ସମ୍ବଲପୁର: ରାଜ୍ୟରେ ୟୁରିଆ ଓ କଂପ୍ଲେକ୍ସ ସାରର କୌଣସି ଅଭାବ ନାହିଁ। ଚଳିତ ବର୍ଷର ଖରିଫ ଚାଷରେ ଆବଶ୍ୟକ ଥିବା ୯.୫୫ ଲକ୍ଷ ମେଟ୍ରିକ ଟନ୍ରୁ ୭.୬୬ ଲକ୍ଷ ମେଟ୍ରିକ୍ ଟନ୍ ସାର ଆସି ପହଞ୍ଚିସାରିଛି। ପୂର୍ବରୁ ବଳକା ୪ ଲକ୍ଷ ମେଟ୍ରିକ ଟନ୍ ମଧ୍ୟ ବିଭିନ୍ନ ଜିଲ୍ଲାରେ ରହିଛି। ଏଥିରୁ ୩.୩୫ ଲକ୍ଷ ମେଟ୍ରିକ ଟନ୍ ବିକ୍ରି ହେଲାଣି। ଚାଷର ପ୍ରାରମ୍ଭିକ ସମୟରେ ଯେଉଁ କଂପ୍ଲେକ୍ସ ସାରର ସର୍ବାଧିକ ଚାହିଦା ରହିଛି, ତାହା ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥାତ୍ ୭୫ ହଜାର ମେଟ୍ରିକ ଟନ୍ ରହିଛି। ତେଣୁ ସାର ପାଇଁ କୌଣସି ଅସୁବିଧା ହେବା କଥା ନୁହେଁ ବୋଲି କହିଛି ରାଜ୍ୟ କୃଷି ବିଭାଗ। କିନ୍ତୁ ବାସ୍ତବତାକୁ ଦେଖିଲେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷି ଜିଲ୍ଲାଗୁଡ଼ିକରେ ଚାଷୀମାନେ ଚଳିତ ଖରିଫ ଋତୁରେ ଉତ୍କଟ ସାର ସଙ୍କଟର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି। ଏପରିକି ସାରକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ସାର କଳାବଜାର ବିରୋଧରେ ବର୍ତ୍ତମାନଠାରୁ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଉଭୟ ସରକାର ଓ ଚାଷୀଙ୍କ ପାଇଁ ଏହା ଏକ ବଡ଼ ଆହ୍ବାନ ପାଲଟିବ ବୋଲି କୁହାଯାଉଛି।
ଖୋଲାବଜାରରେ ଚଢ଼ାଦରରେ ବିକ୍ରି ହେଉଛି
କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ
ରାଜ୍ୟକୁ ସାର ଆବଣ୍ଟିତ କରିଥାଏ କେନ୍ଦ୍ର। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖରିଫ ଓ ରବି ପାଇଁ ପ୍ରତି ମାସରେ ସାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୁଏ। କୃଷି ବିଭାଗ ଅନୁସାରେ ଜର୍ମାନୀ, କାନାଡ଼ା, ୟୁଏଇରୁ ସାର ଆମଦାନି କରାଯାଇ ସରକାର ରିହାତିରେ ଚାଷୀଙ୍କୁ ଦେଇଥାଆନ୍ତି। ଯାହା ମାର୍କଫେଡ୍, ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଜରିଆରେ ଚାଷୀଙ୍କ ପାଖରେ ପହଞ୍ଚିଥାଏ। ଅନୁମତିପ୍ରାପ୍ତ ବ୍ୟବସାୟୀମାନେ ମଧ୍ୟ ସାର ବିକ୍ରି କରିଥାଆନ୍ତି। ଡ୍ରାଇଭର ଆନ୍ଦୋଳନ ଯୋଗୁ ସମ୍ବଲପୁର ଓ ଜୟପୁର କୃଷି ଜିଲ୍ଲାକୁ ସାର ପହଞ୍ଚିବାରେ ଡେରି ହୋଇଥିଲା। ଇତିମଧ୍ୟରେ ଏହାର ସମାଧାନ ହୋଇସାରିଛି। ଖରିଫ ପ୍ରାରମ୍ଭିକ ସମୟରେ ଧାନରୁଆ ବେଳକୁ କଂପ୍ଲେକ୍ସ ସାରର ସର୍ବାଧିକ ଆବଶ୍ୟକତା ଥାଏ। କୃଷି ଯୋଜନା ଅନୁଯାୟୀ ମୋଟ ଆବଶ୍ୟକତା ୨.୪୦ ଲକ୍ଷ ମେଟ୍ରିକ ଟନ୍ରୁ ୧.୨୦ ଲକ୍ଷ ମେଟ୍ରିକ ଟନ୍ କଂପ୍ଲେକ୍ସ ସାର ପହଞ୍ଚିସାରିଛି।
କିନ୍ତୁ ସମ୍ବଲପୁର ଓ ବରଗଡ଼ ଚାଷୀ ପୃଥକ୍ କଥା କହୁଛନ୍ତି। ଏକ ମାସରୁ ଅଧିକ ସମୟ ହେଲା ପ୍ୟାକ୍ସ ଓ ଦୋକାନରେ ସାର ମିଳୁ ନାହିଁ। ୧୩୦୦ ଟଙ୍କା ଏମ୍ଆର୍ପି ବିଶିଷ୍ଟ ୫୦ କେଜିର ଡିଏପି ବସ୍ତା ୧୮୦୦ରୁ ୨୦୦୦ ଟଙ୍କା ଓ ୧୩୯୦ ଟଙ୍କା ବିଶିଷ୍ଟ ଗ୍ରୋମୋର ୨୦୦୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଚାଷୀ ସଙ୍ଗଠନର ଅଭିଯୋଗ ହେଲା, ଗତବର୍ଷର ଷ୍ଟକ୍ ସାର ବର୍ତ୍ତମାନ ପ୍ୟାକ୍ସ ବଦଳରେ ବ୍ୟବସାୟୀଙ୍କ କବ୍ଜାରେ ରହିଛି। ଯାହା ସେମାନେ ନିଜ ଲାଭ ପାଇଁ ବ୍ୟବହାର କରୁଛନ୍ତି। ଦୁଇଟି ଫସଲ କରୁଥିବା ଚାଷୀ ବଳକା ସାର ବ୍ୟବହାର କରିପାରୁଛନ୍ତି କିମ୍ବା ଅଧିକ ଟଙ୍କାରେ ସାର କିଣି ନିଜ ଆବଶ୍ୟକତା ପୂରଣ କରିପାରୁଛନ୍ତି। କିନ୍ତୁ ଗୋଟିଏ ଫସଲ କରୁଥିବା କ୍ଷୁଦ୍ର ଓ ଅଣଋଣୀ ଚାଷୀଙ୍କ ଅବସ୍ଥା ଜଟିଳ ହେଉଛି। ପଶ୍ଚିମଓଡ଼ିଶାରେ ସାରର ବଡ଼ଧରଣର କଳାବଜାର ଚାଲିଥିବା ଜଳଜଳ ଦିଶୁଥିଲେ ବି ବର୍ତ୍ତମାନ ଏହା ରୋକିବା ନେଇ କୃଷିବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି।