଦେବା ସହିତ କୋଟି-କୋଟି ଟଙ୍କା ଲାଭ ମଧ୍ୟ ଉଠାନ୍ତି। ଏହି ବିହନର ପ୍ରକୃତ ମାଲିକମାନେ କେଉଁଠି ଲୁଚି ଯାଆନ୍ତି। ବିହନ ସଙ୍କଟର ମୁକାବିଲା ଏବଂ ଦେଶୀ ବିହନ ସୁରକ୍ଷା ଦେଉଥିବା ଚାଷୀମାନଙ୍କୁ ହକ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିହନ ପରୀକ୍ଷାଗାରରେ ୨ଟି ଜିନ୍‌ ବ୍ୟାଙ୍କର ପ୍ରତିଷ୍ଠା ହେଲା। କୃଷି ବିଭାଗରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରେ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ୯୦୦ ଦେଶୀ ବିହନ ରାଜ୍ୟର ସ୍ଥାନରୁ ସଂରକ୍ଷିତ କରି ରଖାଗଲା। ପ୍ରଥମ ଥର ପାଇଁ ୭୧୨ ଜଣ ଚାଷୀଙ୍କୁ ଏହି ବିହନର ପେଟେଣ୍ଟ ଅର୍ଥାତ ମାଲିକାନା ଅଧିକାର ଦିଆଗଲା।

ଅର୍ଥାତ ଏହି ବିହନର ନୂତନ କିସମ ବାହାର କରିବା ପାଇଁ ସଂପୃକ୍ତ ଚାଷୀଙ୍କ ଅନୁମତି ସହିତ ରୟାଲଟି ଦେବାକୁ ପଡ଼ିବ। ଯାହାକି ଦେଶରେ ପ୍ରଥମ ଥିଲା। ଏହି ପଦକ୍ଷେପ ପାଇଁ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟି ଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ମସିହା ପର୍ଯ୍ୟନ୍ତ ଧାନ ସହିତ ଅଣଧାନ ଯଥା ଡାଲି, ମୁଗ, ହରଡ଼, ସୋରିଷ, ବାଦାମ, ମିଲେଟ୍‌ରେ କାଳିଆ, ପାମି ମାଣ୍ଡିଆ ଆଦି ୨୦୦ ପ୍ରକାର ଅଣଧାନ ବିହନ ସଂରକ୍ଷିତ କରି ରଖାଗଲା। ଏହି ପଦକ୍ଷେପ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ସହୁଥିବା ଓଡ଼ିଶା ଚାଷକୁ ନୂଆ ଦିଗଦର୍ଶନ ମିଳିବ ବୋଲି ଆଶା ଥିଲା। କୃଷି ବୈଜ୍ଞାନିକମାନଙ୍କ ଅନୁସାରେ, ଧାନର ୬୨, ବିରିର ୩୦, ମୁଗର ୨୫ଟି ବୈଶିଷ୍ଟ୍ୟ ବାହାର କରି ନିର୍ଦ୍ଦିଷ୍ଟ ଫର୍ମାଟ ସହିତ ଦିନ-ଦିନ ଧରି ଅନେକ ସ୍ଥାନ ବୁଲିବା ପରେ ହିଁ ଦେଶୀ ବିହନ ସଂରକ୍ଷଣ କରାଯିବା ସମ୍ଭବ ହୁଏ। ୨୦୧୧ ମସିହାରେ ଜିନ୍‌ ବ୍ୟାଙ୍କକୁ ନେଇ ତତ୍‌କାଳୀନ କୃଷି ବିଭାଗ ଯେତିକି ତତ୍ପର ଥିଲା ପରବର୍ତ୍ତୀ ସମୟରେ ସେମାନେ ଆଉ ବିହନ ସଂରକ୍ଷଣକୁ ଗୁରୁତ୍ବ ଦେଲେ ନାହିଁ।

ଆହୁରି ମଧ୍ୟ ବିହନ ବ୍ୟାଙ୍କରେ ସଂରକ୍ଷିତ ବିହନକୁ ମଧ୍ୟ ଚାଷୀଙ୍କ କାର୍ଯ୍ୟରେ ଉପଯୋଗ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କିଛି ମାସ ପୂର୍ବରୁ ହୋଇଥିବା ବନ୍ୟା ସମୟରେ ୬୦ ଦିନିଆ ବିହନର ଆବଶ୍ୟକ ଥିଲା। ଜିନ୍‌ ବ୍ୟାଙ୍କରେ ଏହା ଉପଲବ୍ଧ ମଧ୍ୟ ଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ସଂରକ୍ଷିତ କରି ରଖାଯାଇଥିବା ବିହନକୁ ବିହନ ଶୃଙ୍ଖଳ ଭିତରକୁ ଅଣାନଯିବାରୁ ଏହା କାର୍ଯ୍ୟରେ ଆସିଲା ନାହିଁ। ପଦ୍ମଶ୍ରୀ ସାବରମତି କହିଛନ୍ତି, କିଛି ବର୍ଷ ପୂର୍ବରୁ ଚକଡ଼ା ପୋକ ଏକର-ଏକର ଚାଷ ନଷ୍ଟ କରି ଦେଇଥିଲା। ଏହାର ସମାଧାନ ରାସ୍ତା ଦେଶୀ ବିହନରୁ ମିଳିଥିଲା। ଏହା ଜରିଆରେ ଅପପୁଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ସମ୍ଭବ। ବିହନ ସଂରକ୍ଷଣ ନକଲେ ପୂର୍ବଜଙ୍କ ପରିଶ୍ରମ ମାଟି ହୋଇଯିବ। କମ୍ପାନି ବିହନ ଉପରେ ମାତ୍ରାଧିକ ନିର୍ଭରଶୀଳତା ଚାଷ ଏବଂ ଚାଷୀ ପାଇଁ ବିପଦ ବୋଲି ସାବରମତି କହିଛନ୍ତି।

ସମ୍ବନ୍ଧିତ ଖବର