ଜୟପୁର: ଜଗନ୍ନାଥସାଗରର ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ (ଆଇସିଏଆର)ପକ୍ଷରୁ ପ୍ରଥମ ଥର ପାଇଁ ଚାଷୀଙ୍କ ଜମିରେ ଡ୍ରୋନ ମାଧ୍ୟମରେ ସାର ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର ମନପୁରିଆ ଗୁଡା ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଅଧ୍ୟକ୍ଷ (ପ୍ରିନ୍ସପାଲ ସାଇନଟିଷ୍ଟ ) ଡ଼ଃ ପି ରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ୍ରୋନ ଛିଞ୍ଚନ କାର୍ଯ୍ୟକୁ ଉଦଘାଟନ କରିଥିଲେ। ଏହି ଡ୍ରୋନ ମାଧ୍ୟମରେ କମ ସମୟ କମ ସାର ଔ ଅଧିକ ଜମିରେ ସମ ପରିମାଣର ସାର ପ୍ରୟୋଗ କରା ଯାଇପାରିବ ବୋଲି ସୂଚନା ଦେଇଥିଲେ। ଯାହାଫଳରେ ଚାଷୀ ମାନେ ସ୍ୱଳ୍ପ ପରିଶ୍ରମରେ ଅଧିକ ଜମିରେ ସାର ପ୍ରୟୋଗ କରି ଲାଭବାନ ହୋଇ ପାରିବେ ବୋଲି କହିଥିଲେ।
ଏହି ଅବସରରେ ପରୀକ୍ଷା ମୂଳକ ଭାବେ ଶତାଧିକ ଚାଷୀଙ୍କର ପ୍ରାୟ ୧୦ ଏକର ଧାନ ଜମିକୁ ୩୦ ମିନିଟ ମଧ୍ୟରେ ସାର ପ୍ରୟୋଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡ଼ଃ ଜ୍ୟୋତିର୍ମୟୀ ଲେଙ୍କା ପରିଚାଳନା କରିଥିଲେ। ଜୟପୁରସ୍ଥିତ ସ୍ୱାମୀନାଥନ ଫାଉଣ୍ଡେସନର ବୈଜ୍ଞାନିକ ଡ଼ଃ କାର୍ତ୍ତିକ ଚନ୍ଦ୍ର ଲେଙ୍କା, ସୁନାବେଡ଼ା ଆଇସିଏଆର ମୂର୍ତ୍ତିକା ବୈଜ୍ଞାନିକ ଡ଼ଃ ସୌଭାଗ୍ୟ ସାମଲ ସଠିକ ସାର ପ୍ରୟୋଗ ଓ ମାଟିର ସ୍ୱାସ୍ଥ୍ୟ ଉପରେ ବୁଝାଇଥିଲେ। ମୁଖ୍ୟ ବୈଷୟିକ ଅଧିକାରୀ ଗୋଲକ ବିହାରୀ ନାୟକ ଡ୍ରୋନର ଆବଶ୍ୟକତା ଓ ଚାଷୀମାନେ କିଭଳି ଏହାକୁ ସହଜରେ କିଣି ପାରିବେ ତାହାର ମାର୍ଗଦର୍ଶନ କରିଥିଲେ। ଏସ କିଣ୍ଡୋଲ, ଦିବାକର ଜେନାଙ୍କ ସହ ସମସ୍ତ କର୍ମଚାରୀ ଓ ଶତାଧିକ ଚାଷୀ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/c1c97ebd-fbb6-4541-8d7e-56de02c9c658.jpeg)