ଓପିଜିସିରେ ସରକାରୀ ଅଧିକାରୀ ଉପେକ୍ଷିତ

ଇବ୍‌ଥର୍ମାଲ : ଓଡ଼ିଶାର ଏକ ପ୍ରମୁଖ ଶିଳ୍ପସଂସ୍ଥା ଓପିଜିସିରେ ଓଡ଼ିଆ ଅଧିକାରୀଙ୍କ ନିଯୁକ୍ତିକୁ ସଂକୁଚିତ କରାଯାଉଛି। କର୍ମଚାରୀଙ୍କ ସ୍ବାଧିକାରକୁ କ୍ଷୁଣ୍ଣ କରାଯାଉଛି। ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଅଂଶଧନ ଥିବା ସତ୍ବେ ଓଡ଼ିଆ ଅଧିକାରୀମାନେ ଉପେକ୍ଷିତ ହେଉଛନ୍ତି। ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗକୁ ଓପିଜିସି ପରିଚାଳନା କର୍ତୃପକ୍ଷ ବାରମ୍ବାର ଦାବି ଜଣାଇ ଆଲୋଚନା କରିଥିଲେ ମଧ୍ୟ ଏହି ଉପେକ୍ଷା ଜାରି ରହିଛି ବୋଲି ଓପିଜିସି ଅଫିସର୍ସ ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି।

ଉପଦେଷ୍ଟା ଧନଞ୍ଜୟ ପ୍ରଧାନଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଏହି ଅଭିଯୋଗ ଅଣାଯାଇଛି। ଏଥିସହ ସପ୍ତମ ବେତନ ହାରରେ ଦରମା, ୪୯ ପ୍ରତିଶତ ଅଂଶଧନ ରଖିଥିବା ଏଇଏସ ପକ୍ଷରୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ଚାକିରି ଦେବା ପ୍ରଥାକୁ ବନ୍ଦ କରିବା, ଓପିଜିସିରେ ପ୍ରଚଳିତ ଅନେକ ପ୍ରକାର ପାଉଣା ପ୍ରଥାକୁ ବନ୍ଦ କରିବା, ସମାନତା ଆଣିବା, ଠିକ୍‌ ଭାବେ ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି କରାଯାଇଛି। ଏବେ ଜବରଦସ୍ତି କ୍ୟାଡର ନିଯୁକ୍ତି ନେଇ ଯେଉଁ ବ୍ୟବସ୍ଥା ଲାଗୁ କରାଯାଇଛି ତା’ର ଘୋର ବିରୋଧ କରାଯାଇଛି। ଗତ ମେ ମାସରେ ସରକାରଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ,‌ ବର୍ତ୍ତମାନ ପର୍ଯ୍ୟନ୍ତ ପଦ‌େକ୍ଷପ ନିଆଯାଇନାହିଁ। ଦାବି ପୂରଣ ନ ହେଲେ ଆସନ୍ତା ଅକ୍ଟୋବର ୨୨ ତାରିଖରୁ ସମସ୍ତେ କଳା ବ୍ୟାଜ୍ ପରିଧାନ କରିବେ ବୋଲି ନି‌ଷ୍ପତ୍ତି ନିଆଯାଇଛି।

ବୈଠକରେ ଅ‌ାସୋସିଏସନ ସଭାପତି ବୀରେନ୍ଦ୍ର ସାହା, ଉପସଭାପତି ଗତିକୃଷ୍ଣ ପଣ୍ଡା, କୃଷ୍ଣଚନ୍ଦ୍ର ସାମନ୍ତରାୟ, ସାଧାରଣ ସମ୍ପାଦକ ଧରଣୀଧର ବେହେରା, ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମିଶ୍ର, ବିଜୟ ମିଶ୍ର, ବାବା ମହାନ୍ତି ପ୍ରମୁଖ ମତ ରଖିଥିଲେ।

ସମ୍ବନ୍ଧିତ ଖବର