ବ୍ରହ୍ମପୁର : ଏକଦା ଫୁଟ୍‌ବଲ୍‌ର ଗଡ଼ ଥିଲା ବ୍ରହ୍ମପୁର।  କେବଳ ଏହି ସହରରେ ପ୍ରାୟ ୧୫ଟି ଫୁଟବଲ୍ ଦଳ ଥିଲା। ରୀତିମତ ଅଭ୍ୟାସ ସହ ପରସ୍ପର ବିପକ୍ଷରେ ପ୍ରତିଯୋଗିତାର ଆୟୋଜନ ହେଉଥିଲା। ଏଠାରୁ ବହୁ ଜାତୀୟସ୍ତରର ଖେଳାଳି ସୃଷ୍ଟି ହେଉଥିଲେ। କେବଳ ସେତିକି ନୁହେଁ, ଏଇ ସହରରେ ନିୟମିତ ବ୍ୟବଧାନରେ ପ୍ରତିବର୍ଷ ଆୟୋଜନ ହେଉଥିଲା ଏକ ଜାତୀୟସ୍ତରର ଫୁଟବଲ୍ ପ୍ରତିଯୋଗିତା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା। ୧୯୫୦ମସିହାରେ ଆରମ୍ଭ ହୋଇଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାର ନାଁ ଥିଲା ‘ଫିଆଜ୍ ସ୍ମାରକୀ ଫୁଟବଲ୍ ଟୁର୍ନାମେଣ୍ଟ’। ଗଂଜାମ ଜିଲ୍ଲା କ୍ରୀଡ଼ା ସଂଘ (ଜିଡିଏଏ) ଏହାର ଆୟୋଜନ କରୁଥିଲା।

Advertisment

ଓଡ଼ିଶା ସମେତ, ଆନ୍ଧ୍ର, ବିହାର, ତାମିଲନାଡ଼ୁ ଭଳି ପ୍ରଦେଶରୁ ବହୁ ସଂଖ୍ୟାରେ ଦଳ ଏହି ପ୍ରତିଯୋଗିତାର ଭାଗ ନେଉଥିଲେ। ବିଜେତା ଦଳକୁ ପ୍ରାୟ ପାଂଚଫୁଟ ଉଚ୍ଚର ଏକ ବିରାଟ ଟ୍ରଫି ପ୍ରଦାନ କରାଯାଉଥିଲା। ୧୯୫୦-୧୯୮୫ମସିହା ମଧ୍ୟରେ ହାତଗଣତି କେତୋଟି ବର୍ଷକୁ ଛାଡ଼ିଦେଲେ ନିୟମିତ ବ୍ୟବଧାନରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା। କିଛିବର୍ଷ ବିଭିନ୍ନ କାରଣରୁ ପ୍ରତିଯୋଗତା ଆୟୋଜନ ହୋଇପାରିନଥିଲା। ପୁଣି୧୯୯୫ରୁ ୧୯୯୮ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। କିନ୍ତୁ ଅର୍ଥାଭାବ ଏହି ପ୍ରତିଯୋଗିତା ଆୟୋଜନରେ ଅନ୍ତରାୟ ସାଜିଲା। ଫଳରେ ଏହାପରଠୁ ଆଉ ଏହି ପ୍ରତିଯୋଗିତା ଆୟୋଜନ ହୋଇପାରିଲା ନାହିଁ। ୨୪ବର୍ଷ ହେଲା, ଏହା ସହରବାସୀଙ୍କ ପାଇଁ ସ୍ମୃତି ପାଲଟିଯାଇଛି।

ବସନ୍ତ ପାଦ ଥାପିଲା ମାତ୍ରେ ସହରବାସୀଙ୍କ ମଧ୍ୟରେ ଫୁଟବଲ୍ କିମିଆ ଦେଖିବାକୁ ମିଳୁଥିଲା। ଫିଆଜ୍ ସ୍ମାରକୀ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜନ ପାଇଁ ସାରା ସହର ଚଳଚଂଚଳ ହୋଇ ଉଠୁଥିଲା। ଖଲ୍ଲିକୋଟ କଲେଜ ପଡ଼ିଆରେ ତାଟି ଅବା ଟିଣ ବାଡ଼ ଘେରା ହୋଇ ଫୁଟବଲ୍ କୋର୍ଟ କଟା ହେଉଥିଲା। ଦର୍ଶକଙ୍କ ବସିବା ପାଇଁ ଏକ ସ୍ବତନ୍ତ୍ର ଧରଣର ବାଉଁଶରେ ନିର୍ମିତ ଅସ୍ଥାୟୀ ଗ୍ୟାଲେରି ନିର୍ମିତ ହେଉଥିଲା। ଖେଳ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଟିକେଟ ବ୍ୟବସ୍ଥା ହେଉଥିଲା। ଘୋଡ଼ାଗାଡ଼ିରେ ପ୍ରତିଦିନର ମ୍ୟାଚ୍‌ କାହାକାହା ମଧ୍ୟରେ ହେବାକୁ ଥିଲା, ତାହା ପ୍ରଚାର ହେଉଥିଲା।  ବେଶ୍ ଧୁମ୍‌ଧାମ୍‌ରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା। ବିଜେତା ଦଳକୁ ପ୍ରଦାନ କରାଯାଉଥିବା ଟ୍ରଫିଟି ବେଶ୍ ଆକର୍ଷକ ଥିଲା।

ଟ୍ରଫିଟି ସହରର ସୁନାମଧନ୍ୟ ଡାକ୍ତର ଫିରୋଜ ଅଲ୍ଲୀ ତାଙ୍କ ବାପାଙ୍କ ସ୍ମୃତିରେ ଜିଡିଏଏକୁ ପ୍ରଦାନ କରିଥିଲେ। ଡା.ଅଲ୍ଲୀଙ୍କ ବାପା ଫିଆଜ୍‌ ଅଲ୍ଲୀ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାର ଜଣେ ଖ୍ୟାତନାମା ଫୁଟବଲ୍‌ ତାରକା ଥିଲେ। ସେ କଟକର ୱେଲିଂଗଟନ୍ କ୍ଲବ୍‌ରୁ ଖେଳୁଥିଲେ। ଏଥିସହ ରାଜ୍ୟରେ ଫୁଟବଲ୍‌କୁ ଲୋକପ୍ରିୟ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ସେଥିପାଇଁ ତାଙ୍କ ସ୍ମୃତିରେ ଡା.ଅଲ୍ଲୀ ଏହି ଟ୍ରଫିଟି ପ୍ରଦାନ କରିଥିଲେ। ୧୯୫୦ ମସିହାରେ ଆୟୋଜିତ ପ୍ରଥମ ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ବ୍ରହ୍ମପୁର ସ୍ଥିତ ରେଲ୍‌ୱେ ଫ୍ରେଣ୍ଡସ୍ ବିଜେତା ହୋଇ ଏହି ଟ୍ରଫି ହାସଲ କରିଥିଲା।

ବ୍ରହ୍ମପୁରର ମଡର୍ଣ୍ଣ ୟୁଥ୍‌ କ୍ଲବ୍‌ ୧୯୭୫ ଏବଂ ୧୯୭୭ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଶେଷଥର ପାଇଁ ୧୯୯୮ମସିହାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶାଖାପାଟଣା ଜିଲ୍ଲା ଦଳ ବିଜେତା ହୋଇ ଏହି ଟ୍ରଫି ହାସଲ କରିଥିଲା। ସେହିଦିନ ଠାରୁ ଟ୍ରଫିଟି ବିଶାଖାପାଟଣା ଜିଲ୍ଲା କ୍ରୀଡ଼ା ସଂଘ କାର୍ଯ୍ୟାଳୟରେ ରହିଥିଲା। ୨୦୨୦ ମସିହାରେ ଗଂଜାମ ଜିଲ୍ଲା କ୍ରୀଡ଼ା ସଂଘ ଏହି ଟ୍ରଫିକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଟ୍ରଫିଟି ଜରାଜୀର୍ଣ୍ଣ ହୋଇ ତା ’ର ପୂର୍ବ ଚମକ ହରାଇ ବସିଛି।

ଏଭଳି ଏକ ସର୍ବଭାରତୀୟ ପ୍ରତିଯୋଗିତା ଖେଳିଥିବା ବ୍ରହ୍ମପୁରର ବହୁ ଖେଳାଳି ଏବେ ପରଲୋକରେ। ସୁରେନ୍ଦ୍ର ପଟ୍ଟନାୟକ, ବିଶ୍ବନାଥ ପାତ୍ର, ବିଜୟ ଅଧିକାରୀ, ସୁଜିତ ପାତ୍ର, ଅଶୋକ ନିମାଇଁ, ଜେ.କାମେଶ୍ବର ରାଓଙ୍କ ଭଳି ଖେଳାଳି ଏହି ଗୌରବମୟ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଲାଭ କରିବା ସହ ଅତୀତର ସ୍ମୃତିକୁ ଧରି ରଖିଛନ୍ତି। ୧୯୭୫ ଏବଂ ୭୭ରେ ବିଜୟୀ ହୋଇଥିବା ବ୍ରହ୍ମପୁର ଦଳର ସଦସ୍ୟ ଥିବା ଡି.ଆପ୍ପା ରାଓ ଏହି ପ୍ରତିଯୋଗିତା ସମ୍ପର୍କିତ କିଛି ସ୍ମୃତି ସାଇତି ରଖିଛନ୍ତି। ତେବେ‌ ସର୍ବଭାରତୀୟସ୍ତରର ନହେଲେ ମଧ୍ୟ ସହରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିୟମିତ ବ୍ୟବଧାନରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ୨୦୧୮ମସିହାରୁ ସହରରେ କୌଣସି ଫୁଟବଲ୍ ପ୍ରତିଯୋଗିତା ଆୟୋଜନ ହୋଇ ପାରିନାହିଁ। ଅର୍ଥାଭାବ, କରୋନା ଭଳି ଏଥିପାଇଁ ବିଭିନ୍ନ କାରଣ ଥିବା ବେଳେ ଭଲ ଖେଳ ପଡ଼ିଆ ନଥିବା ଏକ ପ୍ରମୁଖ କାରଣ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି।