ଜ୍ୱରରେ ଥରୁଛି ଉପାନ୍ତ ଅଞ୍ଚଳ, ୧୦ରୁ ୧୫ ଦିନ ହେଲା ବ୍ୟାପୁଛି ଜ୍ୱର

ଡାକ୍ତରଖାନା ଆସୁନାହାନ୍ତି, କ୍ବାକ୍‌ ଭରସା

କୋରାପୁଟ : ୧୦ରୁ ଅଧିକ ଦିନ ହେବ ଜ୍ବରରେ କମ୍ପୁଛି କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ। ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି। ସ୍ଥିତି ବିଗିଡ଼ୁଥିବା ବେଳେ ସର୍ବାଧିକ ଯୁବ ବୟସ୍କ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜ୍ବର ଛାଡ଼ୁ ନଥିବା ବେଳେ କାଶ ଏବଂ ଦୁର୍ବଳତା ମାଡ଼ି ବସୁଛି। ଜିଲ୍ଲାର ଦୁର୍ଗମ ଦଶମନ୍ତପୁର ବ୍ଲକ ଏବଂ କୋରାପୁଟ ବ୍ଲକର କିଛି ଗାଁରୁ ଆସିଛି ଏମିତି ଚିନ୍ତା ଜନକ ଚିତ୍ର।

ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଫୁଲବେଡ଼ା ପଞ୍ଜାୟତର ଓଡ଼ପୁର ଗାଁରେ ରହୁଛନ୍ତି ୧୩୦ ପରିବାର। ସେହିପରିି ବାଉଁଶଗୁଡାରେ ୬୦ ପରିବାର, ମାଝିଗୁଡ଼ାରେ ୪୦ ପରିବାର, ହାତୀମୁଣ୍ଡାରେ ୪୦ ପରିବାର, କୋରାପୁଟ ବ୍ଲକ କେନ୍ଦାର ଗାଁରେ ୧୨୨ ପରିବାର, ଦୟାନିଧିଗୁଡା ଗାଁରେ ୧୩୦ ପରିବାର, ଘୋଡାଗୁଡ଼ାରେ ୪୫ ପରିବାର, ବଣ୍ଡାକଟ୍ରିଗୁଡାରେ ୩୫ ପରିବାର ରହୁଛନ୍ତି। ଉପରୋକ୍ତ ଗାଁ ଗୁଡ଼ିକରେ ବ୍ୟାପିଛି ଜ୍ବର। ତା ସହିତ ଆକ୍ରାନ୍ତଙ୍କ ବାରମ୍ବାର କାଶ ହେଉଥିବା ବେଳେ ଦୁର୍ବଳତା ବି ଅନୁଭବ କରୁଛନ୍ତି। ଏହି କରୋନା ମହାମାରୀ ସମୟରେ ଜ୍ବରରେ ଆକ୍ରାନ୍ତ ସତ୍ତ୍ବେ ଲୋକେ ଡାକ୍ତରଖାନାକୁ ଯିବା ପାଇଁ ଭୟ କରୁଥିବା ଜଣାପଡ଼ିଛି। ଭଲ ହେବା ପାଇଁ ପାରମ୍ପରିକ ଦେଶୀ ଚିକିତ୍ସା ସହ କ୍ବାକ୍‌ଙ୍କ ଠାରୁ ଔଷଧ ନେଇ ଖାଉଥିବା ପ୍ରକାଶ କରିଛନ୍ତି। କରୋନାର ପ୍ରଥମ ଲହରର ପ୍ରଭାବ ଗ୍ରାମାଞ୍ଚଳରେ ସେତେଟା ପଡ଼ି ନଥିଲା। କିନ୍ତୁ ଦ୍ବିତୀୟ ଲହର ଅଧିକ ମାରାତ୍ମକ ହୋଇ ଗ୍ରାମାଞ୍ଚଳରେ ବି ବ୍ୟାପିବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ୍‌ର ଓଡପୁର, ବାଉଁଶଗୁଡା, ମାଝିଗୁଡା, ହାତୀମୁଣ୍ଡା ଗାଁରେ ୧୦୦୦ରୁ ଅଧିକ ଲୋକ ରହୁଛନ୍ତି। କୋରାପୁଟ ଓ ବୋରିଗୁମ୍ମା ବ୍ଲକ ସୀମାକୁ ଲାଗି ରହିଛି ଏହି ଗାଁ। ତେଣୁ ଜୀବିକା ପାଇଁ ପଡ଼ୋଶୀ ବ୍ଲକ ଉପରେ ଏହି ଗାଁ ଗୁଡ଼ିକର ଲୋକ ନିର୍ଭର କରିଥାନ୍ତି। ମାସକ ତଳେ ପ୍ରଥମେ ଓଡପୁର ଗାଁର ଗୋଟିଏ ଆଦିବାସୀ ପରିବାରକୁ ଜ୍ବର ହୋଇଥିଲା। ଏହାପରେ ଗାଁର ଅନ୍ୟମାନେ ବି ଆକ୍ରାନ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ପାଖ ଗାଁକୁ ବି ଜ୍ବର ବ୍ୟାପିବାରେ ଲାଗିଥିଲା। ଏହାରି ମଧ୍ୟରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ବି କୁହାଯାଉଛି। ଗାଁ ଗୁଡ଼ିକର ପରିବେଶ ବି ପୂରା ଶୂନଶାନ ହୋଇଯାଇଛି। ଗାଁରେ ଯେଉଁ ଗହଳିଚହଳି ଦେଖିବାକୁ ମିଳେ ତାହା ମିଳୁନାହିଁ। ଏହି ଭୟର ପ୍ରଭାବ ପେଟପାଟଣା ଉପରେ ବି ପଡିଛି। ପ୍ରତିଦିନ ରାତି ପାହିଲେ ଯେଉଁ ଖଟିଖିଆ ସହରକୁ ଧାଉଁଥିଲା ଏବେ ଗାଁରେ ରହୁଥିବା ଦେଖିବାକୁ ମିଳିଛି। ସେହିପରି କୋରାପୁଟ ବ୍ଲକର ଦୟାନିଧିଗୁଡା, ଘୋଡାଗୁଡା ଓ ବଣ୍ଡାକଟ୍ରିଗୁଡାଗୁଡାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଶୁଣିଛି। ପ୍ରତିକାର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର