ପୂର୍ବ ଘୋଷଣା ସତ୍ତ୍ବେ ବ୍ୟବସ୍ଥା କଲେନି, ପାଣି ମାଡ଼ ଖାଇଲା କୋଟିଏ ଟଙ୍କାର ସାର, ସିମେଣ୍ଟ

ଚଞ୍ଚକତା କରି ବଜାରକୁ ଛାଡ଼ିଲେ!

କଟକ : ବାତ୍ୟା ସଂପର୍କରେ ବହୁ ପୂର୍ବରୁ ସୂଚନା ରହିଥିଲେ ବି ବାତ୍ୟାର ଦିନକ ପୂର୍ବରୁ ଆସିଥିଲା ସାର, ସି‌ମେଣ୍ଟ।  ହେଲେ ବାତ୍ୟା ଯୋଗୁ ଅନଲୋଡ ହୋଇ ନ ପାରି ଗୁଡସ ସେଡରେ ପଡି ରହିଥିଲା। ତାହାକୁ ସୁରକ୍ଷିତ ରଖିବା ଦିଗରେ କୌଣସି ବ୍ୟବସ୍ଥା ହେଲା ନାହିଁ। ବାତ୍ୟାରେ ସେଡ ଉଡି ଯିବା ପରେ ପାଣି ଖାଇ ସେହି ସବୁ ସାମଗ୍ରୀ ସେଠାରେ ପଡି ରହିଥିଲା। ଦୁଇ ଦିନ ଧରି ଏଭଳି ପଡି ରହିଥିବା ସାର, ସିମେଣ୍ଟକୁ ଏବେ ବଜାରକୁ ଛଡାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ତିନି ତାରିଖରେ ଫୋନି ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଥିଲା। କିନ୍ତୁ ଏହାପୂର୍ବରୁ ମାଲଗୋଦାମ ଗୁଡସ ସେଡକୁ ସାର ଏବଂ ସିମେଣ୍ଟ  ବୋଝେଇ ଏକ ରୢାକ ଗତ ଦୁଇ ତାରିଖରେ ଆସିଥିଲା। ‌ପ୍ରାୟ କୋଟିଏ ଟଙ୍କାର ମାଲ ଆସିଥିବାବେଳେ ବାତ୍ୟା ପାଇଁ ସେସବୁ ଅନଲୋଡ ହୋଇ ପାରି ନ ଥିଲା। ଫଳରେ ମାଲସବୁ ୧ ନଂ ସେଡରେ ପଡି ରହିଥିଲା। ତେବେ ବାତ୍ୟାରେ ସେଡର ବହୁସ୍ଥାନରେ ଆଜବେଷ୍ଟସ ଉଡାଇ ନେଇଥିଲା। ସେଡ ଉଡାଇ ନେବା ହେତୁ ସାର ଏବଂ ସିମେଣ୍ଟ ବର୍ଷାରେ ଭିଜିଯାଇଥିଲା। ବାତ୍ୟା ଯୋଗୁ ରାସ୍ତାଘାଟରେ ଗଛ ପଡି ରହି ଗମନାଗମନ ଠପ୍ ହୋଇଯାଇଥିବାବେଳେ ମାଲସବୁ  ଟ୍ରକରେ ଲୋଡ ହୋଇ ନ ପାରି ଦୁଇ ଦିନ ଧରି ପ୍ଲାଟଫର୍ମରେ ପଡି ରହିଥିଲା। ତେବେ ବାତ୍ୟାରେ କ୍ଷତିଗ୍ରସ୍ତ ସାର ଏବଂ ସିମେଣ୍ଟକୁ ଅତି ତରବରିଆ ଭାବେ ଗତକାଲି ଟ୍ରକ ଯୋଗେ ବିଭିନ୍ନ ସ୍ଥାନକୁ ପଠା ଯାଇଥିବା ସୂଚନା ମିଳିଛି। ଏହିସବୁ କ୍ଷତିଗ୍ରସ୍ତ ସାର ଏବଂ ସିମେଣ୍ଟକୁ ଡିଷ୍ଟ୍ରିବ୍ୟୁଟର ଦ୍ବାରା ପୁର୍ନବାର ପ୍ୟାକିଂ କରାଯାଇ ବିକ୍ରି ଉପଯୋଗୀ କରାଯିବ। ଆବଶ୍ୟକ ପଡିଲେ  ଏହି ମାଲ ଉପରେ କମ୍ପାନୀ ବ୍ୟବସାୟୀମାନଙ୍କୁ  ମୋଟା ଅଙ୍କର ରିହାତି ଦେବା ସୂଚନା ମିଳିଛି। ତେବେ ଏ ନେଇ ରେଳବିଭାଗ ଏବଂ ଅନ୍ୟ କେହି ମୁହଁ ଖୋଲିବାକୁ ନାରାଜ।

ସୂଚନା ଯୋଗ୍ୟ, ଶିଖରପୁରସ୍ଥିତ ମାଲଗୋଦାମ ଗୁଡସ ସେଡରୁ ସିମେଣ୍ଟ, ଗହମ, ଚିନି, ଖାଇବା ତେଲ, ଅମୁଲ ଆଦି  ସିଧାସଳଖ କମ୍ପାନିରୁ ଆସି ବଣ୍ଟନ ଲାଗି ‘ସି ଏଣ୍ଡ ଏଫ’ ପାଖକୁ ଯାଇଥାଏ। ପ୍ରତି ମାସରେ ୬୦ରୁ ଅଧିକ ରୢାକ ମାଲ ଆସୁଥିବା ବେଳେ  ଗୋଟିଏ ରୢାକରେ ୨୪୦ ଟ୍ରିପ ମାଲ  ରହିଥାଏ। ରୢାକ ପିଛା ରେଳବାଇକୁ ଭଡା ଆକାରରେ ୪ରୁ ୫ ଲକ୍ଷ ଟଙ୍କା ମିଳିଥାଏ। ଏହାକୁ ହିସାବକୁ ନେଲେ ରେଳବାଇ ଏଠାରୁ ବର୍ଷକୁ ୩୬ କୋଟି ଟଙ୍କା ରୋଜଗାର କରିଥାଏ। ଗୁଡସ ସେଡରୁ ମାଲ ପରିବହନ ଲାଗି ପାଞ୍ଚ ଶହ ଟ୍ରକ ଏବଂ ଦୁଇ ହଜାରରୁ  ଅଧିକ ଡ୍ରାଇଭର, ହେଲପର, ଶ୍ରମିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅପରପକ୍ଷେ ବାତ୍ୟା ଯୋଗୁ  ଗୁଡସ ସେଡରେ ଶ୍ରମିକମାନେ ହାତବାନ୍ଧି ବସିଥିବାବେଳେ ଦୁଇ ଶହରୁ ଅଧିକ ଟ୍ରକ ଅନଲୋଡ କରି ନ ପାରି ରାସ୍ତାରେ ଫସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର