ଖୋଲିଲା ସାର, ଔଷଧ ଦୋକାନ : ଚାଷୀଙ୍କୁ ଆଶ୍ୱସ୍ତି, ତଥ‌ାପି ଟଳିନି ସମସ୍ୟା, ସମସ୍ୟା ଜାରି ରହିଲେ ଅମଳ ପ୍ରଭାବିତ ହେବ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଚାଷ କାର୍ଯ୍ୟ ଉପରେ କରୋନା କଟକଣା ବର୍ତ୍ତମାନ ପର୍ଯ୍ୟନ୍ତ ବଡ଼ ପ୍ରଭାବ ପକାଇ ପାରିନି। ଲକ୍‌ଡାଉନ୍‌ ଯୋଗୁ ‌ଯାନବାହନ ଚଳାଚଳ ଓ ଦୋକାନବଜାର ବନ୍ଦ ହେବା ଯୋଗୁ ବିଶେଷକରି ବିହନ, ସାର ଓ କୀଟନାଶକ ଆଦି ସାମଗ୍ରୀର ଦୋକାନ ବନ୍ଦ ରହିବା ଫଳରେ ରବି ଚାଷ ପ୍ରଭାବିତ ହେବ ବୋଲି ଆଶଂକା ପ୍ରକାଶ ପାଇଥିଲା। ତେବେ କୃଷିକାର୍ଯ୍ୟ ଓ ଆନୁଷଙ୍ଗିକ କ୍ଷେତ୍ର ଲକ୍‌ଡାଉନ୍‌ କଟକଣାରୁ ମୁକ୍ତ ହେବା ଏବଂ ସାର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦେବା ପରେ ଏହି ଆଶଂକା ଅନେକାଂଶରେ ଦୂର ହୋଇଛି। ତଥାପି ସମସ୍ୟା ଟଳିନି। ମେ ମାସ ସୁଦ୍ଧା ଉପଯୁକ୍ତ ଭାବରେ କରୋନାର ମୁକାବିଲା ହୋଇ ନପାରିଲେ ଏବଂ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଲେ ଅମଳ ଓ ବିକ୍ରି ଉପରେ ଏହାର ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ ବୋଲି ଚାଷୀମାନେ ମତ ଦେଉଛନ୍ତି। ‌ତେବେ ଲକ୍‌ଡାଉନ୍‌ ଯୋଗୁ ପନିପରିବା ଚାଷୀ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଥିବା ବିଭିନ୍ନ ସ୍ଥାନରୁ ସୂଚନା ମିଳିଛି।

ସମ୍ବଲପୁର ଜିଲ୍ଲାରେ ୧୨ ହଜାର ହେକ୍ଟରର ଡାଳୁଅ ଧାନ ଚାଷ ହୋଇଛି। ଅନେକ ସ୍ଥାନରେ ଧାନଗଛ ଗର୍ଭିଣୀ ଅବସ୍ଥାକୁ ଆସିଛି। ଗତ ଦୁଇ ବର୍ଷ ହେଲାଣି ଏହି ସମୟରେ ଫସଲରେ ଚକଡ଼ା ସମେତ ବିଭିନ୍ନ ପ୍ରକାର ରୋଗ-ପୋକ ଦେଖା ଦେଇଆସିଛି। ଲକ୍‌ଡାଉନ୍‌ ଯୋଗୁ କୀଟନାଶକ ଏବଂ ସାର ଦୋକାନ ବନ୍ଦ ଥିବାରୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟିର ଆଶଙ୍କା କରାଯାଉଥିଲା। ୨ ଦିନ ପୂର୍ବରୁ ଉଭୟ ସାର ଏବଂ କୀଟନାଶକ ଦୋକାନ ଖୋଲି ଯାଇଥିବାରୁ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରିଛନ୍ତି ଚାଷୀ ବ୍ୟୋମକେଶ ଠାକୁର। ଅବଶ୍ୟ ଆବଶ୍ୟକତା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାର ଓ କୀଟନାଶକ ମିଳୁନାହିଁ। ଏହାର ଯୋଗାଣ ଓ ପରିବହନ ବ୍ୟବସ୍ଥା ସ୍ବାଭାବିକ କରିବା ଲାଗି ଦାବି କରାଯାଉଛି।

