ପୁରୀ: ଏକ ଜାତି ତା’ର ଅତୀତକୁ ପ୍ରତ୍ୟାଖ୍ୟାନ କରି ଅଭିବୃଦ୍ଧି ପାଏ ନାହିଁ, ବରଂ ତା’ର ଐତିହ୍ୟକୁ ସମସାମୟିକ ବର୍ଣ୍ଣନାରେ ଉଜ୍ଜୀବିତ କରି ଅଭିବୃଦ୍ଧି ଲାଭ କରେ। ପୁରୀ ସାହିତ୍ୟ ମହୋତ୍ସବ କେବଳ ପରମ୍ପରା ଓ ଆଧୁନିକତାର ସହ-ଅସ୍ତିତ୍ୱ ନୁହେଁ, ବରଂ ସମାନ୍ତରାଳ ପ୍ରଗତି ପାଇଁ ଏକ ଉପଯୁକ୍ତ ମଞ୍ଚ। ଏହା ଭାରତର ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିଶୀଳ ଆକାଂକ୍ଷାର ଏକ ଅନନ୍ୟ ଉତ୍ସବ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ଆଜି ପୂର୍ବାହ୍ଣରେ ହୋଟେଲ୍‌ ତାଜ୍‌ ପରିସରରେ ପୁରୀ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ଏଭଳି ମତ ରଖିଛନ୍ତି।

Advertisment

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋତ୍ସବ ଆୟୋଜକ ଓ ଅତିଥିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମହୋତ୍ସବ ଆମ ମହାନ ସଂସ୍କୃତି, ଓଡ଼ିଶାର ସାହିତ୍ୟ, ପାରମ୍ପରିକ ଖାଦ୍ୟ, ପୂର୍ବସୁରୀମାନଙ୍କ ଅବଦାନ ସମ୍ପର୍କରେ ଅଧିକ ବ୍ୟାଖ୍ୟା କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡ.ସମ୍ବିତ ପାତ୍ର କହିଥିଲେ, ଶବ୍ଦ ହିଁ ବ୍ରହ୍ମ ଓ ବ୍ରହ୍ମ ହିଁ ଶବ୍ଦ। ଏହି ମହୋତ୍ସବରେ ଉଚ୍ଚାରିତ ପ୍ରତିଟି ଶବ୍ଦ ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବ। ଆଦି ଶଙ୍କରାଚାର୍ଯ୍ୟ, ଗୁରୁ ନାନକ, ଚୈତନ୍ୟ, ସନ୍ଥ କବୀର, ତୁଳସୀ ଦାସ, ରାମାନୁଜନ୍‌ଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିମାନେ ପୁରୀ ଆସି ଦୀର୍ଘ ସମୟ ବିତାଇଛନ୍ତି। ଆଗାମୀ ତିନି ଦିନ ସାହିତ୍ୟ ସଂସ୍କୃତିର ଆଲୋଚନା, ପର୍ଯ୍ୟାଲୋଚନା ହେବା ସହ ଯୁବବର୍ଗଙ୍କୁ ଆଧ୍ୟାତ୍ମିକ ଓ ମହାନ ସଂସ୍କୃତିର ଦିଗ୍‌ଦର୍ଶନ ଦେବ। 

ପୁରୀ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

ବାଂଲାଦେଶ ଜିହାଦୀଙ୍କ ଅନ୍ତୁଡ଼ିଶାଳ: ତସ୍‌ଲିମା ନସ୍‌ରିନ୍‌

ssccxd

ପୁରୀ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଓମ୍‌ ପ୍ରିୟଦର୍ଶୀ ଛୋଟରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶିବମ୍‌ ରଘୁବଂଶୀ ଉପସ୍ଥିତ ଥିଲେ। ସଦସ୍ୟ ସୌମେନ୍ଦ୍ର ଦାସ ଓ ପ୍ରଫେସର ସସ୍ମିତା ବନ୍ଦରନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟକ୍ଷ ଶଶାଙ୍କ ଶେଖର ସିଂହ ଧନ୍ୟବାଦ ଦେଇଥିଲେ। ପ୍ରତିଷ୍ଠିତ ପ୍ରକାଶକମାନଙ୍କ ପକ୍ଷରୁ ଏଠାରେ ପୁସ୍ତକ ମେଳାର ଆୟୋଜନ କରାଯାଇଛି। ପୁରୀ ସେବା ସମିତି ସଦସ୍ୟ ସୌମେନ୍ଦ୍ର ଦାସ ରାଜ୍ୟପାଳଙ୍କୁ ପଟ୍ଟଚିତ୍ର ପ୍ରଦାନ କରି ସ୍ୱାଗତ କରିଥିଲେ। 

ଦ୍ବିତୀୟ ଅଧିବେଶନରେ ଚର୍ଚ୍ଚିତ ଲେଖିକା ତସ୍‌ଲିମା ନସ୍‌ରିନ୍‌ଙ୍କ ସହ ଆଲୋଚନା କରିଥିଲେ ଇଣ୍ଡିଆ ଟୁଡେର ସାମ୍ବାଦିକ ଦୀପ ହାଲ୍‌ଦାର। ତସ୍‌ଲିମା ତାଙ୍କର ଚର୍ଚ୍ଚିତ ବଙ୍ଗଳା କବିତା ‘ମୃତ୍ୟୁ ହି ମେ’ ଓ ଇଂରାଜୀ କବିତା ‘ହାପି ମ୍ୟାରେଜ୍‌’ ପଢ଼ି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତା’ ଛଡ଼ା ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଷୋଦ୍‌ଗାର କରିଥିଲେ। ବାଂଲାଦେଶ ଜିହାଦୀଙ୍କ ଅନ୍ତୁଡ଼ିଶାଳ। ଯଦି ସ୍ବଚ୍ଛ ନିର୍ବାଚନ ହୁଏ ତେବେ ହିନ୍ଦୁ ବା ସଂଖ୍ୟାଲଘୁମାନେ ସୁରକ୍ଷିତ ରହିପାରନ୍ତେ ବୋଲି କହିଥିଲେ। ଭାରତ ବିକାଶ ପରିଷଦର କ୍ଷତ୍ରୀୟ ସଂଗଠନ ମନ୍ତ୍ରୀ ବିକ୍ରାନ୍ତ ଖଣ୍ଡେଲୱାଲ ‘ଶତାବ୍ଦୀରେ ସ୍ୱୟଂସେବକ ସଂଘ’ ବିଷୟରେ ଆଲୋଚନା କରିଥିଲେ।

ମାଳିନୀ ଅବସ୍ତୀ, ଶେଫାଳି ବୈଦ୍ୟ, ସାଇସ୍ୱରୂପା ଆୟର, କୋରାଲ ଦାସଗୁପ୍ତା, ଜାନ୍‌ଭି ସିଂହ ଓ ମନୋଜ୍ଞ ତିୱାରୀ ‘ନାରୀର ସ୍ୱର: ଭାରତୀୟ ସାହିତ୍ୟ ପରମ୍ପରାରେ ନାରୀ’ ବିଷୟ ଉପରେ ଚର୍ଚ୍ଚା କରିଥିଲେ। ଗୌରବ ଶାହା, ଶାନ୍ତନୁ ଗୁପ୍ତା, ଡ.ପ୍ରହଲାଦନ କେ.କେ, ନରେଶ ସିଜାପାଥି, ତୁଷାର ଜୁୱେକର ଓ ଧନଞ୍ଜୟ ସିଂହ ପ୍ରମୁଖ ‘ଚେଞ୍ଜମେକର୍ସ ଅନ୍‌ପ୍ଲଗ୍‌ଡ: ସାମାଜିକ ଉଦ୍ୟୋଗିତା କାହାଣୀ’ ବିଷୟରେ ଚର୍ଚ୍ଚା କରିଥିଲେ। ସୂଚନାଯୋଗ୍ୟ, ଅଧ୍ୟୟନ ଫାଉଣ୍ଡେସନ୍ ଫର୍‌ ପଲିସି ଆଣ୍ଡ୍ ରିସର୍ଚ୍ଚ (ଏଏଫ୍‌ପିଆର୍‌), ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର ଓ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ (ଏନ୍‌ବିଟି)ର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୁରୀର ତାଜ୍‌ ହୋଟେଲଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।