ଫେଭିକଲ ନିଶା କବଳରେ ଅନାଥ ଶିଶୁ, ସ୍କୁଲ ନ ଯାଇ ନିଶା ନେଉଥିବାବେଳେ ଉଦ୍ଧାର

ଜୟପୁର: ‘ଫେଭିକଲ ଟିକେ ଦିଅ, ନ ହେଲେ ମୁଣ୍ଡ ଘୁରି ଯାଉଛି’ କିଛି ଏଭଳି କହି ଭୋ ଭୋ କାନ୍ଦି ନେହୁରା ହେଉଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି | ଦୁଇ ଜଣ ନାବାଳକ ଫେଭିକଲ ଅଠା ପାଇଁ ଆଜି ଏଭଳି କାକୁତିମିନତି କରୁଥିବାର ଦୃଶ୍ୟ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ମିଳିଥିବା ସୂଚନା ମୁତାବକ କୋରାପୁଟର ଜୟପୁର ସହରରେ ଆଜି ଦୁଇଜଣ ନାବାଳକ ସ୍କୁଲ ପୋଷାକ ପିନ୍ଧି ଫେଭିକଲ କିଣୁଥିବାର କିଛି ଲୋକ ଦେଖିଥିଲେ |

ଏହି ଦୃଶ୍ୟ ଦେଖି ପିଲାମାନଙ୍କ ହାତରୁ ଏହି ଫେଭିକଲ ଅଠା କେଉଁ ଉଦ୍ଦେଶ୍ୟରେ ନେଉଛ ବୋଲି ପ୍ରଶ୍ନ କରିଥିଲେ | ଏହା ଦେଖି ପିଲା ଦୁଇ ଜଣ ଭୋ ଭୋ ହୋଇ କାନ୍ଦିବା ସହ ଫେଭିକଲ ସେବନ ନ କଲେ ସେମାନଙ୍କ ମୁଣ୍ଡ ଘୁରାଇଦେଉଥିବାର କହିଥିଲେ |

ଏହି ଦୁଇ ପିଲାଙ୍କ ବାପା-ମା ନଥିବା ବେଳେ କିଭଳି ଦୋକାନୀ ଏମାନଙ୍କୁ ଏହି ମାରାତ୍ମକ ନିଶା ବିକ୍ରି କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି | ଏହା ବାଦ ଶିଶୁ ସୁରକ୍ଷାକୁ ନେଇ କଥା କହୁଥିବା ସ୍ବେଛାସେବୀ ସଂଗଠନ ଓ ପ୍ରଶାସନ କିଭଳି ଏ ବାବଦରେ ଜାଣିପାରୁନାହିଁ ତାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର