ଅଫେରା ଅଠର: ମନ ଜିଣିଲା ଡଟ୍ ଫେଷ୍ଟ୍

ଚଳିତ ବର୍ଷ ଶେଷ ଆଡ଼କୁ ରାଜଧାନୀରେ ପ୍ରଥମ କରି ଆୟୋଜିତ ହୋଇଥିଲା ସଂଗୀତର ସର୍ବବୃହତ୍ତ ସମ୍ମେଳନ। ୧୬ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିରୁ ଥିଲା ଅନନ୍ୟ। ବଲିଉଡ୍‌ର ନାମୀ କଳାକାର ଶ୍ରେୟା ଘୋଷାଲ୍, ଶଙ୍କର-ଏହସାନ-ଲୟ, ବିଶାଲ୍-ଶେଖର, ଶାନ୍, ଫର୍‌ହାନ୍ ଅଖ୍‌ତାର, ସୋନା ମହାପାତ୍ରଙ୍କ ସମେତ ରକ୍‌ଷ୍ଟାର୍ ସିଦ୍ଧାନ୍ତଙ୍କ ସଂଗୀତରେ ବିଭୋର ହୋଇଥିଲେ ସଂଗୀତ ପ୍ରେମୀ। ଭି-ଡ୍ୟାନ୍ସ ଗ୍ରୁପ୍, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଏଥିସହ ପ୍ରଥମଥର ପାଇଁ ଆୟୋଜିତ ଅନ୍ତର୍ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍‌ରେ ୧୬ଟି ଦେଶ, ଭାରତର ୨୯ଟି ରାଜ୍ୟ ଏବଂ ଓଡ଼ିଶାର ଖାଦ୍ୟ ଖାଇବାର ଅବସର ଜୁଟିଥିଲା।

ଖୋଲିଲା ଭାରତର ସର୍ବବୃହତ୍‌ ‘କଳାଭୂମି’
ପୋଖରୀପୁଟ ନିକଟରେ ୧୨.୬୮ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’। ୨୦୧୨ରୁ ପରିକଳ୍ପିତ ପ୍ରକଳ୍ପ ଚଳିତ ବର୍ଷ ବାସ୍ତବ ରୂପ ନେଇଥିଲା। ୩୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସଂଗ୍ରହାଳୟ ପରିସରରେ ୧୦ଟି ଗ୍ୟାଲେରି ସହ ମୁକ୍ତାକାଶ, ଫୁଡ୍‌ଜୋନ୍, ବିକ୍ରୟ କେନ୍ଦ୍ର, ଗେମ୍ ଜୋନ୍ ରହିଛି।

ଗଢ଼ା ହେଲା ଐତିହ୍ୟ କ୍ୟାବିନେଟ୍
ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା ୨୦୧୭ ଡିସେମ୍ବରରେ। ୨୦୧୮ ଜୁଲାଇ ଦ୍ବିତୀୟ ସପ୍ତାହରେ ଗଠନ ହେଲା ଐତିହ୍ୟ କ୍ୟାବିନେଟ୍। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କ୍ୟାବିନେଟ୍‌ରେ ସଦସ୍ୟ ରହିଲେ ୮ ମନ୍ତ୍ରୀ। ଜୁଲାଇ ୨୭ରେ ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ବସି ୪ ପ୍ରସ୍ତାବରେ ମୋହର ମରାଗଲା।

ଭାଗବତ ଟୁଙ୍ଗିକୁ ସହାୟତା ରାଶି ୫୦ ହଜାର ହେଲା
ଭାଗବତର ପ୍ରଚାର ପ୍ରସାର ଏବଂ ସାଂସ୍କୃତିକ ଜାଗରଣ ପାଇଁ ଭାଗବତ ଟୁଙ୍ଗି ପାଇଁ ସହାୟତା ରାଶି ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଭାଗବତ ଟୁଙ୍ଗିକୁ ୨୫ ହଜାର ଟଙ୍କା ସହାୟତା ରାଶି ଦିଆଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ୫୦ ହଜାରକୁ ବୃଦ୍ଧି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଆରମ୍ଭ
୫୦ ହଜାର କଳାକାରଙ୍କୁ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ମାସିକ ୧୨୦୦ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ‌େନଇଛନ୍ତି। ୨୦୧୮ ଜାନୁଆରି ୧୫ରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କଲେ। କିନ୍ତୁ କାର୍ଯ୍ୟକାରୀ ହେବାକୁ ପାଖାପାଖି ୧୧ ମାସ ଲାଗିଲା। ଡିସେମ୍ବର ୧୫ ତାରିଖରୁ ଏହି ଯୋଜନାରେ କଳାକାରମାନେ ଆର୍ଥିକ ସହାୟତା ପାଇଲେ।

ସମ୍ବନ୍ଧିତ ଖବର