ଗୋପ : ସାର କଳାବଜାରରେ ଲାଗୁନି ଲଗାମ, ଶୋଷଣର ଶିକାର ହେଉଛନ୍ତି ଚାଷୀ, ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଗୋପ : ଗୋପ ବ୍ଲକ୍‌ରେ ବ୍ୟବସାୟୀମାନେ ଏବେ ସାର କଳାବଜାରରେ ମାତିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବ୍ୟବସାୟୀଙ୍କ ଉପରେ କୌଣସି ଲଗାମ ନଥିବାରୁ ସେମାନେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ୟୁରିଆ ସାର ୨୬୬ ଟଙ୍କାରେ ବିକ୍ରୟ କରିବା କଥା। ମାତ୍ର ତାହା ଏବେ ବଜାରରେ ୪୫୦ ଟଙ୍କାରେ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚଢ଼ା ଦରରେ ସାର ବିକ୍ରି ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କେତେକ ଡିଲର ଏବେ ଚାଷୀମାନଙ୍କୁ ୟୁରିଆ ସାର କିଣିଲେ ଜବରଦସ୍ତି ୨୫୦ ଟଙ୍କାର ଅଣୁସାର କିଣିବା ପାଇଁ ବାଧ୍ୟ କରୁଛନ୍ତି। ଫଳରେ ଏହା ଚାଷୀମାନଙ୍କ ପାଇଁ ‌ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

SGS.com

ସେପଟେ ୟୁରିଆ ସାର ଅଭାବରୁ ଧାନ ଫସଲ ଉଜୁଡ଼ିବାର ଆଶଙ୍କା ଦେଖାଦେଇଛି। ବାତ୍ୟା ‘ଫନି’ରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିଲା। ବହୁ କଷ୍ଟରେ ଋଣ କରି ଚାଷୀମାନେ ଧାନ ଚାଷ ଆରମ୍ଭ କରିଥିଲେ। ତେବେ ଡିଲରମାନେ କଳାବଜାରରେ ମାତିଥିବାରୁ ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଡିଲରଙ୍କ ମନମୁଖି କାର୍ଯ୍ୟକୁ ଚାଷୀମାନେ ବିରୋଧ କରିଛନ୍ତି। ଅଣ୍ଢରା ଇଚ୍ଛାପୁର, ଗଣେଶ୍ବରପୁର, ନାଗପୁର, ଡଭାର, ଗୋପ, ବେଦପୁର ଆଦି ପଞ୍ଚାୟତର ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ସପ୍ତାହରେ ରାସ୍ତାରୋକ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସାର କଳାବଜାର ହେଉଥିବା ଏବଂ ୟୁରିଆ ସାର କିଣିଲେ ଅଣୁସାର କିଣିବାକୁ ବାଧ୍ୟ କରାଯାଉଥିବା ଖବର ଜାଣି ମଧ୍ୟ ବିଭାଗୀୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଏ ସଂପର୍କରେ କୃଷି ଅଧକାରୀ ପ୍ରସନ୍ନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆମ ପାଖରେ ଏଭଳି ଖବର ନଥିଲା। କଳାବଜାର କରୁଥିବା ଡିଲରଙ୍କ ବିରୋଧରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର