ଦେଶକରମ ପରବ ପାଇଁ ଉତ୍ସବମୁଖର

ଘଟଗାଁ: ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆଠାରେ ଆୟୋଜିତ  ଦେଶ କରମ୍ ପରବ, ଓଡ଼ିଶାର ଜାୱା ଉଠା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ତୁରୁମୁଙ୍ଗା ନିକଟସ୍ଥ ତ୍ରିବିନ୍ଧା ବୈତରଣୀ କରମ୍ ଘାଟ ଠାରେ ଜାୱା ଉଠାଯାଇ ଚିଲିଦା, ଚେମଣା, ରେଙ୍ଗାଳବେଡା, ବାଉଁଶୁଳି, ପୁରୁଣିଆ, ଡୁମୁରିଆ, ପୋଇପାଣି ଦେଇ ଦେଶ କରମ ପରବ, ଓଡ଼ିଶାର ଆଖଳା, ପିପିଳିଆଠାରେ ପହଞ୍ଚିଥିଲା। ଆଖଳା ସ୍ଥାନକୁ ଜାୱା ପହଞ୍ଚିବା ପରେ ସନ୍ଧ୍ୟାରେ ଆଦିବାସୀ କୁଡୁମି ସମ୍ପ୍ରଦାୟର ମହିଳା ଓ କରମତିମାନଙ୍କ ଦ୍ୱାରା ଜାୱା ବେହ୍ଳା କୁଡ଼ମାଲି ରୀତିମତେ ସମ୍ପନ୍ନ ହୋଇଥିଲା।

ଏହାର ନେତୃତ୍ୱ କୁଡ଼ମାଲି ସଂସ୍କୃତି ବିଶାରଦ ସୁନ୍ଦରଗଡ଼ର ନିଶାମଣି ମହତୋ ନେଇଥିଲେ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡ଼ମାଲି ସଂସ୍କୃତି ଗବେଷକ ମୟୂରଭଞ୍ଜର ଶଶଧର ମହାନ୍ତ, ମୁଖ୍ୟ ବ୍ୟକ୍ତା ଭାବେ ସିଦ୍ଧୁ କାହ୍ନୁ ବିଶ୍ୱବିଦ୍ୟାଳୟ, ଦୁମକାର ସମାଜଶାସ୍ତ୍ରୀ ପ୍ରଧ୍ୟାପକ ଡ଼. ସୁଧାଂଶୁ ଶେଖର ମହତୋ, ସମ୍ମାନିତ ଅତିଥି ଭାବେ ସମାଜସେବୀ କସ୍ତୁରୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ କିପରି ସମସ୍ତ କୁଡୁମି ଜନଗଣନାରେ ମାତୃଭାଷା କୁଡ଼ମାଲି ଲେଖାଇବେ ସେ ସମ୍ବନ୍ଧରେ ସମାଜସେବୀ କସ୍ତୁରୀ ମହାନ୍ତ ତାଙ୍କର ବ୍ୟକ୍ତବ୍ୟ ରଖିଥିଲେ।  କୁଡ଼ମାଲି ଭାଷା, ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ବିଶିଷ୍ଟ ବିଶାରଦ ଓ କଣ୍ଠଶିଳ୍ପୀ ଯୋଗଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି ମିଡିଆ ସେଲର ପ୍ରମୁଖ ଜଗବନ୍ଧୁ ମହାନ୍ତ।

କୁଡ଼ମାଲି ସଂସ୍କୃତି ସମ୍ପନ୍ନ ଝୁମର ସନ୍ଧ୍ୟାରେ ପଶ୍ଚିମବଙ୍ଗର ତାପତି ମହତୋ ଓ ତାଙ୍କର ଟିମ ଝୁମର ପରିବେଷଣ କରିଥିଲେ। ହଜାର ହଜାର ସଂଖ୍ୟାରେ ସୁଦୂର  ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, ଅନୁଗୁଳ, ବାଲେଶ୍ଵର, ଦେବଗଡ଼ର କୁଡୁମି ସମ୍ପ୍ରଦାୟର ଲୋକ ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହିତ ଉପଭୋଗ କରିଥିଲେ। ସ୍ଥାନୀୟ ଲୋକମାନେ ଏତେ ଶାନ୍ତି ଶୃଙ୍ଖଳା ସମ୍ପନ୍ନ କାର୍ଯ୍ୟକ୍ରମ ଦେଖି ଉତ୍ସାହର ସହିତ ଘରକୁ ଫେରିଥିଲେ। ପିପିଳିଆ ପଞ୍ଚାୟତ ଏବଂ ଘଟଗାଁ ବ୍ଲକ ଡ୍ରାଇଭର ମହାସଂଘର କାର୍ଯ୍ୟକର୍ତା ଶାନ୍ତି ଶୃଙ୍ଖଳା  ରକ୍ଷା କରିବା ସହିତ ଖାଦ୍ୟ ବଣ୍ଟନ, ଗାଡି ପାର୍କିଂ ଭଳି ବହୁ  ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର