ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବଢ଼ୁଛି ରକ୍ତଶିକୁଳି (ସିକିଲ୍‌ସେଲ୍‌) ଆକ୍ରାନ୍ତଙ୍କ ସଂଖ୍ୟା। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ର ରକ୍ତଶିକୁଳି ଅନୁଷ୍ଠାନରେ ଚିକିତ୍ସା ପାଇଁ ଓଡ଼ିଶାର ୩୦ ଜିଲ୍ଲା ସମେତ ଝାଡ଼ଖଣ୍ଡ, ଛତିଶଗଡ଼ର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ରୋଗୀ ପଞ୍ଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୦% ହେଉଛନ୍ତି ଶିଶୁ। ଏହି ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ଏବଂ ତାଙ୍କ ସ୍ବାମୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯାଉଛି। ବର୍ତ୍ତମାନ ଭିମ୍‌ସାର ଆଉ ଗୋଟିଏ ପାଦ ଆଗକୁ ଯାଇ ମା’ ଗର୍ଭରେ ଥିବା ଭ୍ରୂଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋରକୁ ପଠାଉଛି। ଗୋଟିଏ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୫୦ ଭ୍ରୂଣର ରକ୍ତ ନମୁନା ସଂଗ୍ରହ କରାଯାଇଛି। ଶିଶୁ ଜନ୍ମ ପୂର୍ବରୁ ଭ୍ରୂଣ ଅବସ୍ଥାରେ ଏହି ରୋଗ ସମ୍ପର୍କରେ ଜଣାପଡ଼ିଲେ ଅଭିଭାବକ ଉପଯୁକ୍ତ ପ୍ରକ୍ରିୟାରେ ଗର୍ଭପାତ କରାଇପାରିବେ କିମ୍ବା ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରହିପାରିବେ। ଏହାଦ୍ବାରା ରକ୍ତଶିକୁଳିକୁ ନିୟନ୍ତ୍ରଣ କରିବାରେ ବଡ଼ ପଦକ୍ଷେପ ହେବ ବୋଲି ଅନୁଷ୍ଠାନର ପ୍ରମୁଖ ତଥା ଡିନ୍‌ ଡାକ୍ତର ପ୍ରଦୀପ ମହାନ୍ତି ଆଶା ପ୍ରକାଶ କରିଛନ୍ତି।

Advertisment

୧୯୫୨ ମସିହାରେ ଦେଶରେ ପ୍ରଥମେ ରକ୍ତ ଶିକୁଳି ରୋଗ ଚିହ୍ନଟ ହୋଇଥିଲା। ଓଡ଼ିଶାରେ ୧୯୬୭ ମସିହାରେ ବୁର୍ଲା ଡାକ୍ତରଖାନାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ରୋଗୀଙ୍କ ନିକଟରେ ଏହା ଚିହ୍ନଟ ହୋଇଥିଲା। ସେତେବେଳକୁ ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶାରେ ଏହି ‘ହିମୋଗ୍ଲୋବିନୋପ୍ୟାଥି’ ରୋଗ ବ୍ୟାପି ସାରିଥିଲେ ମଧ୍ୟ ରୋଗୀ ଚିହ୍ନଟ ହୋଇ ପାରିନଥିଲେ। ବୁର୍ଲା ଡାକ୍ତରଖାନା ଏହାର ଚିହ୍ନଟ ସହିତ ଚିକିତ୍ସାରେ ଅଗ୍ରଣୀ ଭୂମିକା ନେଇଥିଲା। ଯେଉଁଥିରେ ସ୍ବର୍ଗତ ଡାକ୍ତର ବିମଳ କର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କରି ଆମନ୍ତ୍ରଣରେ ବିଶ୍ବରେ ରକ୍ତଶିକୁଳି ରୋଗର ଅଗ୍ରଯୋଦ୍ଧା ପ୍ରଫେସର ଗ୍ରାହାମ ଆର୍‌ ସର୍ଜେଣ୍ଟ ଏବଂ ବେରିଲ ସର୍ଜଣ୍ଡ ୧୯୮୫ ମସିହାରେ ବୁର୍ଲା ଆସି ଏହାର ଚିକିତ୍ସା ବ୍ୟବସ୍ଥା ଦେଖିଥିଲେ। ବୁର୍ଲା ଡାକ୍ତରଖାନାରେ ପର୍ଯ୍ୟାୟକ୍ରମର ଚିକିତ୍ସା  ଜାରି ରହିଥିଲା। ରକ୍ତ ଶିକୁଳି ରୋଗର ଭୟାବହତା ନେଇ ଡାକ୍ତର ଦିଲୀପ ପଟେଲଙ୍କ ରିପୋର୍ଟ ପରେ ରାଜ୍ୟରେ ପ୍ରଥମ କରି ‘ଭିମ୍‌ସାର’ରେ ସ୍ବତନ୍ତ୍ର ଭାବରେ ରକ୍ତଶିକୁଳି ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି। ଏଠାରେ ରକ୍ତଶିକୁଳିର ଚିହ୍ନଟ, ଚିକିତ୍ସା, କାଉନ୍‌ସେଲିଂ,  ସଚେତନତା, ଗବେଷଣାଠାରୁ ଆରମ୍ଭ କରି ସବୁପ୍ରକାର ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସ୍ଥିତିରେ ଏଠାରେ ରୋଗୀ ଭିଡ଼ ଏଭଳି ଯେ ଦୈନିକ ନୂଆ ଓ ପୁରୁଣାଙ୍କୁ ମିଶାଇ ୨୦୦ରୁ ୨୫୦ ରୋଗୀ ଚିହ୍ନଟ ତଥା  ଚିକିତ୍ସିତ ହେଉଛନ୍ତି। ତେବେ ଡାକ୍ତର ଅଭାବ ଏହି ଅନୁଷ୍ଠାନ ପାଇଁ ବଡ଼ ସମସ୍ୟା ହୋଇଛି। 

