ସାର କାରଖାନା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ତ୍ରିପାକ୍ଷିକ ବୈଠକ ବିଫଳ ଚିନ୍ତାରେ ପ୍ରଶାସନ, କମ୍ପାନି କର୍ତ୍ତୃପକ୍ଷ

ଗ୍ରାମବାସୀଙ୍କ ନିଷ୍ପତ୍ତିରେ କାରଖାନାର ଭାଗ୍ୟ, ୪ ଘଣ୍ଟା କାଳ ବୁଝାଇଲେ ବି ବୁଝିଲେନି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନି ଇଣ୍ତଷ୍ଟ୍ରିଆଲ ପାର୍କ ପରିସରରେ ‘ସ୍ମାର୍ଟକେମ୍ ଟେକ୍ନୋଲୋଜି’ ସାର କାରଖାନା ନିର୍ମାଣକୁ ନେଇ ଅଚଳାବସ୍ଥା ଜାରି ରହିଛି। ଗ୍ରାମବାସୀଙ୍କ ବିରୋଧ ଜାରି ଯୋଗୁଁ ପ୍ରକଳ୍ପ କାମ ଆଗେଇ ପାରୁ ନଥିବାରୁ କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ଏପରିକି ଆନ୍ଦୋଳନ ବେଳେ ବହୁବାର ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଫଳରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଏକ ତ୍ରିପାକ୍ଷିକ ବୈଠକ ଡାକିଥିଲା। କିନ୍ତୁ ଏହି ବୈଠକ ମଧ୍ୟ ବିଫଳ ହୋଇଥିବା ବେଳେ ଗ୍ରାମବାସୀ ନିଜ ଆଭିମୁଖ୍ୟରେ ଅଟଳ ଅଛନ୍ତି। ଫଳରେ ପ୍ରଶାସନର ଚିନ୍ତା ଦ୍ବିଗୁଣିତ ହୋଇଛି।

ବୁଧବାର ଦିନ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କମ୍ପାନି କର୍ତ୍ତୃପକ୍ଷ, ପୁଲିସ, ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ୪ ଘଣ୍ଟା ଧରି ଆଲୋଚନା ହୋଇଥିଲେ ହେଁ, କୌଣସି ସମାଧାନର ବାଟ ବାହାରି ନଥିଲା ବୋଲି କାଳିପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ବି.ମୋହନ ପାତ୍ର କହିଛନ୍ତି।

କାରଖାନାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ବୈଠକରେ ଉଦ୍ୟମ କରାଯାଇଥିଲା। କମ୍ପାନି କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ କୁହାଯାଇଥିଲା ଯେ, ଏଭଳି ଏକ କାରଖାନା ମହାରାଷ୍ଟ୍ରରେ ବି ରହିଥିବା ବେଳେ ନିକଟ ଜନବସତି ଇଲାକା ଉପରେ ଏହା କୌଣସି ଖରାପ ପ୍ରଭାବ ପକାଉନି। ଏଥିପାଇଁ କାଳିପଲ୍ଲୀ ଗ୍ରାମବାସୀଙ୍କୁ ସଚେତନ କରିବାକୁ ମହାରାଷ୍ଟ୍ରରେ ଥିବା ଉକ୍ତ କାରଖାନାକୁ ପରିଦର୍ଶନରେ ଯିବା ଲାଗି ପରାମର୍ଶ ଦିଆଯାଇଥିଲା। ଏହାସହ କାରଖାନା ପ୍ରତିଷ୍ଠା ହେବ କି ନାହିଁ, ଏନେଇ ଗ୍ରାମବାସୀ ନିଜେ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ କୁହାଯାଇଥିଲା।

ତେବେ ଗ୍ରାମବାସୀ କହିଥିଲେ, ପୂର୍ବରୁ କାରଖାନା ନିର୍ମାଣ ନେଇ ଜନଶୁଣାଣି ହୋଇନି। ପ୍ରଦୂଷଣ ବୋର୍ଡ଼ରୁ ଆସିଥିବା ଅଧିକାରୀ ଏହା ଉପରେ ଜବାବ ରଖି ଜନଶୁଣାଣିର ଆବଶ୍ୟକ ନାହିଁ ବୋଲି କହିବାରୁ ଏହାକୁ ନେଇ ଗ୍ରାମବାସୀ ଯୁକ୍ତିତର୍କ କରିଥିଲେ। ଏଣୁ ଆନ୍ଦୋଳନ ଜାରି ରହିବ ଏବଂ କାରଖାନା ନିର୍ମାଣ କାମ ମଧ୍ୟ ବନ୍ଦ ରଖାଯିବ ବୋଲି ଯୁକ୍ତ ବାଢ଼ିଥିଲେ। ତେବେ ମୋଟାମୋଟି ଭାବେ ଏହି ବୈଠକ ବିଫଳ ହୋଇଥିବା କାଳିପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଶ୍ରୀ ପାତ୍ର କହିଛନ୍ତି। ସେହିପରି ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସମୂହ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପାତ୍ର କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ଉପ‌ରେ ବିଶଦ୍ ଭାବେ ଆଲୋଚନା ହୋଇଛି। ଆସନ୍ତା ଦୁଇଦିନ ମଧ୍ୟରେ ବୈଠକ କରି ନିଷ୍ପତ୍ତି ନେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହାପରେ କାମ ଆରମ୍ଭ ହେବ। ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍, ତହସିଲଦାର ପ୍ରକାଶ କୁମାର ମିଶ୍ର, ଚମାଖଣ୍ତି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, କାଳିପଲ୍ଲୀ ଗ୍ରାମ୍ୟ କମିଟି, ବଡ଼ପୁଟି ଓ ବନ୍ଦର ଗ୍ରାମ୍ୟ କମିଟିର ସଦସ୍ୟବୃନ୍ଦଙ୍କ ସମେତ ଓ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଫଳରେ ଗ୍ରାମବାସୀଙ୍କ ନିଷ୍ପତ୍ତିରେ କାରଖାନାର ଭାଗ୍ୟ ଲଟକି ରହିଛି।

ସମ୍ବନ୍ଧିତ ଖବର