ଜଳେଶ୍ବର ଅଞ୍ଚଳରେ ଚଢ଼ା ଦରରେ ସାର ବିକ୍ରି

ଜଳେଶ୍ବର: ଜଳେଶ୍ବର ବ୍ଲକରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ଚାଷୀଙ୍କୁ ସାର ବିକ୍ରି ହେଉଥିବାରୁ ୩୫ ହଜାରରୁ ଊର୍ଦ୍ଧ୍ବ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଚଢ଼ା ଦରରେ ସାର ବିକ୍ରି ରୋକିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସୂଚନା ଅନୁସାରେ, ଚଳିତ ଖରିଫ ଋତୁରେ ଜଳେଶ୍ବର ବ୍ଲକରେ ୩୦ ହଜାରରୁ ଊର୍ଦ୍ଧ୍ବ ଚାଷୀ ୧୯୯୯୦ ହେକ୍ଟର ଜମିରେ ଧାନଚାଷ ଓ ୩୩୩୫ ହେକ୍ଟର ଜମିରେ ଅଣଧାନ ଚାଷ କରିଛନ୍ତି। ଧାନଚାଷ ପାଇଁ ସରକାର ୟୁରିଆ ବ୍ୟାଗ ପିଛା ୨୬୬.୫୦ ଟଙ୍କା ମୂଲ୍ୟରେ ମୋଟ ୧୫୫୫ ମେଟ୍ରିକ ଟନ, ଡିଏପି ବ୍ୟାଗ ପିଛା ୧୩୫୦ ଟଙ୍କା ଦରରେ ୧୧୬୯ ମେଟ୍ରିକ ଟନ, ପଟାସ ସାର ବ୍ୟାଗ ପିଛା ୧୭୦୦ ଟଙ୍କା ମୂଲ୍ୟରେ ୭୮୩ ମେଟ୍ରିକ ଟନ, ସୁପର ସାର ବ୍ୟାଗ ପିଛା ୬୫୦ ଟଙ୍କା ମୂଲ୍ୟରେ ୫୧ ମେଟ୍ରିକ ଟନ ସାର ଯୋଗାଇଛନ୍ତି। ଯାହା ଆବଶ୍ୟକ ଥିବା ମୋଟ ସାରର ୬୦ ପ୍ରତିଶତ ବୋଲି କୁହାଯାଇଛି।

ଏସବୁ ସାର ବିକ୍ରି ପାଇଁ ବା ଚାଷୀଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ୧୦୮ ଜଣ ଦୋକାନୀଙ୍କ ସମେତ ୧୮ଟି ସମବାୟ ସମିତିକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ମାର୍କଫେଡ୍, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ସହିତ ବିଭିନ୍ନ ସାର କମ୍ପାନି ସିଧାସଳଖ ଏହି ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ନିକଟରେ ସାର ପହଞ୍ଚାଇଥାନ୍ତି। ହେଲେ ଜଳେଶ୍ବର ବ୍ଲକର ବିଭିନ୍ନ ଲାଇସେନ୍ସପ୍ରାପ୍ତ ଦୋକାନରେ କେଉଁଠି ସାରର ଅଭାବୀ ବିକ୍ରି ତ ଆଉ କେଉଁଠି ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅଧିକାଂଶ ସ୍ଥାନରେ ବ୍ୟାଗ ପିଛା ୫୦ରୁ ଶହେ ଟଙ୍କା ଅଧିକ ନିଆଯାଇ ଚାଷୀଙ୍କୁ ଶୋଷଣ କରାଯାଉଛି। ଅଧିକାଂଶ ଲାଇସେନ୍ସପ୍ରାପ୍ତ ସାର ଦୋକାନକୁ ସାର ଆଣିବାକୁ ଯାଉଥିବା ଚାଷୀଙ୍କୁ ଦୋକାନୀମାନେ ସାର ଷ୍ଟକ ନାହିଁ, ପରେ ଆସିବାକୁ କହି ଫେରାଇ ଦେଉଛନ୍ତି। ଫଳରେ ଚାଷୀ ବେପାରୀଙ୍କଠାରୁ ଚଢ଼ା ଦରରେ ସାର କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଚୋରା ବେପାରୀଙ୍କୁ ଲାଇସେନ୍ସପ୍ରାପ୍ତ ସାର ଦୋକାନୀ ହିଁ ସାର ଯୋଗାଉଛନ୍ତି। ସାରର ଅଭାବ ଓ ଚଢ଼ା ଦରରେ ବିକ୍ରି ଅଭିଯୋଗ ଆସିବା ପରେ ଜଳେଶ୍ବର ବ୍ଲକ କୃଷି ଅଧିକାରୀ ସଞ୍ଜୟ କୁମାର ରାଉତଙ୍କ ନେତୃତ୍ବରେ ଏକ ଟିମ୍ ଗତ ସପ୍ତାହେ ମଧ୍ୟରେ ୩୫ଟି ଦୋକାନରେ ଚଢ଼ଉ କରିଥିବା ସୂଚନା ମିଳିଛି।

ଆଶ୍ଚର୍ଯ୍ୟର କଥା, ଏହି ଚଢ଼ଉ ବେଳେ ରାଇବଣିଆ ଅଞ୍ଚଳରେ ୭ଟି ଦୋକାନ ସମ୍ମୁଖରେ ବୋର୍ଡ ଲଗାଯାଇନି କି ସାରର ଦର ତାଲିକା ମଧ୍ୟ ଲଗାଇନାହାନ୍ତି। ସେହିପରି କେତେ ସାର ବିକ୍ରି ହୋଇଛି, କେତେ ଷ୍ଟକ୍ ରହିଛି, ତାର ରେକର୍ଡ ମଧ୍ୟ ଉକ୍ତ ଦୋକାନଗୁଡ଼ିକରେ ଉପଲବ୍ଧ ନାହିଁ। କୃଷି ବିଭାଗ ଏହି ୭ଟି ଦୋକାନକୁ କାରଣଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଚାଷୀମାନେ ସରକାରଙ୍କ ଧାର୍ଯ୍ୟ ଦରରେ ସାର କେବେ ପାଇବେ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର