ଝାରସୁଗୁଡ଼ା : ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଛି। ଏବେ ଚାଷୀମାନେ ଚାଷ ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ସରକାର ସେମାନଙ୍କୁ ଦରକାର ମୁତାବକ ରାସାୟନିକ ସାର ଯୋଗାଇ ପାରୁନାହାନ୍ତି। ଚାଷୀଙ୍କ ଚାହିଦା ଅନୁସାରେ ଝାରସୁଗୁଡ଼ା ଜିଲ୍ଲାରେ ଏମ୍‌ଓପି (ମ୍ୟୁରେଟ୍‌ ଅଫ୍‌ ପଟାସ) ସାର ଗଚ୍ଛିତ ନାହିଁ। ଏପରିକି ଅନ୍ୟ ସାରଗୁଡ଼ିକ ବି ଚାହିଦା ଅନୁସାରେ ଉପଲବ୍ଧ ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି।

Advertisment

ଗତବର୍ଷର ଚାଷକୁ ଦେଖି ଏବର୍ଷ ପାଇଁ ମୋଟ୍‌ ୧୨୦୦ ମେଟ୍ରିକ୍‌ ଟନ୍‌ ଏମ୍‌ଓପି ସାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୦୦ ମେଟ୍ରିକ୍‌ ଟନ୍‌ ଏମ୍‌ଓପି ଆସିଥିବା ବେଳେ ସେଥିମଧ୍ୟରୁ ୨୨୨ ଟନ୍‌ ଚାଷୀ ନେଇ ସାରିଲେଣି। ଅର୍ଥାତ୍‌ ଜିଲ୍ଲାରେ ଆଉ ମାତ୍ର ୭୮ ମେଟ୍ରିକ୍‌ ଟନ୍‌ ଗଚ୍ଛିତ ରହିଛି। ବିଶେଷ କରି ମୂଳସାର ଭାବେ ବ୍ୟବହାର ହେଉଥିବା ଏମ୍‌ଓପିର ଜିଲ୍ଲାରେ ଚାହିଦା ବେଶ୍‌ ଅଧିକ ରହିଛି। ଘଟଣା ସମ୍ପର୍କରେ କୃଷି ବିଭାଗକୁ ଯୋଗାଯୋଗ କରାଯିବାରେ, ଚଳିତ ବର୍ଷ ସମଗ୍ର ଦେଶରେ ଏମ୍‌ଓପି ସାରର ନିଅଣ୍ଟିଆ ଯୋଗା‌ଣ ହୋଇଥିବା ଉତ୍ତର ମିଳିଥିଲା। ତେବେ ଚଳିତ ମାସ ଶେଷ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ, ଚଳିତ ଖରିଫ୍‌ ପାଇଁ ଜିଲ୍ଲାକୁ ୫ ହଜାର ମେଟ୍ରିକ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି। ପୂର୍ବରୁ ଜିଲ୍ଲାରେ ୩ଶହ ମେଟ୍ରିକ୍‌ ଟନ୍‌ ୟୁରିଆ ଗଚ୍ଛିତ ଥିବା ବେଳେ ବର୍ତ୍ତମାନ ଯାଏ ୨୮୦୦ ମେଟ୍ରିକ୍‌ ଟନ୍‌ ଆସିଛି। ସେହିଭଳି ଡିଏପି ସାର ପୂର୍ବରୁ ୮୫୯ ମେଟ୍ରିକ୍‌ ଟନ୍‌ ଗଚ୍ଛିତ ଥିବା ବେଳେ ପରେ ପ୍ରାୟ ୧୨୦୦ ଟନ୍‌ ଆସିଛି। ଏହା ମଧ୍ୟରୁ ୧୧ ଶହ ଟନ୍‌ ସାର ଶେଷ ହୋଇଥିବା ବେଳେ ଆଉ ୯୦୦ ଟନ୍‌ ଗଚ୍ଛିତ ରହିଛି। କମ୍ପ୍ଲେକ୍ସ ସାର ୨୫୦୦ ମେଟ୍ରିକ୍‌ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧୩୦୦ ମେଟ୍ରିକ୍‌ ଟନ୍‌ ଜିଲ୍ଲାକୁ ଆସିଛି।