ପାକ୍‌ସରେ ସାର, ବିହନ ବିକ୍ରି ବାଧ୍ୟତାମୂଳକ କର

ଗୋଟିଏ ଛାତ ତଳେ ଚାଷୀଙ୍କୁ ମିଳୁ ସବୁ ସୁବିଧା
କମ୍ପ୍ୟୁଟରୀକରଣ ଶୀଘ୍ର ଶେଷ ହେଉ
ବ୍ୟାଙ୍କ ଖାତାରେ ମିଳୁ ଋଣ
ନକଲି ଖାତା ଖୋଲିବା ବନ୍ଦ ହେଉ
ଷ୍ଟାଣ୍ଡିଂ କମିଟିର ସୁପାରିସ୍‌

ଭୁବନେଶ୍ବର : ଚାଷୀମାନଙ୍କୁ ଗୋଟିଏ ଛାତ ତଳେ ସବୁ ପ୍ରକାର ସେବା ଓ ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟରେ ଥିବା ପ୍ରାଥମିକ କୃଷି ସମବାୟ ସୋସାଇଟି (ପାକ୍‌ସ)ଗୁଡ଼ିକୁ ସୁଦୃଢ଼ କରିବାକୁ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଭାଗ ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ପାକ୍‌ସରେ ଚାଷୀଙ୍କ ପାଇଁ ସାର ଓ ବିହନ ବିକ୍ରି ବାଧ୍ୟତାମୂଳକ କରାଯାଉ ବୋଲି କମିଟି ସୁପାରିସ୍ କରିଛି।

ରାଜ୍ୟରେ ଥିବା ପାକ୍‌ସଗୁଡ଼ିକ ମଧ୍ୟରୁ ୧୪୦୦ଟି ଲାଭ କରୁଥିବା ବେଳେ ବାକି ସବୁ କ୍ଷତିରେ ଚାଲିଛି। ‌କେବଳ କାଗଜପତ୍ରରେ ଋଣ ଦିଆଯାଉଛି। ଏହା ଦ୍ବାରା ଉଭୟ ଗ୍ରାହକ ଓ ବ୍ୟାଙ୍କ ପ୍ରଭାବିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରିବା ଲାଗି ପାକସ୍‌ଗୁଡ଼ିକୁ ଆହୁରି ସୁଦୃଢ଼ କରିବା ସହିତ ସେଗୁଡ଼ିକ ନୂତନ ରୂପରେ ଉପସ୍ଥାପିତ କରିବାକୁ କମିଟି ପରାମର୍ଶ ଦେଇଛି। ପାକ୍‌ସରେ ଅଫିସ୍ କୋଠା, ବୈଠକ କକ୍ଷ, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରି ସେଗୁଡ଼ିକ ଚାଷୀଙ୍କ ପାଇଁ ସବୁ ସେବାର ଏକମାତ୍ର ସ୍ଥାନରେ ପରିଣତ କରିବାକୁ କମିଟି ସୁପାରିସ୍ କରିଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଥିବା ପାକ୍‌ସଗୁଡ଼ିକରେ ଏହି ସୁବିଧା କରିବା ଲାଗି କୁହାଯାଇଛି। ଧାନର ଏଫ୍‌ଏକ୍ୟୁ ମାନ ଯାଞ୍ଚ କରିବା ଲାଗି ପାକ୍‌ସଗୁଡ଼ିକରେ ଆବଶ୍ୟକ ଉପକରଣ ଓ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ କୁହାଯାଇଛି।

କୃଷି ଋଣ ପ୍ରଦାନରେ ଡିସିସିବିଗୁଡ଼ିକରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବାକୁ କମିଟି ସୁପାରିସ୍ କରିଛି। ପାକ୍‌ସଗୁଡ଼ିକର କମ୍ପ୍ୟୁଟରୀକରଣ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ସେହି କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ତୁରନ୍ତ ସବୁ ପାକ୍‌ସର କମ୍ପ୍ୟୁଟରୀକରଣ କରିବାକୁ ସୁପାରିସ୍ କରାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଋଣ ବାବଦ ଅର୍ଥକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇପାରିବ। ଚାଷୀମାନଙ୍କୁ ଏକ ନିର୍ଦିଷ୍ଟ ସମୟସୀମା ଭିତରେ ‘ରୁପେ କିସାନ୍ କାର୍ଡ’ ଦେବାକୁ କୁହାଯାଇଛି। ସମସ୍ତ ୬୬ଟି ଆର୍‌ଏମ୍‌ସିରେ ଇ-ପ୍ଲାଟଫର୍ମ ବ୍ୟବସ୍ଥା କରିବାକୁ କମିଟି ସୁପାରିସ୍ କରିଛି। ଏଟିଏମ୍‌ ଓ ପିଓଏସ୍‌ ଜରିଆରେ ଚାଷୀମାନଙ୍କୁ ସୁବିଧାରେ ଋଣ ଆବଣ୍ଟନ କରିବା ଲାଗି ପାକସ୍‌ ସଦସ୍ୟ ଚାଷୀମାନଙ୍କ ଜମିର ବିବରଣୀକୁ ଭୂଲେଖ ଓ ବ୍ୟାଙ୍କ ଖାତାକୁ ଆଧାର ସହ ଯୋଡ଼ିବାକୁ କମିଟି କହିଛି।

ଗ୍ରାମୀଣ ସମବାୟ କ୍ରେଡିଟ୍ ଢାଞ୍ଚାରେ ପରିବର୍ତ୍ତନ ଆଣି ତାହାକୁ ‌କେରଳ ଢାଞ୍ଚାରେ ଦ୍ବିସ୍ତରୀୟ କରିବାକୁ କମିଟି ସୁପାରିସ୍‌ କରିଛି। ଧାନ ସଂଗ୍ରହ ବେଳେ ସବୁ ସୋସାଇଟିରେ ସିସିଟିଭି କ୍ୟାମେରା ଲଗାଇବାକୁ କମିଟି କହିଛି। ପାସ୍‌ ଜରିଆରେ ସାର ଓ ବିହନ ବିକ୍ରିକୁ ବାଧ୍ୟତାମୂଳକ କରିବାକୁ ମଧ୍ୟ କୁହାଯାଇଛି। କୌଣସି ପରିସ୍ଥିତିରେ ବୀମା ରାଶିକୁ ନେଇ ଋଣ ଅର୍ଥ ସହିତ କାରବାର କରାଯାଉ ନଯାଉ ବୋଲି କମିଟି କହିଛି। ଜାଲ ଖାତା ଖୋଲିବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ଏବଂ ଚନ୍ଦନଭାଟିରେ ତୁରନ୍ତ ଏକ ବୁଣାକାର ସମବାୟ ସୋସାଇଟି ଖୋଲିବାକୁ ଏହି କମିଟି ସୁପାରିସ୍ କରିଛି।

ସମ୍ବନ୍ଧିତ ଖବର