ସାଧାରଣତଃ ମେ’ରୁ ଜୁନ ମାସ ମଧ୍ୟରେ ଧାନ କଟା ଆରମ୍ଭ ହୋଇଥାଏ। ୧୫ ଦିନ ମଧ୍ୟରେ ଅମଳ କାର୍ଯ୍ୟ ହେଉଥିବାରୁ ଅନେକ ସଂଖ୍ୟାରେ ଛତିଶଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ଶ୍ରମିକଙ୍କ ଆବଶ୍ୟକତା ହୁଏ। ଧାନ କଟାରେ ସ୍ଥାନୀୟ ଶ୍ରମିକଙ୍କୁ ପ୍ରାୟତଃ ନିଯୁକ୍ତି ଦିଆଯାଏ ନାହିଁ। କରୋନା ଭୟ କିମ୍ବା ଲକଡାଉନ୍‌ ପରିସ୍ଥିତି ଜାରି ରହିଲେ, ଅନ୍ୟ ଜିଲ୍ଲା କିମ୍ବା ବାହାର ରାଜ୍ୟରୁ ଶ୍ରମିକ ଆସିବେ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଦ୍ବିତୀୟତଃ ଅମଳ ସମୟରେ ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରୁ ଅନେକ ମେସିନକୁ ସ୍ଥାନୀୟ ଚାଷୀ ଭଡ଼ାରେ ଆଣି ବ୍ୟବହାର କରିଥାଆନ୍ତି। ତାହା ନ ଆସିଲେ ମଧ୍ୟ ଧାନ ଅମଳ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି।

କୃଷି ମୁଖ୍ୟ ଅଧିକାରୀ ଏସକେ ରାୟ କହିଛନ୍ତି, ଲକ୍‌ଡାଉନ୍‌ର ପ୍ରଭାବ ଚାଷରେ ପଡ଼ିନି। ଠିକ୍‌ ସମୟରେ ମଧ୍ୟ ସାମାଜିକ ଦୂରତ୍ବ ରକ୍ଷା କରି ନିର୍ଦିଷ୍ଟ ନିର୍ଘଣ୍ଟ ଅନୁଯାୟୀ କୀଟନାଶକ ଓ ସାର ଦୋକାନ ଖୋଲା ଯିବା ପାଇଁ ନିର୍ଦେଶ ରହିଛି। ମେ’ ମାସ ବେଳକୁ କରୋନା ଓ ଲକ୍‌ଡାଉନ୍‌ ସମସ୍ୟାର ସମାଧାନ ହୋଇଯିବା ଆଶା ରହିଛି। ନହେଲେ ସେତେବେଳର ସ୍ଥିତି ଦେଖାଯାଇ ମୁକାବିଲା କରାଯିବ।

ପ଼ଞ୍ଜୀକରଣ ବନ୍ଦ ପାଇଁ ଦାବି
ଲକ୍‌ଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହିତ ଦୋକାନ, ବଜାର ବନ୍ଦ କରାଯାଇଛି। ଏହି ଦୃଷ୍ଟିରୁ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ବନ୍ଦ ପାଇଁ ଦାବି କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ଚଳିତ ବର୍ଷର ରବି ଧାନ ବିକ୍ରି ପାଇଁ ପଞ୍ଜୀକରଣ ପାଇଁ ବାଧ୍ୟ କରା ନ ଯାଉ ବୋଲି ସଙ୍ଗଠନ କହିଛି।

ସମ୍ବନ୍ଧିତ ଖବର