୨ ଏକର ଜମି ଥିବା ଚାଷୀଙ୍କ ନାଁରେ ଉଠିଛି ୧୩୦ ବସ୍ତା ୟୁରିଆ
୪ ଲ୍ୟାମ୍ପସ ଏମଡ଼ି, ଏମପିସିଏସ୍ ସଂପାଦକଙ୍କ ନାଁରେ ହେବ କାର୍ଯ୍ୟାନୁଷ୍ଠାନ
ଦୁର୍ନୀତିରେ ସଂପୃକ୍ତ ଡିଲରଙ୍କ ଲାଇସେନସ୍ ରଦ୍ଦ ପାଇଁ ସୁପାରିଶ
ଏଡିଏମଙ୍କ ତଦନ୍ତ ପରେ ସିଡିଏଓ, ଡିଆରସିଏସକୁ ରିପୋର୍ଟ ତଲବ
ରାୟଗଡ଼ା : ବିଷମକଟକର ଚାଷୀ ପାଇକାନି ବାଗ। ୨.୭୩ ଏକର ଜମିରେ କରିଛନ୍ତି ଧାନ ଚାଷ। ଜମି ପରିମାଣ ଅନୁସାରେ ଚାଷ ପାଇଁ ଆବଶ୍ୟକ ମାତ୍ର ୫ ବସ୍ତା ୟୁରିଆ। ହେଲେ ପାଇକାନିଙ୍କ ନାଁରେ ଉଠିଛି ୧୩୦ ବସ୍ତା। ପାଇକାନି ବିଷମକଟକର ଏକ ଡିଲରଙ୍କଠାରୁ ସାର କିଣିଥିବା ବେଳେ ସାର ଦୁର୍ନୀତିକୁ ଚାଲିଥିବା ଖୋଳତାଡ଼ ସମୟରେ ସଂପୃକ୍ତ ଡିଲର ଜଣଙ୍କ ଆଉ କିଏ ନୁହଁନ୍ତି ଖୋଦ୍ ପାଇକାନିଙ୍କ ସ୍ବାମୀ ବୋଲି ଜଣା ପଡ଼ିଛି। ନିଜ ସ୍ତ୍ରୀଙ୍କ ନାଁରେ ଡିଲର ବଳକା ୧୨୫ ବସ୍ତା ସାର ବେଆଇନ ଭାବେ ଚଢ଼ା ଦରରେ ଖୋଲା ବଜାରରେ ବିକ୍ରି କରିଥିବା ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି।
କେବଳ ବିଷମକଟକ ନୁହଁ, କୋଲନରାରେ ମଧ୍ୟ ଏହି ଧରଣର ଦୁର୍ନୀତି ହୋଇଛି। କୋଲନରା ଲ୍ୟାମ୍ପସରୁ ୬୦ ବସ୍ତା ୟୁରିଆ ନେଇଥିବା ଚାଷୀ ଜଗନ୍ନାଥ ସାହୁ ନିଜେ ଜଣେ ଡିଲର। ଯାହାଙ୍କୁ କୃଷି ବିଭାଗ ସାର ବିକ୍ରି ପାଇଁ ଲାଇସେନସ୍ ପ୍ରଦାନ କରିଛି। ଜଗନ୍ନାଥଙ୍କ ୧୩.୬୫ ଏକର ଚାଷ ଜମି ପାଇଁ ୨୦ ବସ୍ତା ୟୁରିଆର ଆବଶ୍ୟକତା ରହିଛି। କିନ୍ତୁ ଜଗନ୍ନାଥ ଆବଶ୍ୟକତା ଅଧିକା ୪୦ ବସ୍ତା ୟୁରିଆ ଲ୍ୟାମ୍ପସରୁ ଆଣି ନିଜର ଡିଲରସିପ୍ ଜରିଆରେ ବାହାରେ ବିକ୍ରି କରିଛନ୍ତି।
ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ରାୟଗଡ଼ାରେ ସାର ଦୁର୍ନୀତିର ଇଏ ଗୋଟିଏ ଗୋଟିଏ ପ୍ରମାଣ। ଜିଲ୍ଲାର ୧୩ ଲ୍ୟାମ୍ପସ ସମେତ ରାୟଗଡ଼ା ଏମପିସିଏସ୍, ମାର୍କଫେଡ୍, ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଡିଲର ସଂପୃକ୍ତ ଅଛନ୍ତି ଏହି ଦୁର୍ନୀତିରେ। ଯାହାକୁ ପ୍ରଶୟ ଦେଇଛି କୃଷି ବିଭାଗ। ସାର ବିକ୍ରି ପରେ କୃଷି ବିଭାଗ ଏନଫୋର୍ସମେଣ୍ଟ୍ ସ୍କ୍ବାର୍ଡ କୌଣସି ଯାଞ୍ଚ କରିନାହାନ୍ତି। ଯାହା ଦୁର୍ନୀତି ପାଇଁ ବାଟ ଖୋଲିବା ସହ ବିଭାଗୀୟ ଅଧିକାରୀ-ଡିଲରଙ୍କ ଲାଗି ସାହାଣମେଲା ସଦୃଶ୍ୟ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସାର ବିକ୍ରିରେ ହୋଇଥିବା ଘୋଟାଲାର ତଦନ୍ତ କରିବା ପରେ ଜିଲ୍ଲାର ରାୟଗଡ଼ା, କୋଲନରା, କଲ୍ୟାଣସିଂହପୁର, ମୁନିଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦେଶକଙ୍କ ସମେତ ରାୟଗଡ଼ା ଏମପିସିଏସ୍ ସଂପାଦକଙ୍କ ନାଁରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ତୁରନ୍ତ ଏହି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସମବାୟ ସମିତି ସମୂ୍ହ ଉପନିବନ୍ଧକ, ରାୟଗଡ଼ା ବିଭାଜନଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଦୁର୍ନୀତିରେ ସଂପୃକ୍ତ ଡିଲରଙ୍କ ଲାଇସେନସ୍ ରଦ୍ଦ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦେଶ ହୋଇଛି। ଯାହାର ପ୍ରକ୍ରିୟା ବିଭାଗୀୟ ସ୍ତରରେ ଆରମ୍ଭ ହୋଇଛି।
ମୁନିଗୁଡ଼ା ଲ୍ୟାମ୍ପସରେ ମଧ୍ୟ ଚାଷୀ ନେଇଥିବା ସାରରେ ବ୍ୟାପକ ଅନିୟମିତତା ହୋଇଛି। ଜଣେ ଚାଷୀଙ୍କ ନାଁରେ ୫୩ ବସ୍ତା ବଦଳରେ ୭୮ ବସ୍ତା, ୨୪ ବସ୍ତା ବଦଳରେ ୭୫ ବସ୍ତା, ୪୨ ବଦଳରେ ୭୦ ବସ୍ତା ସାର ଉଠାଇ ଖୋଲା ମାର୍କେଟରେ ବିକ୍ରି କରାଯାଇଛି। ଯାହାର ସୁରାକ୍ ପାଇ ନାହାନ୍ତି ଚାଷୀ। ଗୁଣପୁର ବ୍ଲକ୍ ଗୋଠଲପଦରର ଚାଷୀ ପାଲକା ରମେଶ ଚାଷ ପାଇଁ ୨ ବସ୍ତା ୟୁରିଆ ନେଇଥିବା ବେଳେ ତାଙ୍କ ନାଁରେ ଉଠିଛି ୭୦ ବସ୍ତା। ବଳକା ୬୮ ବସ୍ତା ଖୋଲା ମାର୍କେଟରେ କଳାବଜାର କରି ବିକ୍ରି କରାଯାଇଛି। ସେହିପରି କଲ୍ୟାଣସିଂହପୁର ଖଡିକାନାଳର ଚାଷୀ ଜି. ସୀମାଞ୍ଚଳମଙ୍କ ନାଁରେ ୭୪ ବସ୍ତା ସାର ଉଠିଥିବା ବେଳେ ଚାଷ କାମରେ ବ୍ୟବହାର ହୋଇଛି ୧୫ ବସ୍ତା ସାର। ବଳକା ୫୯ ବସ୍ତାକୁ ଚଢ଼ା ଦରରେ ମାର୍କେଟରେ ବିକ୍ରି କରାଯାଇଛି। ହାସକୁ ଗ୍ରାମର ଚାଷୀ ବି. କଣ୍ଡାଗିରିଙ୍କ ନାଁରେ ୬୬ ବସ୍ତା ସାର ଉଠିଥିବା ବେଳେ ଚାଷକାର୍ଯ୍ୟରେ ବ୍ୟବହାର ହୋଇଛି ୨୫ ବସ୍ତା। ବଳକା ୪୧ ବସ୍ତାକୁ ଚାଷୀଙ୍କ ନାଁରେ ଗାଏବ କରାଯାଇଥିବା ତଦନ୍ତ ସମୟରେ ଜଣା ପଡ଼ିଛି। ସାର ଯୋଗାଣରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ପରେ ଲ୍ୟାମ୍ପସ, ଏମପିସିଏସ୍ ଅଧିକାରୀ ଓ ଡିଲରଙ୍କ ନିଦ ହଜି ଯାଇଛି।
ଚଳିତ ଖରିଫ୍ ପାଇଁ ଜିଲ୍ଲାକୁ ୧୪ ହଜାର ମେଟ୍ରିକ୍ ଟନ୍ ୟୁରିଆର ଆବଶ୍ୟକତା ଥିବା ବେଳେ ଏବେ ସୁଦ୍ଧା ୧୦ ହଜାର ୮୦୦ ମେଟ୍ରିକ୍ ଟନ୍ ୟୁରିଆ ଜିଲ୍ଲାରେ ପହଞ୍ଚିଛି।