ରାଜ୍ୟରେ ସାର ସଙ୍କଟ ଗୁରୁତର ହେଲାଣି: ତିନିବର୍ଷ ହେଲାଣି ସମସ୍ତେ ଜାଣୁଛନ୍ତି ଅଥଚ ନିରବ
ଜୈବିକ ସାର ବ୍ୟବହାରକୁ କେନ୍ଦ୍ରର ଗୁରୁତ୍ବ କିନ୍ତୁ ସବ୍ସିଡି ପ୍ରତ୍ୟାହାର
ଖରିଫ ଚାଷ ପ୍ରସ୍ତୁତି ବୈଠକରେ କ’ଣ ରହିବ ଓଡ଼ିଶାର ରଣନୀତି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ତିନି ବର୍ଷ ହେଲା ସାର ପାଇଁ ବିକଳ ହେଉଛନ୍ତି ଓଡ଼ିଶା ଚାଷୀ। ଏଣେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରର ସମୁଦାୟ ଆବଶ୍ୟକତାର ୧୦ ପ୍ରତିଶତ ଜୈବିକ ସାର ଜରିଆରେ ପୂରଣ ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଉଛି। ଏମିତି ସ୍ଥିତିରେ ଚଳିତ ବର୍ଷ ‘ମୋ ଖତ’ ପାଇଁ ଦିଆଯାଉଥିବା କେନ୍ଦ୍ର ସରକାରଙ୍କ ସବ୍ସିଡି ପ୍ରତ୍ୟାହାର ହୋଇଯିବା ଓଡ଼ିଶା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖରିଫ ପାଇଁ ୧୦ ଲକ୍ଷ ମେଟ୍ରିକ ଟନ ସାର ଯୋଗାଣ ଲାଗି କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବାକୁ ସଜବାଜ ହେଉଛି ରାଜ୍ୟ କୃଷି ବିଭାଗ।
୨୦୨୧ ମସିହାରେ ଖରିଫରେ ଓଡ଼ିଶାରେ ସମୁଦାୟ ୬୧ ଲକ୍ଷ ୯୬ ହଜାର ହେକ୍ଟର ଚାଷ କରାଯାଇଥିଲା। ଏଥିରୁ ୩୫ ଲକ୍ଷ ହେକ୍ଟର ଧାନ ଫସଲ ହୋଇଥିବା ବେଳେ ଅନ୍ୟ ଜମିରେ ଡାଲିଜାତୀୟ, ମିଲେଟ୍, ତୈଳବୀଜ, କପା, ଝୋଟ, ମସଲା ଏବଂ ପରିବା ଚାଷ ହୋଇଥିଲା। ଏଥିପାଇଁ ୯ ଲକ୍ଷ ୮୦ ହଜାର ମେଟ୍ରିକ ଟନ୍ ରାସାୟନିକ ସାରର ଆବଶ୍ୟକତା ଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ ଲକ୍ଷ ୮୨ ହଜାର ୬୪୦ ମେଟ୍ରିକ ଟନ୍ ସାର ଯୋଗାଣ ହେଲା। ସେଥିରେ ପୁଣି ଖରିଫ ଫସଲ ଆରମ୍ଭରୁ ମରୁଡ଼ି ହେବାରୁ ଅଧିକ ସାର ବ୍ୟବହାର ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଗଲା। କିନ୍ତୁ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ସାର ମିଳିଲା ନାହିଁ। ସ୍ଥିତି ଏଭଳି ହେଲା ଯେ ବର୍ଷତମାମ ଚାଷୀ ସାର ପାଇଁ କଲବଲ ହୋଇଥିଲେ। ଯେତିକି ମିଳିଲା ତାହା ମଧ୍ୟ ଆବଶ୍ୟକତା ସମୟରେ ନମିଳିବାରୁ ଅବସ୍ଥା ଜଟିଳ ହୋଇ ପଡ଼ିଲା। ଆବଶ୍ୟକତା ଅନୁସାରେ କମ ଯୋଗାଣ ହେତୁ ସମବାୟ କେନ୍ଦ୍ରମାନଙ୍କରେ ବିକଳିଆ ସ୍ଥିତି ହୋଇଥିଲା। କମ ଚାଷ ହେତୁ ରବିରେ କେବେ ମଧ୍ୟ ସାର ସଙ୍କଟ ହୁଏ ନାହିଁ। ୨୦୨୧ ରବି ସେହି ସ୍ଥିତିକୁ ମଧ୍ୟ ବଳିଗଲା। ଚାଷୀ ଆନ୍ଦୋଳନ କରି ସାର ପାଇଥିବା କହିଲେ ତ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଚାପ ପ୍ରୟୋଗ କରି ଓଡ଼ିଶାକୁ ସାର ହାସଲ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଗଲା।
ଏଣେ କେନ୍ଦ୍ର ସରକାରଙ୍କ ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ୩ ମାସ ମଧ୍ୟରେ ସାର ଦର ୫୦ ପ୍ରତିଶତ ବୃଦ୍ଧି ସଙ୍କଟର କାରଣ ବୋଲି କୁହାଗଲା। ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ଜୈବିକ ସାର ବ୍ୟବହାରକୁ ଗୁରୁତ୍ବ ଦେଲେ। ଏହାକୁ ଦୃଷ୍ଟିରେ ରଖି ବାୟୋଷ୍ଟିବୁଲେଟ ବିକ୍ରିକୁ ଲାଇସେନ୍ସ ପରିସରଭୁକ୍ତ କରାଗଲା। କିନ୍ତୁ ଏହାର ପରୀକ୍ଷଣ ପାଇଁ ପରୀକ୍ଷାଗାର କରାଗଲା ନାହିଁ। କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ଜୈବିକ ସାର ବିକ୍ରି କରୁଥିବା କମ୍ପାନିମାନଙ୍କୁ ସାର୍ଟିଫାଏଡ କରିବାକୁ କୁହାଯାଇଛି। ମାର୍ଚ ସୁଦ୍ଧା କେନ୍ଦ୍ର ସରକାର ସେମାନଙ୍କୁ ଲାଇସେନ୍ସ ଦେବ। ଏଥିପାଇଁ ଓଡ଼ିଶାର ୫ଟି କମ୍ପାନି ଆବେଦନ କରିଛନ୍ତି। ଏଣେ କିନ୍ତୁ ମହାନଗର ଏବଂ ପୌର ପରିଷଦ ପକ୍ଷରୁ ଉତ୍ପାଦିତ ଖତ ଉପରେ ଟନ୍ ପିଛା ୧୫୦୦ ଟଙ୍କା ସବ୍ସିଡିକୁ ଚଳିତ କେନ୍ଦ୍ର ବଜେଟରେ ବନ୍ଦ କରିଦିଆଗଲା। ଏଥିଯୋଗୁଁ ରାଜ୍ୟରେ ସରକାରୀସ୍ତରରେ ଉତ୍ପାଦିତ ଜୈବିକ ସାର ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି। ଜୈବିକ ସାର ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଅତି ପଛୁଆ ରହିଛି। ସମୁଦାୟ ଆବଶ୍ୟକତାର ୨ରୁ୩ ପ୍ରତିଶତ ଜୈବିକ ସାର ବ୍ୟବହାର କରାଯାଏ। ଏହାର ଏକ ବଡ଼ କାରଣ ହେଲା, ବିହନ ନେଇ ରାଜ୍ୟ ଅନ୍ୟ ଉପରେ ନିର୍ଭରଶୀଳ। ହାଇବ୍ରିଡ ଏବଂ ହାଇଏଲ୍ଡ ବିହନ ପାଇଁ ରସାୟନିକ ସାରର ଆବଶ୍ୟକତା ପଡ଼ିଥାଏ। ରାଜ୍ୟକୁ ବିହନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ କେନ୍ଦ୍ର ସରକାର ସହାୟତା କରିବାକୁ ମଧ୍ୟ ଦାବି କରାଯିବ ବୋଲି ରାଜ୍ୟ କୃଷି ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
୨୪ ତାରିଖରେ ସାରକୁ ନେଇ ସମସ୍ତ ରାଜ୍ୟ ସହିତ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ସେଠାରେ ଓଡ଼ିଶା ତା’ର ଆବଶ୍ୟକତା ଏବଂ ଦାବି ଉପସ୍ଥାପିତ କରିବ। ଏଥିସହିତ ତିନି ବର୍ଷର ଚାଷ, ସାର ବ୍ୟବହାର ସମେତ ବିଭିନ୍ନ ପ୍ରକାର ରିପୋର୍ଟ ଉପସ୍ଥାପିତ ହେବ। ଏହାପରେ ଓଡ଼ିଶାକୁ କେନ୍ଦ୍ର କେତେ ସାର ଦେବ ସେନେଇ ନିଷ୍ପତ୍ତି ନିଆଯିବ। ସାର ଯୋଗାଣ ବେଳେ କେନ୍ଦ୍ର ସରକାର ସର୍ବଦା ବିଜେପି ଶାସିତ ରାଜ୍ୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ଶିକାର ଓଡ଼ିଶାକୁ ଗୁରୁତ୍ବ ଦେବେ ଏବଂ ରାଜ୍ୟ ତା’ର ଦାବି ଠିକ ଭାବରେ ଉପସ୍ଥାପିତ କରିବ ବୋଲି ଆଶା ରହିଛି।