ଦୁର୍ଗମ ଗଙ୍ଗାପଡ଼ାରେ ବ୍ୟାପିଲା ଜ୍ୱର; ୩୦ ଆକ୍ରାନ୍ତ, ପହଞ୍ଚିଲା ଡାକ୍ତରୀ ଟିମ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରବଣ ନାକାମାମୁଡି ପଞ୍ଚାୟତର ଦୁର୍ଗମ ଗଙ୍ଗାପଡା ଗ୍ରାମରେ ବ୍ୟାପିଲା ଜ୍ବର ଏବଂ ଝାଡ଼ାବାନ୍ତି। ପ୍ରାୟ ୩୦ଜଣ ଆକ୍ରାନ୍ତ ହୋଇଥିବା କୁହାଯାଉଥିବା ବେଳେ ଗ୍ରାମବାସୀ କିନ୍ତୁ ପୂରା ଗାଁ ଆକ୍ରାନ୍ତ ହୋଇଥିବା ପ୍ରକାଶ କରିଛନ୍ତି। ସ୍ଥିତି ସାଂଘାତିକ ହୋଇଥିବାରୁ ଖବର ପାଇ ଗୋଟିଏ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି।

ସୂଚନା ଅନୁଯାୟୀ, କିଛିଦିନ ହେଲା ଗଙ୍ଗାପଡ଼ା ଗାଁରେ ଜ୍ବର ଏବଂ ଝାଡ଼ାବାନ୍ତିର ପ୍ରକୋପ ବଢ଼ିବାରେ ଲାଗିଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଗାଁକୁ ପକ୍କା ରାସ୍ତା ମଧ୍ୟ ନାହିଁ। ଏମିତି ସ୍ଥିତିରେ ଗାଁରୁ ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ପାରି ନଥିଲା। ଭଗବାନ ଭରସାରେ ବଞ୍ଚିବା ପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗ୍ରାମବାସୀ। ତେବେ କୌଣସି ସୂତ୍ରରୁ ଏ ନେଇ ଜିଲ୍ଲା ପ୍ରାଶାସନ ଖବର ପାଇଥିଲା। ତୁରନ୍ତ ଗାଁକୁ ଡାକ୍ତରୀ ଟିମ୍ ପହଞ୍ଚାଇବା ବ୍ୟବସ୍ଥା କରିଥିଲା। ଗୋଟିଏ ଟିମ୍ ଗାଁରେ ପହଞ୍ଚିବା ପରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ଡାକ୍ତର ଟୁଡୁ, ଲ୍ୟାବ୍ ଟେକ୍ନିସିଆନ ଜ୍ଞାନ ରଂଜନ ଲେଙ୍କା, କମଳୁ ହନ୍ତାଳ, ଏଏନ୍ଏ‌ମ୍‌ ଶକୁନ୍ତଳା ଦାସ ସମେତ ଅନ୍ୟ କର୍ମଚାରୀ ଲକ୍ଷଣ ଦେଖି ରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। କିଛି ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ବି ଆଣ୍ଟିଜେନ୍ କିଟ୍ ଦ୍ବାରା ହୋଇଥିବା ସୂଚନା ମିଳିଛି। ତେବେ ରିପୋର୍ଟ କ’ଣ ଆସିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ସେହିପରି ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ଗୋଟିଏ ପଟେ ଲକ୍ଡାଉନ୍‌ ଗ୍ରାମବାସୀଙ୍କୁ ଦାଉ ସାଧୁଥିବା ବେଳେ ଅନ୍ୟପଟେ ଅଜଣା ରୋଗର ଶିକାର ହୋଇ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଥିଲେ।

ଏ ନେଇ ସିଡିଏମଓ ପ୍ରଫୁଲ୍ଲ ନନ୍ଦଙ୍କୁ ଯୋଗାଯୋଗ କରିବାରୁ ଗାଁକୁ ଡାକ୍ତରୀ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ୧୫ରୁ ଊର୍ଦ୍ଧ୍ବ ଜଣ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ରକ୍ତ ପରୀକ୍ଷା ପରେ ୫ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟମାନେ ଠିକ୍ ଥିବା ସିଡିଏମ୍ଓ‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର