ସାରର ବ୍ୟାପକ କଳାବଜାରୀ ହେଉଛି: ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭିଜିଲାନ୍‌ସ୍‌ ତଦନ୍ତ ପାଇଁ ସୁପାରିସ, ୭ ଦିନ ଭିତରେ ସମବାୟ ବ୍ୟାଙ୍କ ଅଡିଟ୍‌ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ଏବେ ଖରିଫ ଚାଷ ସମୟ। ଚାଷୀମାନେ ୟୁରିଆ ସାର ପାଉନାହାନ୍ତି। ଅନ୍ୟପଟେ ସରକାରୀ ଅଧିକାରୀ ଓ ଅସାଧୁ ବ୍ୟବସାୟୀଙ୍କ ମଧୂଚନ୍ଦ୍ରିକା ଯୋଗୁ ସାରର ବ୍ୟାପକ କଳାବଜାରୀ ଚାଲିଛି। ଆଜି ସମବାୟ, ଖାଦ୍ୟ ଯୋଗାଣ ଓ ହସ୍ତତନ୍ତ ସଂକ୍ରାନ୍ତ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୬ର ବୈଠକରେ ଘମାଘୋଟ ଆଲୋଚନା ହୋଇଛି। କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧିକାରୀମାନଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର କଳାବଜାରୀ ନେଇ ଭିଜିଲାନ୍‌ସ୍‌ ତଦନ୍ତ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଛି। ଏହାସହିତ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ଆସନ୍ତା ୭ ଦିନ ଭିତରେ ବିଧାନସଭା ସଚିବାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ, ସାର ଅଭାବ ପାଇଁ ସରକାରୀ ଅଧିକାରୀ ଦାୟୀ। ସମବାୟ ସମିତି ଓ ସାର ବ୍ୟବସାୟୀ ମିଳିମିଶି ଏହି ଦୁର୍ନୀତି କରୁଛନ୍ତି। ଏହି କଥାରେ ଅଧ୍ୟକ୍ଷଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଏକମତ ହୋଇଥିଲେ। ଶ୍ରୀ ମିଶ୍ର ଦର୍ଶାଇଥିଲେ ବିଭାଗୀୟ ସଚିବମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ୟୁରିଆ ସାର ପ୍ରଚୁର ପରିମାଣରେ ଗଚ୍ଛିତ ଅଛି ବୋଲି କହିଆସୁଛନ୍ତି। କିନ୍ତୁ ବାସ୍ତବରେ ସାର ବଜାରରେ ମିଳୁନାହିଁ। ସାର ଅଭାବ ଯୋଗୁ ଚାଷୀମାନେ ନାନା ପ୍ରକାର ହଇରାଣ ହେଉଛନ୍ତି। ୟୁରିଆର ସିଂହ ଭାଗ ବାଟମାରଣା ହେଉଛି। ଉଦାହରଣ ଦେଇ ସେ କହିଥିଲେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଯଥା ଭୁଣ଼୍ଡିମୁହାଣ, ବିଡ଼ିଘାଟ ଓ ଅର୍ଜୁନପୁର ପଞ୍ଚାୟତକୁ ୨୦୦ ପ୍ୟାକେଟ୍‌ ଲେଖାଏଁ ୟୁରିଆ ସାର ମିଳିଥିଲା। କିନ୍ତୁ ସେଠି ପହଞ୍ଚିଲା ୧୮୦ ପ୍ୟାକେଟ୍‌। ସେଥିରୁ ଚାଷୀକୁ ବିକ୍ରି ହୋଇଛି ମାତ୍ର ୪୦ରୁ ୬୦ ପ୍ୟାକେଟ୍‌। ଏହାକୁ ନେଇ କମିଟିର ସଦସ୍ୟ ଥିବା ସମସ୍ତ ବିଧାୟକ ଚାଷୀଙ୍କ ପାଖରେ ସାରର ଯେପରି ସୁବଣ୍ଟନ ହୋଇପାରିବ ସେ ନେଇ ଦାବି କରିଥିଲେ। ଏ ଦୁର୍ନୀତିରେ ପ୍ୟାକ୍ସ୍‌, ଲ୍ୟାମ୍ପ୍ସର ସମ୍ପାଦକ ଓ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି ବୋଲି ଅଭିଯୋଗ ହେବା ପରେ ଭିଜିଲାନ୍‌ସ ତଦନ୍ତ ପାଇଁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି।

ସେହିପରି ରାଜ୍ୟସାରା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ନେଇ ମଧ୍ୟ ସମବାୟ ବିଭାଗର ଅଧିକାରୀମାନଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ମାସମାସ ବିତିଗଲାଣି ପଛକେ ପୂର୍ବରୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିବା ଗୋଟିଏ ବି ବ୍ୟାଙ୍କର ଅଡିଟ୍‌ ରିପୋର୍ଟ ପ୍ରଦାନ କରାଯାଇନି। ଏପରିକି କେତେକ ପରିଚାଳନା କମିଟିର କାର୍ଯ୍ୟକାଳ ସରିଯାଇଥିଲେ ବି ସେମାନେ ଅର୍ଥନୈତିକ କାରବାର କରିଛନ୍ତି। ଏ ନେଇ ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଯାହାକୁ ନେଇ କମିଟି ସଦସ୍ୟମାନେ ଅଧିକାରୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇ କହିଥିଲେ, ଆସନ୍ତା ୭ ଦିନ ଭିତରେ ବଲାଙ୍ଗୀର ଡିସିସିବିର ଜରାସିଂହା ଶାଖାର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ବିଧାନସଭା ସଚିବାଳୟରେ ଦାଖଲ କରାଯିବ। ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡିସିସିବିର ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନା ସମୟରେ ଧାନ କିଣା ଦୁର୍ନୀତି, ପ୍ୟାକ୍ସଗୁଡ଼ିକର ଭିତ୍ତିଭୂମି ନିର୍ମାଣ, ଜିଲ୍ଲା ଖାଉଟି କଲ୍ୟାଣ ସମିତି, ରାଜ୍ୟ ଖାଉଟି କଲ୍ୟାଣ କମିଟି ଗଠନ, ଧାନି କିଣିବା ସମୟସୀମା ବୃଦ୍ଧି, ଚାଷୀମାନଙ୍କ ପଞ୍ଜୀକରଣ ଅବଧୀ ବୃଦ୍ଧି କରିବାକୁ ସୁପାରିସ କରାଯାଇଛି। ଜଙ୍ଗଲ ଜମିରେ ଚାଷ କରୁଥିବା ଚାଷୀମାନଙ୍କୁ ମଧ୍ୟ ଚାଷୀ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ମନୋହର ରନ୍ଧାରି, ମଞ୍ଜୁଳା ସ୍ବାଇଁ, ସତ୍ୟନାରାୟଣ ନନ୍ଦ, ନିତ୍ୟାନନ୍ଦ ଗଣ୍ଡ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗ ଶାସନ ସଚିବ, ବିଧାନସଭା ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର