ରାଜ୍ୟରେ ସାରର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ

ଭୁବନେଶ୍ୱର: ଆଜି ବିଧାନସଭାରେ ରାଜ୍ୟରେ ସାରର ଯୋଗାଣ ଓ କଳାବଜାରୀକୁ ନେଇ ବିରୋଧୀମାନେ ଉଦବେଗ ପ୍ରକାଶ କରିଛନ୍ତି | କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନାବେଳେ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି । ଏହା ହେଉଛି ଅମଲାତନ୍ତ୍ର ସରକାର । ସାରର ବ୍ୟାପକ କଳାବଜାରୀ ହେଉଛି । ଡିଲରମାନେ ମନମାନି କରୁଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗୃହରେ କହିଛନ୍ତି ସାଲୁଜା । ସେହିପରି ସୁରେଶ ରାଉତରାୟ କହିଛନ୍ତି ସାର ଯେଉଁ ପରିମାଣରେ ଚାଷୀଙ୍କୁ ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆଯାଉନାହିଁ । ଅଧିରାଜ ପାଣିଗ୍ରାହୀ ବି କହିଛନ୍ତି ଚାଷୀଙ୍କୁ ଅଧିକ ଟଙ୍କାରେ ସାର କିଣିବାକୁ ବାଧ୍ୟ କରାଯାଉଛି ।

କଳାବଜାରୀ ହେଉଥିଲେ ବି ସରକାର ଗୁରୁତ୍ୱ ଦେଉ ନାହାନ୍ତି। ସେପଟେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ କେନ୍ଦ୍ର ସରକାର ଯାହା ଦେଉଛନ୍ତି ସେଥିମଧ୍ୟରୁ ରାଜ୍ୟବାସୀଙ୍କୁ ୮୫ ପ୍ରତିଶତ ସାର ଯୋଗାଇ ଦିଆଯାଇଛି । ୨ ଲକ୍ଷ ୫ ହଜାର ୨୦୦ ମେଟ୍ରିକ ଟନ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ ଟନ ଡ଼ିଏପି , ୨୬ ହଜାର ୬୯୮ ମେଟ୍ରିକ ଟନ ପଟାସ୍ , ୯୫ ହଜାର ୬୩୮ ମେଟ୍ରିକ ଟନ ଗ୍ରୁମର ଯୋଗାଇ ଦିଆଯାଇଛି ।

ମାତ୍ର ଗତ ୫ ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି । ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲରୁ ଜୁନ ଶେଷ ପର୍ଯ୍ୟନ୍ତ ୩ ଲକ୍ଷ ୯୦ ହଜାର ମେଟ୍ରିକ ଟନ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଚୁକ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୬ ହଜାର ୭୬୦ ମେଟ୍ରିକ ଟନ ସାର ଯୋଗାଇ ଦେଇ ନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ସାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ନେଇ ଏହାର ପରିଚାଳନା କରାଯାଉଛି। ତେବେ ଯଦି ରାଜ୍ୟର କୌଣସି ଜାଗାରେ କଳାବଜାରୀ କରାଯାଉଥିବାର ଅଭିଯୋଗ ଅଛି ତେବେ ବିଭାଗକୁ ଜଣାଇଲେ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର