ସାରା ସହର ଗେରୁଆ ରଙ୍ଗରେ ରଙ୍ଗିଲା

ଶ୍ରୀରାମ ନବମୀ ପାଇଁ ଜୟପୁରରେ ଉତ୍ସବର ମାହୋଲ

ଜୟପୁର: ଶ୍ରୀରାମ ନବମୀ ପାଳନ ପାଇଁ ଜୟପୁରରେ ଦେଖାଦେଇଛି ଉତ୍ସବର ମାହୋଲ। ସେଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ଜୋରଦାର ପ୍ରସ୍ତୁତି ବି ଆରମ୍ଭ ହୋଇଛି। ସହର ସାରା ଗେରୁଆ ରଙ୍ଗର ପତାକା ଝୁଲୁଛି। ପ୍ରଭୁ ଶ୍ରରାମଙ୍କ ପ୍ରତିମୂର୍ତ୍ତି ଓ କଠଉ ସହ ଶୋଭାଯାତ୍ରା, କଳାସଂସ୍କୃତି ପ୍ରଦର୍ଶନ କରାଯିବା ପାଇଁ ସମିତି ଯୋଜନା କରିଛି। ପାୱରହାଉସ ହନୁମାନମନ୍ଦିରରୁ  ବିରାଟ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ଚୈତନ୍ୟ ମନ୍ଦିର ବାଙ୍କ ମଠ, ବସଷ୍ଟାଣ୍ଡ ହନୁମାନ ମନ୍ଦିର ଦେଇ ପାରାବେଡ଼ାସ୍ଥ ଝାଙ୍କରଦେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯିବାର ଯୋଜନା କରାଯାଇଛି।

ରବିବାର ଅପରାହ୍ନ ୪ଟାରେ ଏହି ଶୋଭାଯାତ୍ରା ଆରମ୍ଭ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି। ଏଥି ପାଇଁ ସହରର ମୁଖ୍ୟରାସ୍ତାକୁ ସଂପୂର୍ଣ୍ଣ ଗେରୁଆ ପତାକାରେ ଆଛାଦିତ କରାଯାଇଛି। ସେହିପରି ଶୁକ୍ରବାରଠାରୁ ହାଟପଦା ପରିସରରେ ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଶନିବାର କଳସ ଯାତ୍ରା ହୋଇଥିଲା।  ଗାନ୍ଧୀଛକ ନିକଟସ୍ଥ ମୁଖ୍ୟ କେନାଲ ନିକଟରେ ପୂଜା ଅର୍ଚ୍ଚନା କରିବା ପରେ ସେଠାରୁ ଶତାଧିକ ମହିଳା କଳସ ଯାତ୍ରାରେ ନିକଟସ୍ଥ ପୁଷ୍କରିଣୀରୁ ପାଣି ଆଣି ଘଟ ସ୍ଥାପନ କରଥିଲେ। ପରେ ହୋମରେ ଅଗ୍ନି ସଂସ୍କାର କରାଯାଇଥିଲା। ରବିବାର ଚକ୍ରସ୍ଥାପନ, ମୂର୍ତ୍ତି ନ୍ୟାସ ଓ ଦେବଦର୍ଶନ, ୧୧ତାରିଖ ସୂର୍ଯ୍ୟ ପୂଜା, ଯଜ୍ଞରେ ପର୍ଣ୍ଣାହୁତୀ ରହିଛି। ଗାନ୍ଧିଛକ ଉନ୍ନୟନ ଆସୋସିଏସନ୍ ଉକ୍ତ ମନ୍ଦିର ନିର୍ମାଣ କରିଛି।

ସମ୍ବନ୍ଧିତ ଖବର