ଏଠାରେ ବର୍ତ୍ତମାନ ୨ ଜଣ ଡାକ୍ତର ଥିବାବେଳେ ୨ଟି ପଦ ଖାଲି ରହିଛି। ଏଣେ କିନ୍ତୁ ରୋଗୀଙ୍କ ଅବସ୍ଥା ଦୃଷ୍ଟିରୁ ଆହୁରି ବିଭିନ୍ନ ବିଭାଗର ଡାକ୍ତରଙ୍କ ଆବଶ୍ୟକତା ଥିବା ରୋଗୀମାନେ ମତ ଦିଅନ୍ତି। ଭ୍ରୂଣରୁ ରକ୍ତଶିକୁଳି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଭେଲୋରରୁ ରିପୋର୍ଟ ଆସିବା ବେଳକୁ ଅନେକ ସମୟ ଲାଗିଯାଉଛି। ‘ଭିମ୍‌ସାର’ ରକ୍ତଶିକୁଳି ପ୍ରତିଷ୍ଠାନରେ ପରୀକ୍ଷାଗାର ଆରମ୍ଭ ହେଲେ ସମଗ୍ର ରାଜ୍ୟର ରୋଗୀ ଉପକୃତ ହୁଅନ୍ତେ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ସ୍କ୍ରିନିଂ ବ୍ୟବସ୍ଥା ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ବିଶ୍ବରେ ତୃତୀୟ ସର୍ବାଧିକ ରକ୍ତଶିକୁଳି ଆକ୍ରାନ୍ତଙ୍କ ମଧ୍ୟରେ ରହିଛି ଭାରତ। ରକ୍ତ ଶିକୁଳି ବିରୋଧରେ ଲଢ଼େଇ ପାଇଁ ୨୦୨୩ ମସିହାରେ କେନ୍ଦ୍ର ସରକାର ଜାତୀୟ ସିକିଲ୍‌ସେଲ୍‌ ନିରାକରଣ ମିସନ୍‌ ଆରମ୍ଭ କରିଥିବାବେଳେ ଏହାର ଯଥେଷ୍ଟ ପୂ୍ର୍ବରୁ ଭିମ୍‌ସାରରେ ଏ ସଂକ୍ରାନ୍ତୀୟ ଗବେଷଣା କରିଛି। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ପ୍ରତିଷ୍ଠାନକୁ ଦୃଷ୍ଟି ଦେବା ସହିତ ଉପଯୁକ୍ତ ସୁବିଧା ପ୍ରଦାନ କରାଗଲେ ଏହି ପ୍ରାଣଘାତୀ ରୋଗ ବିରୋଧୀ ଲଢ଼େଇରେ ଦେଶ ସଫଳ ହେବ ବୋଲି ଆଶା କରାଯାଉଛି। ଡାକ୍ତର କିଶଳୟ ଦାସଙ୍କ ସୂଚନା ଅନୁଯାୟୀ, ରାଜ୍ୟର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଏବଂ ଅନୁଗୁଳର ଆକ୍ରାନ୍ତମାନେ ଏଠାରେ ଚିକିତ୍ସିତ ହେଉଛନ୍ତି।