ଭୁବନେଶ୍ବର: ରାଜ୍ୟରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପସ୍ ଜରିଆରେ ସାର ବଣ୍ଟନ କାର୍ଯ୍ୟକୁ ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। କୌଣସି ପ୍ରକାର କଳାବଜାରୀ, ଗଚ୍ଛିତ କିମ୍ବା ନକଲି ସାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯାଞ୍ଚ ସ୍ଥାନରେ ସାରକୁ ଜବତ ନ କରି ସେହି ସାରକୁ ନିକଟସ୍ଥ ପ୍ୟାକ୍ସ କିମ୍ବା ଲ୍ୟାମ୍ପସ୍କୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରାଯାଉ। ରାଜ୍ୟରେ ସାର ଅଭାବ ନେଇ ଅସନ୍ତୋଷ ତେଜୁଥିବା ବେଳେ ଆଜି ସ୍ଥିତି ସମୀକ୍ଷା କରିବା ସହିତ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି। ୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯.୫୫ ଲକ୍ଷ ମେଟ୍ରିକ ଟନ୍ ସାର ଆବଶ୍ୟକ ଥିଲା। କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଏହାଠାରୁ ଅଧିକ ସାର ଆବଶ୍ୟକ, ତେବେ କେନ୍ଦ୍ର ସରକାରଙ୍କୁ ସେତିକି ପରିମାଣର ସାର ଯୋଗାଇ ଦେବାକୁ ଅନୁରୋଧ କରାଯିବ। ବର୍ତ୍ତମାନସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଥିବା ୧୧ଲକ୍ଷ ୬୬ହଜାର ୭୩୩ ମେଟ୍ରିକ୍ ଟନ୍ ସାର ଭିତରୁ ୯ ଲକ୍ଷ ୮୫ ହଜାର ୯୬୭ ମେଟ୍ରିକ ଟନ୍ ସାର ବିକ୍ରି ହୋଇସାରିଛି। ଜିଲ୍ଲାରେ ସାର ଷ୍ଟକ୍ର ସ୍ଥିତି ଓ ଆବଶ୍ୟକତା ଅନୁସାରେ ପ୍ୟାକ୍ସ ଓ ଲ୍ୟାମ୍ପସ୍କୁ ବିଭିନ୍ନ ଗ୍ରେଡ୍ର ସାର ଯୋଗାଇବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶ୍ରୀ ମାଝୀ ଆହୁରି କହିଛନ୍ତି ଯେ ମାର୍କଫେଡ୍ର ଅଧିକାରୀଙ୍କୁ ସାର ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ଓ ବ୍ଲକ୍ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବା, କଳାବଜାରୀ ରୋକିବା ପାଇଁ ପ୍ରବର୍ତ୍ତନକୁ ଅଧିକ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଫସଲ ବିବିଧତା ଓ ସମନ୍ବିତ କୃଷି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା, ତୈଳବୀଜ ଓ ଡାଲି ଜାତୀୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ କରି ସେଠାରେ ଚାଷୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ସେହି ଅଞ୍ଚଳରେ ଚାଷୀମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ସାର ବଣ୍ଟନ ବିଷୟରେ ପଚାରି ବୁଝିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ।