ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ଆଦିବାସୀଅଧ୍ୟୁଷିତ ଦୁର୍ଗମ ଇଲାକା ଆଙ୍କୁଲି, ତୁମ୍ବା ଓ ବୁରାତାଲ୍ ପଞ୍ଚାୟତରେ ଜ୍ବରର ଆତଙ୍କ ଦେଖାଦେଇଛି। ଏଥିରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

Advertisment

ସୂଚନ‌ା ଅନୁସାରେ, ଉପ‌ରୋକ୍ତ ତିନି ପଞ୍ଚାୟତ ମଧ୍ୟରୁ ଆଙ୍ଗୁଲି ପଞ୍ଚାୟତରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଏହି ପଞ୍ଚାୟତ ଅନ୍ତର୍ଗତ ତିତିରିସିଙ୍ଗି ଗ୍ରାମର ଜଣେ ତିନିବର୍ଷର ଝିଅ ରାକ୍ଷୀ ବିଷୋୟୀ ପ୍ରାଣ ହରାଇଛନ୍ତି। ସେହିପରି ଉକ୍ତ ଗ୍ରାମର ଅଲେଖ ବିଷୋୟୀ (୨୮), ଶ୍ରିଜା ବିଷୋୟୀ (୬), ଶରତ ବିଷୋୟୀ (୪), ବେଦବତି ପାତ୍ର (୨୫), ଲେଙ୍ଗେନା ସାହିର ଜତ୍ରି ପ୍ରଧାନ (୫୮) ପ୍ରମୁଖ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ,ଏଲଗଲ ଓ ହଳଦୀବାଡ଼ ସହ ଆଖପାଖ ଗ୍ରାମର ଅନେକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ, ଆଦିବାସୀଙ୍କୁ ଉଚିତ ସ୍ବାସ୍ଥ୍ୟ ମିଳିପାରୁନଥିବା ଅଭିଯୋଗରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ବୁରାତାଲ ଓ ତୁମ୍ବା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଧ୍ୟ କିଛିଦିନ ହେଲା ଜ୍ୱରର ଆତଙ୍କ ଲାଗିରହିଛି। ସେଠାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମଶାରି ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନବ୍ୟାପୀ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ  ଡା.ସମ୍ବିତ ବେଗରାୟଙ୍କ ତତ୍ତ୍ବାବଧାନରେ ଏକ ଟିମ୍  ତୁମ୍ବା ଏବଂ ବୁରାତାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଦମନ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସେମାନଙ୍କ ରକ୍ତନମୁନା ପରୀକ୍ଷା କରାଯାଇଥିଲା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶ ଓ ଟାଟାଷ୍ଟିଲ୍ ସହାୟତାରେ ଆଦିବାସୀମାନଙ୍କୁ ମଶାରି ବିତରଣ କରାଯାଇଥିଲା।